ଭୁବନେଶ୍ବର : ବ୍ୟବସ୍ଥାପକ, ନ୍ୟାୟପାଳିକା ଓ କାର୍ଯ୍ୟନିର୍ବାହୀ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାର ୩ଟି ପ୍ରମୁଖ ଅଙ୍ଗ। ଏଗୁଡ଼ିକ ପରସ୍ପରର ପରିପୂରକ। ପରସ୍ପର ମଧ୍ୟରେ ଠିକ୍ ସମନ୍ବୟ ରହିଥିଲେ ଗଣତନ୍ତ୍ର ମଜଭୁତ ହେବା ସହିତ ସାଧାରଣ ଜନତା ସୁଫଳ ପାଇପାରିବେ। ନାଗରିକ ଅଧିକାର, ସାମାଜିକ ନ୍ୟାୟ ଓ ସାମଗ୍ରିକ ବିକାଶ ହେଉଛି ସମ୍ବିଧାନର ମୂଳମନ୍ତ୍ର ବୋଲି ନ୍ୟାୟିକ ଶିକ୍ଷାନବିସଙ୍କ ପରିଚୟାତ୍ମକ ତାଲିମ କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଏହା କହିଛନ୍ତି ଉପ-ବାଚସ୍ପତି ରଜନୀକାନ୍ତ ସିଂହ।
ଶ୍ରୀ ସିଂହ ବିଧାନସଭାର କାର୍ଯ୍ୟବିଧି, ନୀତିନିୟମ, ବିଲ୍ ଓ ଅନ୍ୟାନ୍ୟ ସମ୍ବନ୍ଧରେ ନବାଗତମାନଙ୍କୁ ସୂଚନା ଦେଇଥିଲେ। ସାଧାରଣ ଲୋକଟିଏ କିଭଳି ଠିକ୍ ଓ ତ୍ବରିତ ନ୍ୟାୟ ପାଇପାରିବ ସେ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ବିଧାନସଭାର ବିବିଧ ପ୍ରଶ୍ନ, ବ୍ୟବସ୍ଥାପକ ଓ ନ୍ୟାୟପାଳିକା ମଧ୍ୟରେ ସଂପର୍କ, ବିଲ୍ କିପରି ଆଗତ ହୁଏ, ବିଭିନ୍ନ କମିଟିର କାର୍ଯ୍ୟକାରିତା ଓ ନେଭା ସଂପର୍କରେ ନବାଗତମାନଙ୍କୁ ଅବଗତ କରାଯାଇଥିଲା।
ବିଧାନସଭା ସଚିବ ଦାଶରଥୀ ଶତପଥୀ ସ୍ବାଗତ ଭାଷଣ ଦେଇଥିଲେ। ବିଧାନସଭା ନିର୍ଦେଶକ(ଗବେଷଣା) କୃପାସିନ୍ଧୁ ମିଶ୍ର, ଯୁଗ୍ମ ନିର୍ଦେଶକ(ଗବେଷଣା) ଶିବ ପ୍ରସାଦ ପଟ୍ଟନାୟକ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ପୂର୍ଣ୍ଣଚନ୍ଦ୍ର ଦଳେଇ, ଯୁଗ୍ମ ସଚିବ(ତର୍କ) ଦେବେନ୍ଦ୍ର ଦୋରା, ଓଏସ୍ଡି ବିଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଗବେଷଣା ଅଧିକାରୀ ପ୍ରଶାନ୍ତ ଦାସ ଧନ୍ୟବାଦ ଦେଇଥିଲେ।