ପୂର୍ବ ଭାରତର ସର୍ବବୃହତ ‌ବୈଷୟିକ ମହୋତ୍ସବ ‘ଇନୋଭିଜନ’ ଆରମ୍ଭ

ରାଉରକେଲା ଏନ୍‌ଆଇଟିରେ ୩ ଦିନ ଧରି ଚାଲିବ, ଯୋଗଦେଲେ ୩ ହଜାର ଛାତ୍ରଛାତ୍ରୀ

ରାଉରକେଲା: ପୂର୍ବ ଭାରତର ସର୍ବବୃହତ ‌ବୈଷୟିକ ମହୋତ୍ସବଭାବେ ପରିଚିତ ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ‘ଇନୋଭିଜନ’ ଆଜିଠାରୁ ଆରମ୍ଭ ହୋଇଯାଇଛି। ଅନୁଷ୍ଠାନର ଭୁବନେଶ୍ବର ବେହେରା ଅଡିଟୋରିୟମରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ନିର୍ଦ୍ଦେଶକ କେ. ଉମାମହେଶ୍ବର ରାଓ ଅଧ୍ୟକ୍ଷତା କରିଥିଲେ।

ମୁଖ୍ୟଅତିଥି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର କହିଲେ, ଏକ ଛୋଟ ଧାରଣା ହେଉପଛେ, ଏହା ସ୍ବତନ୍ତ୍ର ଭାବରେ ନିଜସ୍ବ ହେବା ଉଚିତ। ପ୍ରତ୍ୟେକ ନିଜ ନିଜ କଳ୍ପନା/ଧାରଣା ଉପରେ ଗର୍ବ କରନ୍ତୁ। ବିଭିନ୍ନ ସମୟରେ ସର୍ବୋତ୍ତମ ସମାଧାନ ସେହି ଲୋକମାନଙ୍କଠାରୁ ଆସିଥାଏ, ଯେଉଁମାନେ ସେମାନଙ୍କର ଧାରଣାର ମହତ୍ବ ବିଷୟରେ ଅବଗତ ନଥାନ୍ତି। ଏହାସହ ବିଶ୍ବ ସମ୍ମୁଖୀନ ହେଉଥିବା ପ୍ରକୃତ ସମସ୍ୟାର ସମାଧାନ ତଥା ଦେଶର ବିକାଶ ପାଇଁ ନୂଆ ବୈଜ୍ଞାନିକ ଉଦ୍ଭାବନ ମାଧ୍ୟମରେ ସମାଧାନ ଆଣିବାକୁ ଆହ୍ବାନ କରିଥିଲେ। ଅନୁଷ୍ଠାନର କୁଳସଚିବ ପ୍ରଫେସର ରୋହନ ଧୀମାନ, ଡିନ୍‌(ଛାତ୍ର କଲ୍ୟାଣ) ସିଦ୍ଧାର୍ଥ ଏସ୍‌. ଜେନା, ଷ୍ଟୁଡେଣ୍ଟ୍‌ ଆକ୍ଟିଭିଟି ସେଣ୍ଟର୍‌ ସଭାପତି ପ୍ରଫେସର ପୁନମ ସିଂହ ପ୍ରମୁଖ ମଞ୍ଚାସୀନ ଥିଲେ। ଉଲ୍ଲେଖଯୋଗ୍ୟ, ପ୍ରୋତ୍ସାହନ ଓ ପ୍ରଦର୍ଶନୀ ମାଧ୍ୟମରେ ସମକାଳୀନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିକଶିତ ହେଉଥିବା ନୂଆ ନୂଆ ପ୍ରସଙ୍ଗର ପ୍ରଚାର ଓ ପ୍ରସାର ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏଥିରେ ଦେଶର ବିଭିନ୍ନ ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନରୁ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି।

