ସୋର, (ଅଭୟ କୁମାର ପତ୍ରୀ): ବାଉଁଶ ଓ ବେତ ଦେଖାଇଛି ରୋଜଗାରର ବାଟ। କେବଳ ରୋଜଗାର ନୁହେଁ, ଜଣେ ମହିଳାଙ୍କ ପାଇଁ ତୋଳିଛି ସ୍ବତନ୍ତ୍ର ପରିଚୟ। ସେ ହେଉଛନ୍ତି ସରୋଜିନୀ ଦାସ। ଯିଏ ଘର ଉପକରଣ ସହ ସୁନ୍ଦର ସାଜସଜ୍ଜା ଜିନିଷ ତଥା ଅଳଙ୍କାର ତିଆରି କରୁଛନ୍ତି। ଅନେକ ମହିଳାଙ୍କୁ ରୋଜଗାରକ୍ଷମ କରିବା ସହ ମାଗଣା ତାଲିମ ଦେଉଛନ୍ତି।
ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ କେଦାରପୁର ପଞ୍ଚାୟତ ତୁଣ୍ଡପଡ଼ା ଗ୍ରାମର ଦେବେନ୍ଦ୍ର ଦାସଙ୍କ ଝିଅ ସରୋଜିନୀ ଦାସ ପିଲାଟି ଦିନରୁ ହସ୍ତଶିଳ୍ପ ପ୍ରତି ଆଗ୍ରହୀ ଥିଲେ। ୧୯୯୪ ମସିହାରେ ସେ ଭୁବନେଶ୍ୱରରେ ହସ୍ତ ଓ କୁଟୀର ଶିଳ୍ପ ପାଇଁ ପ୍ରଶିକ୍ଷଣ ନେଇଥିଲେ। ପରେ ଅହମଦାବାଦସ୍ଥିତ ଏନ୍ଆଇଡି (ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍)ରେ ଡିଜାଇନ୍ ପାଠ ପଢ଼ିଲେ। ୨୦୦୪ ମସିହାରେ ସରୋଜିନୀ ଉତ୍ତରେଶ୍ୱରଠାରେ ବାଉଁଶ ଓ ବେତରେ ବିଭିନ୍ନ ପ୍ରକାର ଘର ଉପକରଣ ତଥା ସାଜସଜ୍ଜା ଓ ଅଳଙ୍କାର, ଯଥା; ଚୁଡ଼ି, କାନଫୁଲ, ସିନ୍ଥି, ହାର ପ୍ରଭୃତି ତିଆରି କରି ଆଦୃତି ଲାଭ କଲେ। ୨୦୧୦ ମସିହାରେ ଜମୁଝାଡ଼ିଠାରେ ‘ଶଶିପ୍ରଭା ହ୍ୟାଣ୍ଡିକ୍ରାଫ୍ଟ’ ନାମକ ଟ୍ରେନିଂ ସେଣ୍ଟର ଖୋଲିଲେ ଏବଂ ବାଉଁଶ ଓ ବେତରେ କିପରି ଘର ଉପକରଣ ତଥା ସାଜସଜ୍ଜା ଓ ଅଳଙ୍କାର ତିଆରି ହେବ, ସେନେଇ ୨୦୦ରୁ ଊର୍ଦ୍ଧ୍ବ ଯୁବକ, ଯୁବତୀ ଓ ମହିଳାଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଯେଉଁମାନଙ୍କ ମଧ୍ୟରୁ ଏବେ ୪୦ ଜଣରୁ ଅଧିକ ରୋଜଗାରକ୍ଷମ ହୋଇପାରିଛନ୍ତି।
ସରୋଜିନୀ ମଧ୍ୟ ନିଜେ ତିଆରି କରୁଥିବା ଘର ଉପକରଣ ତଥା ସାଜସଜ୍ଜା ଓ ଅଳଙ୍କାର ସ୍ଥାନୀୟ ବଜାରରେ ଏବଂ ଦେଶର ବିଭିନ୍ନ ମହୋତ୍ସବରେ ବିକ୍ରି କରି ଭଲ ରୋଜଗାର କରୁଛନ୍ତି। କେବଳ ସେତିକି ନୁହେଁ, ଅନେକ ହସ୍ତ ଓ କୁଟୀର ଶିଳ୍ପ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି। ଏଯାଏ ସେ ରାଜ୍ୟ ସରକାରଙ୍କଠାରୁ ବେଷ୍ଟ ଡିଜାଇନିଂ ପୁରସ୍କାର ସହ ଏମ୍ଏସ୍ଏମ୍ଇ ମହିଳା ଆତ୍ମନିର୍ଭରଶୀଳ ପୁରସ୍କାର, ଓଡ଼ିଶା ହେରିଟେଜ୍ ଆୱାର୍ଡ ଭଳି ଅନେକ ପୁରସ୍କାରର ଅଧିକାରୀ ହୋଇପାରିଛନ୍ତି। ତେବେ ଗର୍ବ ଓ ଗୌରବର କଥା ହେଲା, ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା ହସ୍ତଶିଳ୍ପ ଉନ୍ନୟନ ବିକାଶ ପରିଷଦରେ ସରୋଜିନୀଙ୍କୁ ଜଣେ ସଦସ୍ୟ ଭାବେ ମନୋନୀତ କରାଯାଇଛି।
ସରୋଜିନୀ ଭବିଷ୍ୟତରେ ଅଧିକରୁ ଅଧିକ ଯୁବକ, ଯୁବତୀ ଓ ମହିଳାଙ୍କୁ ହସ୍ତ ଓ କୁଟୀର ଶିଳ୍ପ ଶିକ୍ଷା ଦେବାକୁ ଚାହାନ୍ତି। ତେବେ ଏଥିପାଇଁ ସେ ସରକାରୀ ସହାୟତା ମିଳିବା ଜରୁରୀ ବୋଲି କହିଛନ୍ତି। ସମସ୍ତେ କିପରି ନିଜ ଗୋଡ଼ରେ ନିଜେ ଛିଡ଼ା ହେବେ ଏବଂ ଭଲ ଦି’ ପଇସା ରୋଜଗାର କାରି ସୁସ୍ଥ ଜୀବନ ଜିଇବେ, ଏହା ହିଁ ତାଙ୍କ ଇଚ୍ଛା। ଆଶା, ସରୋଜିନୀଙ୍କ ଇଚ୍ଛା ପୂରଣ ହେବ। ସେ ସଫଳତାର ଶିଡ଼ି ଚଢ଼ି ଚାଲିବା ସହ ଅନ୍ୟମାନଙ୍କୁ ସଫଳତାର ବାଟ ଦେଖାଉଥିବେ।