ଇନଭେଷ୍ଟ ଓଡ଼ିଶା ଲୋଗୋକୁ ନେଇ ବିବାଦ: ସରକାରଙ୍କୁ ହାଇକୋର୍ଟ ନୋଟିସ୍‌

କଟକ : ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ‘ଇନଭେଷ୍ଟ ଓଡ଼ିଶା’ କାର୍ଯ୍ୟକ୍ରମର ଲୋଗୋକୁ ନେଇ ରୁଜୁ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁରୀ ଜିଲ୍ଲା ବୀରଗୋବିନ୍ଦପୁରର ବାସିନ୍ଦା ଆଇନଜୀବୀ ଦେବନ୍‌ ସତ୍ୟଦର୍ଶୀ ନନ୍ଦଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ ଓ ଇପିକଲ ସିଏମଡିଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରୀଷ୍ମ ଅବକାଶ ପରେ ମାମଲାର ଶୁଣାଣି କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଦାୟର ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ଇନ୍‌ଭେଷ୍ଟ ଓଡ଼ିଶାର ଲୋଗୋରେ ଜଗନ୍ନାଥଙ୍କ ଆଖିକୁ ବ୍ୟବହାର କରାଯାଇଥିବା ସ୍ପଷ୍ଟ ହୋଇଛି। ଲୋଗୋରେ ବ୍ୟବହୃର ଇଂରାଜୀ ଅକ୍ଷର ’ଓ’କୁ ଏପରି ଚିତ୍ରଣ କରାଯାଇଛି ଯାହା ଜଗନ୍ନାଥଙ୍କ ଆଖିକୁ ବୁଝାଉଛି। ଏହା ଦ୍ୱାରା ତାଙ୍କ ଧାର୍ମିକ ଭାବନା ପ୍ରତି ଆଘାତ ଲାଗିଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର