ଭୁବନେଶ୍ବର: ଜଣେ ନାବାଳିକାକୁ ଗଣଦୁଷ୍କର୍ମ ମାମଲା ରାଜଧାନୀରେ ଆଲୋଡନ ସୃଷ୍ଟି ହୋଇଛି। ଦୁଇ ସପ୍ତାହ ତଳେ ଘଟିଥିବା ଏହି ଜଘନ୍ୟ କାଣ୍ଡ ସମ୍ପର୍କରେ ଗତକାଲି ଜଣାପଡ଼ିଛି। ସବୁଠାରୁ ସାଂଘାତିକ ଘଟଣା ହେଲା ଯେ ପୀଡ଼ିତାଙ୍କୁ ଫସାଇଥିବା ନାବାଳିକା ଜଣଙ୍କ ହେଲେ ତାଙ୍କ ବାନ୍ଧବୀ। ବାନ୍ଧବୀଙ୍କ ମାଧ୍ୟମରେ ଚାରି ଅଭିଯୁକ୍ତ ପୀଡ଼ିତାଙ୍କୁ ଏକ ଓୟୋ ହୋଟେଲକୁ ଡାକି ନେଇ ଏଭଳି ଅଭାବନୀୟ କାଣ୍ଡ ଘଟାଇଛନ୍ତି। ଘଟଣାଟି ଏତିକିରେ ସୀମିତ ରହିନାହିଁ। ଦୁଷ୍କର୍ମକାରୀମାନେ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ପାଇଁ ଭିଡିଓ ଜରିଆରେ ବ୍ଲାକ୍‌ମେଲ୍‌ ବି କରିଛନ୍ତି। ଲୋକଲଜ୍ଜା ଡରରେ ନାବାଳିକା ଓ ତାଙ୍କ ମା’ ୬୨ ହଜାର ଟଙ୍କା ଦେବା ପରେ ମଧ୍ୟ ଅଭିଯୁକ୍ତମାନେ ପିଛା ଛାଡ଼ି ନଥିଲେ। ତେଣୁ ବାଧ୍ୟ ହୋଇ ନାବାଳିକା କମିସନରେଟ୍‌ ପୁଲିସର ଦ୍ବାରସ୍ଥ ହେବାରୁ ଘଟଣାଟି ପଦାକୁ ଆସିଛି। ନୂଆପଲ୍ଲୀ ଥାନା ପୁଲିସ ଏହି ମାମଲାରେ ସମସ୍ତ ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ଦଲାଲ ସାଜିଥିବା ବାନ୍ଧବୀକୁ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରେ ହାଜର କରାଇଛି। ୪ ଅଭିଯୁକ୍ତ ହେଲେ ମାମଲାର ମାଷ୍ଟରମାଇଣ୍ଡ ଦାରୁଠେଙ୍ଗର ରାଜା ପଟ୍ଟନାୟକ, ନୀଳାଦ୍ରିବିହାରର ଦୀପକ ବେହେରା, ଶୈଳଶ୍ରୀବିହାରର ପ୍ରକାଶ ବେହେରା ଓ ନାଗେଶ୍ବରଟାଙ୍ଗୀ ବାଇଧର କଲୋନିର ପପୁ ଦ୍ବିବେଦୀ। ଏହି ୪ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତ ଓ ଦଲାଲ ନାବାଳିକାକୁ ବାଳ ସୁଧାରଗୃହକୁ ପଠାଇଦିଆଯାଇଛି।

Advertisment

 ସାଙ୍ଗ ହେଲା ସଇତାନ, ଜେଲ୍‌ ଗଲେ ୪ଅଭିଯୁକ୍ତ, ବ‌ାଳ ସୁଧାରଗୃହ ଗଲା
ନାବାଳିକା ବାନ୍ଧବୀ ଭିଡିଓ ପଠାଇ ପୀଡ଼ିତା  ଓ ମା’ଙ୍କଠାରୁ ନେଇଗଲେ ୬୨ ହଜାର

ପୁଲିସ ସୂଚନାନୁସାରେ ନୂଆପଲ୍ଲୀ ଥାନା ଅଞ୍ଚଳର ଏହି ନାବାଳିକା ନିଜ ପରିବାରର ଦୁର୍ବଳ ଆର୍ଥିକସ୍ଥିତି ପାଇଁ କିଛି ରୋଜଗାରର ମାଧ୍ୟମ ଅନ୍ବେଷଣରେ ଥିଲେ। ଏହି ମଉକାରେ ପୀଡ଼ିତାଙ୍କ ବାନ୍ଧବୀ ତଥା ଦଲାଲ ନାବାଳିକା ତାଙ୍କୁ ଫୁସୁଲାଇ ମାମଲାର ମୁଖ୍ୟ ଖଳନାୟକ ରାଜା ସହିତ ଭେଟ କରାଇଥିଲା। ଦଲାଲ ନାବାଳିକାକୁ ବିଶ୍ବାସ କରି ପୀଡ଼ିତା ରାଜା ସଂସ୍ପର୍ଶରେ ଆସିଥିଲେ। ଅକ୍ଟୋବର ୧୬ ତାରିଖ ଦିନ ରାଜା ପୀଡ଼ିତାଙ୍କୁ ବୁଦ୍ଧ ପାର୍କ ନିକଟସ୍ଥ ଏକ ଓୟୋକୁ ଡକାଇଥିଲା। ଗୋଟିଏ ସଂସ୍ଥାରେ ନିଯୁକ୍ତି ଦେବାକୁ କହି ସେ ଡକାଇଥିଲା। ନାବାଳିକା ସେଠାରେ ପହଞ୍ଚିବା ପରେ ରାଜାର ଅନ୍ୟ ତିନି ସହଯୋଗୀ ଆସିଥିଲେ। ସେମାନେ ଏକ ସଂସ୍ଥାର ପଦାଧିକାରୀ ବୋଲି ରାଜା ପୀଡ଼ିତାଙ୍କୁ କହିଥିଲା। କଥାବାର୍ତ୍ତା ଛଳରେ ରାଜା ନାବାଳିକାଙ୍କୁ ନିଶାଯୁକ୍ତ ଥଣ୍ଡା ପାନୀୟ ପିଆଇଥିଲା। ସେ ସଂଜ୍ଞାହୀନ ହୋଇଯିବା ପରେ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ କରୁଥିବା ବେଳେ ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ। ଏହାପରେ ସେମାନେ ପୀଡ଼ିତାଙ୍କୁ ଚୁପ୍‌ ରହିବାକୁ ଧମକ ଦେଇ ଛାଡ଼ିଦେଇଥିଲେ। ଘଟଣା ପ୍ରଘଟ କଲେ ସେମାନେ ଭିଡିଓ ଭାଇରାଲ୍‌ କରିଦେବେ ଏବଂ ତାଙ୍କ ପରିବାର ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିବେ ବୋଲି ଚେତାବନୀ ଦେଇଥିଲେ। ବାନ୍ଧବୀର ଛଳନାରେ ଛଟପଟ ହେଉଥିବା ପୀଡ଼ିତା ଦୁର୍ବୃତ୍ତମାନଙ୍କ ଧମକରେ ଡରିଯାଇ ଚୁପ୍‌ ରହିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ପରେ ରାଜା ତାଙ୍କୁ ପୁଣି ଫୋନ୍‌ କରି ଓୟୋକୁ ଆସିବାକୁ କହିଥିଲା।

ପୀଡ଼ିତା ମନା କରିବାରୁ ରାଜା ତାଙ୍କୁ ଏକ ଭିଡିଓ ପଠାଇ ବ୍ଲାକ୍‌ମେଲ୍ କରିଥିଲା। ଓୟୋକୁ ନ ଆସିଲେ ୫୦ ହଜାର ଟଙ୍କା ଦେବାକୁ ଧମକ ଦେଇଥିଲା। ଲୋକଲଜ୍ଜା ଭୟରେ ନାବାଳିକା ଅନ୍‌ଲାଇନ୍‌ରେ ରାଜାକୁ ୧୨ ହଜାର ଟଙ୍କା ପଠାଇଥିଲେ ଏବଂ ପିଛା ଛାଡ଼ିବାକୁ କାକୁତିମିନତି ହୋଇଥିଲେ। ମାତ୍ର ରାଜା ସେହି ଭିଡିଓକୁ ପୀଡ଼ିତାଙ୍କ ମା’ଙ୍କ ଫୋନ୍‌କୁ ପଠାଇ ୫୦ ହଜାର ଟଙ୍କା‌ ଦାବି କରିଥିଲା। ଝିଅର ଭବିଷ୍ୟତ ଓ ପରିବାରର ସମ୍ମାନ ରକ୍ଷା ପାଇଁ ପୀଡ଼ିତାଙ୍କ ମା’ ଅନ୍‌ଲାଇନ୍‌ରେ ରାଜାକୁ ୫୦ ହଜାର ଟଙ୍କା ଦେଇଥିଲେ। ଏହାପରେ ବି ରାଜା ସେମାନଙ୍କ ପିଛା ଛାଡ଼ିବାକୁ ପ୍ରସ୍ତୁତ ନଥିଲା। ପୁଣି ବ୍ଲାକ୍‌ମେଲ୍‌ କରିଥିଲା। ପୁଲିସ ଏହି ମାମଲାକୁ ରେଡ୍‌ଫ୍ଲାଗ୍‌ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବାକୁ ଯୋଜନା ଚଳାଇଛି। ୨୦ ଦିନ ଭିତରେ ଚାର୍ଜସିଟ୍‌ ଦାଖଲ କରି ଅପରାଧୀମାନଙ୍କୁ କଠୋର ଦଣ୍ଡ ଦେବାକୁ ପୁଲିସ ପ୍ରସ୍ତୁତି ଚଳାଇଛି।