ଏତଦ୍‌ବ୍ୟତୀତ ଅନୁଷ୍ଠାନର ପ୍ରାୟ ୫ ହଜାର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ତିନି ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ବୈଷୟିକ, ସାଂସ୍କୃତିକ ତଥା ମନୋରଞ୍ଜନଧର୍ମୀ ସର୍ବମୋଟ୍‌ ୬୦ଟି ବିଭାଗରେ କାର୍ଯ୍ୟକ୍ରମ ଆୟୋଜିତ ହେବ। ବିଭିନ୍ନ କାର୍ଯ୍ୟକ୍ରମ, ଯଥା-ଡେଥ୍‌ରେସ୍‌, ମେନୁଏଭର୍‌, ମେଜ୍‌ହଣ୍ଟ୍‌, ଟାଇମଲେସ୍‌ ସାଗା, ଏରୋପ୍ରିକ୍ସ, ରୋବୋୱାର୍‌, ଟ୍ବିଷ୍ଟ୍‌-ଏ-ଟେଲ୍‌, ସେକ୍‌-ଇଟ୍‌-ଅଫ୍‌, ମେଟାଲର୍ଣ୍ଣିଂ, ଇଣ୍ଟେଲିଜେଣ୍ଟ୍‌ ଟ୍ରେଡର୍‌, କୋଡ୍‌ ଜୋନ୍‌, ଓମେଗା, ଷ୍ଟେଲାର୍‌ ନାଇଟ୍‌ ଆଦି ଅନୁଷ୍ଠିତ ହେବ। ଏହାସହ ରେଡିଆନ୍ସ, ଶ୍ରୀଜନ, କାର୍‌ ସୋ’, ଡ୍ରୋନ୍‌ ସୋ’ ଆଦି ପ୍ରଦର୍ଶିତ ହେବ। ଆମୋଦପ୍ରମୋଦ ଭିତ୍ତିକ କାର୍ଯ୍ୟକ୍ରମ, ଯଥା- ପ୍ରୋମ୍‌ ନାଇଟ୍‌, ଡାର୍ଟେନ୍‌, ମାଇ ବିଏଫ୍‌ଏଫ୍‌, ବ୍ରେନି ଏସ୍‌କେପ୍‌, ପେଣ୍ଟ୍‌ବଲ, ମେଲ୍‌ଟଡାଉନ, ହଟ୍‌ ହ୍ବିଲ୍‌ସ, ଏଆର୍‌ ରାଇଫଲ୍‌ସ ଅନୁଷ୍ଠିତ ହେବ। ଏହାସହ ବିଭିନ୍ନ କର୍ମଶାଳା ସମେତ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ, ଉଷା ରଙ୍ଗରାଜୁ, ଡ. ଗୋବିନ୍ଦ ବାହାରୀ, ଈଶାନ ଶର୍ମା, ସନ୍ଦୀପ ଜୈନ, ଅଭିଶେକ ନନ୍ଦୀ ଅତିଥି ବକ୍ତୃତା ପ୍ରଦାନ କରିବେ। ଏତଦ୍‌ବ୍ୟତୀତ ବିଭିନ୍ନ କ୍ଲବ ଦ୍ବାରା ସାଇକ୍ଲୋଥନ୍‌, ପୁରୁଣା ପୋଷାକ ସଂଗ୍ରହ, ଓପନ୍‌ ମାଇକ୍‌, ରୋଟାଅଲିମ୍ପିକ୍ସ, ଇ-ସ୍ପୋର୍ଟ‌୍ସ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଅନୁଷ୍ଠାନର ଷ୍ଟୁଟେଣ୍ଟ୍‌ ଆକ୍ଟିଭିଟି ସେଣ୍ଟର୍‌(ଏସ୍‌ଏସି) ଟେକ୍ନିକାଲ ସୋସାଇଟିର ଉପସଭାପତି ପ୍ରଫେସର କୌସ୍ତୁଭ ଚୌଧୁରୀ, ପ୍ରଫେସର ପ୍ରସୂନ ଚୋଙ୍ଗ୍‌ଡରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ପରିଚାଳନାରେ ଇନୋଭିଜନ୍‌ର ସଂଯୋଜକ କ୍ଷୀତିଶ କେ. ସାହୁ ଓ ଆଶୁତୋଷ ମିଶ୍ରଙ୍କ ସମେତ ବିଭିନ୍ନ କ୍ଳବର ସଦସ୍ୟ, ସଦସ୍ୟା ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି।

ସମ୍ବନ୍ଧିତ ଖବର