ମୃଦୁପାନୀୟରେ ନିଶା ଦେଇ ଶାରୀରିକ ସମ୍ପର୍କ

ବିବାହ ପାଇଁ କହିବାରୁ ଅଶ୍ଳୀଳ ଫଟୋ ଭିଡିଓ ଭାଇରାଲ୍‌ ଧମକ

ସମ୍ବଲପୁର: ବୁର୍ଲା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ମୃଦୁ ପାନୀୟରେ ନିଶା ମିଶାଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ଏହା ସହିତ ଯୁବକ ଜଣକ ତାଙ୍କର ଅଶ୍ଳୀଳ ଫଟୋ ଓ ଭି଼ଡିଓ ଉଠାଇ ନେଇଥିବା ସେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଅଞ୍ଚଳର ହେମନ୍ତଙ୍କୁ ୩ ବର୍ଷ ହେଲା ଯୁବତୀ ଜାଣିଥିଲେ। ଉଭୟେ ଫୋନ୍‌ରେ କଥା ହେଉଥିଲେ। ଯେତେବେଳେ ହେମନ୍ତ ବୁର୍ଲା କିମ୍ବା ସମ୍ବଲପୁର ଆସନ୍ତି ଯୁବତୀଙ୍କ ସହ ଦେଖା ମଧ୍ୟ କରୁଥିଲେ। ଦିନେ ହେମନ୍ତ ଯୁବତୀଙ୍କ କଲ୍‌ କରି ସମ୍ବଲପୁର ସ୍ଥିତ ତାଙ୍କ ଭାଇଙ୍କ ଘରକୁ ଡାକିଥିଲେ।

ସେଠାରେ ଯୁବତୀଙ୍କୁ ମୃଦୁ ପାନୀୟ ପିଇବାକୁ ଦେଇଥିଲେ। ଯାହାକୁ ପିଇବା ପରେ ଯୁବତୀଙ୍କ ଚେତା ଚାଲିଯାଇଥିଲା। ଏହାପରେ ହେମନ୍ତ ଯୁବତୀଙ୍କ ସହ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀଙ୍କ ହୋସ୍‌ ନଥିବା ବେଳେ ମୋବାଇଲ୍‌ରେ ତାଙ୍କର ଅଶ୍ଳୀଳ ଫଟୋ ଓ ଭିଡିଓ ଉଠାଇଥିଲେ। ଏହା ଜାଣିବା ପରେ ଯୁବତୀଙ୍କୁ ସେ ପ୍ରେମ କରୁଥିବା କହି ବିବାହ କରିବେ ବୋଲି ପ୍ରଲୋଭନ ଦେଖାଇଥିଲେ। ତେବେ କିଛି ଦିନ ପରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ନ ରଖିଲେ ଉକ୍ତ ଅଶ୍ଳୀଳ ଫଟୋ ଓ ଭିଡିଓଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ କରିଦେବି ବୋଲି ହେମନ୍ତ ଧମକ ଦେଇଥିଲେ। କିଛି ମାସ ପରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ। ଏ କଥା ଯେତେବେଳେ ଯୁବତୀ ଜଣାଇଲେ, ଗର୍ଭନଷ୍ଟ କରିଦେବାକୁ ହେମନ୍ତ କହିଥିଲେ।

କିନ୍ତୁ ଯୁବତୀ ଏଥିରେ ରାଜି ହୋଇ ନଥିଲେ। ଏହାପରେ ହେମନ୍ତ ତାଙ୍କୁ କିଛି ମେଡିସିନ୍‌ ଦେଇଥିଲେ, ଯାହାଦ୍ବାରା ତାଙ୍କର ଗର୍ଭ ନଷ୍ଟ ହୋଇଯାଇଥିଲା। ଗତବର୍ଷ ଜୁଲାଇ ୪ ତାରିଖରେ ଯୁବତୀ ଜଣକ ଯେତେବେଳେ ହେମନ୍ତଙ୍କୁ ବିବାହ ପାଇଁ କହିଥିଲେ, ସେବେବେଳେ ପୁଣିଥରେ ଉକ୍ତ ଫଟୋ ଓ ଭିଡିଓଗୁଡ଼ିକ ଭାଇରାଲ୍‌ କରିଦେବାକୁ ସେ ଧମକ ଦେଇଥିଲେ। ଏ ବିଷୟରେ ପରିବାର ଲୋକଙ୍କୁ ଜଣାଇଲେ ବା ଥାନାର ଦ୍ବାରସ୍ଥ ହେଲେ ଯୁବତୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏ ନେଇ ଯୁବତୀ ଜଣକ ସୋମବାର ରାତି ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର