ପାତ୍ରପୁର : ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ସମ୍ବେଦନଶୀଳ ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜରଡ଼ା ଥାନା ସାମନ୍ତିଆପଲ୍ଲୀ ଗାଁରେ ଗୁରୁବାର ସଂଘବଦ୍ଧ ଆକ୍ରମଣ ଓ ଭିଡ଼ ଭିତରେ ଛୁରୀ ଭୁସି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ଏହା ପଛରେ ଅନ୍ୟତମ ମୁଖ୍ୟ କାରଣ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ବେଆଇନ ଜୁଆ ଆଡ଼ା ପରିଚାଳନା ବିବାଦ ବୋଲି ପୁଲିସ ସୁରାକ୍ ପାଇଛି। ଏ ଦିଗକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରା ଯାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଆଜି ସୁଦ୍ଧା ଅଭିଯୁକ୍ତଙ୍କୁ କାବୁ କରିବାରେ ପୁଲିସ ସକ୍ଷମ ହୋଇପାରି ନାହିଁ। ସେମାନଙ୍କୁ ଧରିବା ପାଇଁ ଦୁଇଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ଗୋଟିଏ ଟିମ୍ ଆନ୍ଧ୍ର ପଟେ ଯାଇଥିବା ସୂଚନା ମିଳିଛି। ସେପଟେ ସାମନ୍ତିଆପଲ୍ଲୀ ଗାଁ ପୁରୁଷ ଶୂନ୍ୟ ହୋଇ ପଡ଼ିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତକାଲି ସାମନ୍ତିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଆମ୍ବଗାଁର ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ଚାଉଳ ବଣ୍ଟନ ପାଇଁ ଭିଡ଼ ଥିବା ସାମନ୍ତିଆପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ପରିସର ରଣକ୍ଷେତ୍ର ପାଲଟି ଯାଇଥିଲା। ସଂଘବଦ୍ଧ ଆକ୍ରମଣ ଓ ଛୁରୀ ମାଡ଼ରେ ଆମ୍ବଗାଁର ଏମ୍. ରାମାରାଓ ମୃତ୍ୟୁବରଣ କରିଥିବା ବେଳେ ଏମ୍.କ୍ରିଷ୍ଣା ଓ ଏମ୍.ଲାଛାୟା ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ହତ୍ୟାକାରୀ ଘଟଣା ପରେ କେଉଁଆଡ଼େ ଉଭାନ୍ ହୋଇ ଯାଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି। ଗାଁରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଥିରେ ଜଣେ ଇନ୍ସ୍ପେକ୍ଟର୍, ଜଣେ ସବ୍ ଇନ୍ସ୍ପେକ୍ଟର୍ ପାହ୍ୟାର ଅଧିକାରୀ ମଧ୍ୟ ରହିଛନ୍ତି। ଫେରାର୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ଦୁଇଟି ଟିମ୍ ଗଠନ କରି ଗୋଟିଏ ଟିମ୍କୁ ପଡ଼ୋଶୀ ଆନ୍ଧ୍ରକୁ ପଠାଇଛି।
ସମସ୍ତ ଅଭିଯୁକ୍ତ ଚିହ୍ନଟ ହୋଇ ସାରିଥିବା ଓ ଆନ୍ଧ୍ରରେ ଆତ୍ମଗୋପନ କରିଥିବା ପୁଲିସ ଅନୁମାନ କରୁଛି। ପୁଲିସ ସେମାନଙ୍କ ମୋବାଇଲ୍ ନମ୍ବର ଟ୍ରାକ୍ କରିବା ସହିତ ତାଙ୍କର ସହଯୋଗୀଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖିଛି।
ଅନ୍ୟପଟେ ଗତକାଲି ରାତିରେ ଶୋକାକୁଳ ପରିବେଶରେ ରାମାରାଓଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ସେହିଭଳି ଅନ୍ୟ ଦୁଇ ଗୁରୁତର ଏମ୍. କ୍ରିଷ୍ଣାରାଓ ଓ ଏମ୍. ଲାଛାୟାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଥିବା ସୂଚନା ମିଳିଛି। ମୃତ ରାମାରାଓଙ୍କ ପତ୍ନୀ ଏମ୍. ଜେମା ୧୩ ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି। ଜରଡ଼ା ଥାନା ଅଧିକାରୀ ସୁନୀଲ ବେହେରାଙ୍କ କହିବା ପ୍ରକାରେ ୨୦୧୫ ମସିହାରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା।
ଯାହାକୁ ନେଇ ଏହି ଘଟଣା ଘଟିଥିବା ସେ କହିଛନ୍ତି। ଏପରିକି ଅନ୍ତଃରାଜ୍ୟ ଜୁଆ ଆଡ଼ା ପରିଚାଳନାକୁ ନେଇ ବିବାଦ ମଧ୍ୟ ଏହି ହତ୍ୟାକାଣ୍ଡର ଅନ୍ୟତମ କାରଣ ବୋଲି କୁହାଯାଉଛି। ପୂର୍ବରୁ ହୋଇଥିବା ଗୋଷ୍ଠୀ କନ୍ଦଳରେ ପ୍ରାୟ ୨୫ ଜଣରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ପୁଲିସର ହସ୍ତକ୍ଷେପ ପରେ ଗାଁରେ ଶାନ୍ତି ଫେରିଥିଲା। ହେଲେ ଗତକାଲି ପୁଣିଥରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ମରଣାନ୍ତକ ଆକ୍ରମଣ କଲେ। ଫଳରେ ଜଣଙ୍କର ଜୀବନ ଚାଲିଗଲା। ଗତ କିଛି ମାସ ତଳେ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଗୋଣ୍ଡଗୋଳ ହୋଇଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ଦିଗରୁ ଉଦ୍ୟମ ଜାରି ରହିଥିବା ଚିକିଟି ଏସ୍ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ସୂଚନା ଦେଇଛନ୍ତି।