ଇଣ୍ଟିଗ୍ରେଟେଡ୍‌ ବିଇଡି-ଏମ୍ଇଡି ଛାତ୍ରଛାତ୍ରୀଙ୍କ ନିଯୁକ୍ତି ବାଟ ଫିଟିଲା, ଏଣିକି ଶିକ୍ଷକତା ପାଇଁ ଆବେଦନ କରିପାରିବେ

ବାରିପଦା: ସମନ୍ବିତ (ଇଣ୍ଟିଗ୍ରେଟେଡ୍‌) ବିଇଡି ଓ ଏମ୍ଇଡି ଛାତ୍ରଛାତ୍ରୀଙ୍କ ନିଯୁକ୍ତି ବାଟ ଫିଟିଲା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ଦାୟିତ୍ବ ନେବା ପରେ ଆସିଛି ଖୁସି ଖବର। ପୂର୍ବରୁ  ଏହି ୩ ବର୍ଷିଆ  ଇଣ୍ଟିଗ୍ରେଟେଡ ବିଇଡି ଓ ଏମ୍ଇଡିରେ ପାଠ୍ୟକ୍ରମରେ ନାମ ଲେଖାଇ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ କିମ୍ବା କୌଣସି ସରକାରୀ ବୃତ୍ତିରେ ନିଯୁକ୍ତିର ସୁଯୋଗ ମିଳୁନଥିଲା। ଏପରିକି ଓଟିଇଟି, ଜେଆରଏଫ, ୟୁଜିସି, ଏନଇଟିରେ ଆବେଦନ କରିବାରୁ ମଧ୍ୟ ବଞ୍ଚିତ ହେଉଥିଲେ ଏହି ପାଠ୍ୟକ୍ରମରେ ଅଧ୍ୟୟନ କରିଥିବା ଛାତ୍ରଛାତ୍ରୀ। ଏନେଇ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ, ବିକ୍ଷୋଭ ହୋଇ ଆସୁଥିଲା।

ତତ୍‌କାଳୀନ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ ତଥା ବର୍ତ୍ତମାନର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରୁ ଏହି ଧାରା ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏନେଇ ‘ସମ୍ବାଦ’ରେ ୨୦୧୯ ମାର୍ଚ୍ଚା ମାସରେ ପ୍ରଥମେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ପରେ ଏହି ଆନ୍ଦୋଳନ ବାଲେଶ୍ବର, ସମ୍ବଲପୁର, ରାଜେନ୍ଦ୍ର କଲେଜ୍‌ (ବର୍ତ୍ତମାନର ବିଶ୍ବବିଦ୍ୟାଳୟ) ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନକୁ ବ୍ୟାପିଥିଲା। ତେବେ ପ୍ରଥମ ଓଡ଼ିଆ ଭାବେ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଧର୍ମେନ୍ଦ୍ର ପ୍ରଧାନ ଏହି ସମସ୍ୟାକୁ ହୃଦୟଙ୍ଗମ କରି ଏହାର ସମାଧାନ ଦିଗରେ ପ୍ରକ୍ରିୟା ଆରମ୍ଭ କରିଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ହସ୍ତକ୍ଷେପ ପରେ ଚଳିତ ମାସ ୧୪ ତାରିଖରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଦ୍ଧିବଧ ଭାବେ ଗେଜେଟ୍‌ ନୋଟିଫିକେସନ୍‌ ପ୍ରକାଶ ପାଇଛି। ଏହା ଫଳରେ ହଜାର ହଜାର ଇଣ୍ଟିଗ୍ରେଟେଡ୍‌ ବିଇଡି ଓ ଏମ୍ଇଡି ଛାତ୍ରଛାତ୍ରୀ ଏଣିକି ସରକାରୀ ଚାକିରୀରେ ନିଯୁକ୍ତି ପାଇବାର ବାଟ ଫିଟିଛି।

ଉଲ୍ଲେଖଯୋଗ୍ୟ ଯେ, ଏନସିଟିଇ ପକ୍ଷରୁ ଅନୁମୋଦିତ ଏସ୍‌ସିଇଆରଟି ଦ୍ବାରା ଡିଜାଇନ୍‌ କରାଯାଇଥିବା ଏହି କୋର୍ସରେ ନାମଲେଖାଇ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନେ କିନ୍ତୁ କୌଣସି ସରକାରୀ ଚାକିରୀରେ ଆବେଦନ କରିବାକୁ ସୁଯୋଗ ମଧ୍ୟ ପାଉନଥିଲେ। ଫଳରେ ବିଚିତ୍ର ଶିକ୍ଷାନୀତି କାରଣରୁ ଭବିଷ୍ୟତକୁ ନେଇ ଅନ୍ଧାରରେ ଥିଲେ ଶହଶହ ଛାତ୍ରଛାତ୍ରୀ। ଏନେଇ ଛାତ୍ରଛାତ୍ରୀମାନେ ଅନେକ ଥର ଦାବି କରିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରୁ ରାଜଧାନୀକୁ ପଦଯାତ୍ରା ମଧ୍ୟ କରିଥିଲେ। ଛାତ୍ରଛାତ୍ରୀମାନେ ଏଥିପାଇଁ କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ଚାପ ପକାଇ ଆସୁଥିଲେ। କେନ୍ଦ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଏନେଇ ସଂସଦରେ ଦାବି ଉଠାଇଥିଲେ। ତେବେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ବଭାର ଗ୍ରହଣ କଲାପରେ ଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟରୁ ଛାତ୍ରମାନଙ୍କର ଏକ ସର୍ବଭାରତୀୟ ପ୍ରତିନିଧି ଦଳ ଦିଲ୍ଲୀରେ ଶ୍ରୀ ପ୍ରଧାନଙ୍କୁ ସାକ୍ଷାତ କରି ଏସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ଦାବିର ଯଥାର୍ଥତା ଅନୁଭବ କଲାପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପୂର୍ବ ଆଇନରେ ପରିବର୍ତ୍ତନ ଆଣିବା ସହିତ ୧୪ ତାରିଖରେ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବିଜ୍ଞପ୍ତି ପ୍ରକାଶ ପାଇବା ପରେ  ଇଣ୍ଟିଗ୍ରେଟେଡ ବିଇଡି ଓ ଏମ୍ଇଡି ଛାତ୍ରଛାତ୍ରୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଖୁସି ବ୍ୟକ୍ତ କରିଛନ୍ତି।

ସମନ୍ବିତ ବିଇଡି/ଏମ୍‌ଇଡି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବିଭାଗରେ ନିଯୁକ୍ତିର ଅପୂର୍ବ ସୁଯୋଗ ଦେଇଥିବାରୁ ବହୁ ମେଧାବୀ ପରିଶ୍ରମୀ ଯୁବଗୋଷ୍ଠୀ ଶିକ୍ଷାଦାନ ଭଳି ପବିତ୍ର ବୃତ୍ତି ଗ୍ରହଣ କରିବାକୁ ଆଗ୍ରହୀ ହେବେ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏହି ନିଷ୍ପତିକୁ ସହୃଦୟତାର ସହିତ ସ୍ବାଗତ କରୁଛି ବୋଲି କହିଛନ୍ତି ଘଣଘଣା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ମହାନ୍ତ |

ସମନ୍ବିତ ବିଇଡି ଓ ଏମ୍‌ଇଡଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ନିଆଯାଇଥିବା ଏହି ପଦକ୍ଷେପ ନିଶ୍ଚିତ ଭାବରେ ସ୍ଵାଗତଯୋଗ୍ୟ। ଏହି ଐତିହାସିକ ପଦକ୍ଷେପ ଫଳରେ ବର୍ତ୍ତମାନ ଏହି କୋର୍ସର ଚାହିଦା ବଢିବା ସହିତ ଛାତ୍ରଛାତ୍ରୀ ମାନେ ଏକ ସୁନ୍ଦର ଭବିଷ୍ୟତର ପରିକଳ୍ପନା କରିପାରିବେ ବୋଲି କହିଛନ୍ତି ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜ ଦେଓ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ପୂର୍ବତନ  ସମନ୍ବିତ ବିଇଡି/ଏମ୍‌ଇଡି ଛାତ୍ର ଦୁର୍ଯ୍ୟୋଧନ ବେହେରା |

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ନୂତନ ବିଜ୍ଞପ୍ତି ସମନ୍ବିତ ବିଇଡି ଏମ୍ଇଡି ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଏକ ଆଶ୍ୱସ୍ତିର ଖବର ନିଶ୍ଚୟ। ପୂର୍ବରୁ ଏହି ପାଠ୍ୟକ୍ରମରୁ ଉତ୍ତୀର୍ଣ୍ଣ ହେବା ପରେ କେବଳ ଟିଚର୍ସ ଏଜୁକେଟର ହୋଇପାରିବା ନେଇ ବ୍ୟବସ୍ଥା ଥିବାବେଳେ, ଏବେ ଉକ୍ତ ବିଜ୍ଞପ୍ତି ବଳରେ ଉକ୍ତ ପାଠ୍ୟକ୍ରମରୁ ଉତ୍ତୀର୍ଣ୍ଣ ହୋଇ ଜଣେ ପ୍ରି-ପ୍ରାଇମେରୀ ଠାରୁ ସିନିୟର୍ ସେକେଣ୍ଡାରୀ ସ୍କୁଲ ଓ କଲେଜ୍ ମାନଙ୍କରେ ଶିକ୍ଷାଦାନ କରିପାରିବାର ରାସ୍ତା ଫିଟିଛି ବୋଲି କହିଛନ୍ତି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସମନ୍ବିତ ବିଇଡି ଏମ୍ଇଡିର ୧ମ ବର୍ଷ ଛାତ୍ର ଅଭିଷେକ ପଣ୍ଡା |

ସମ୍ବନ୍ଧିତ ଖବର