କଲ୍ୟାଣ ମଣ୍ଡପ ନିର୍ମାଣ ନାଁରେ ଠିକାଦାର ପୋଷା; ଖର୍ଚ୍ଚ ହୋଇଛି ଦେଢ଼ କୋଟି, ୩ ବର୍ଷର ଆୟ ମାତ୍ର ୬ ଲକ୍ଷ

କିଛି ଜାଗା ଠିକାଦାରଙ୍କ ଷ୍ଟୋର ରୁମ୍

ରାଉରକେଲା (ମଳୟ ରଞ୍ଜନ ସାହୁ): ବିବାହ, ବ୍ରତ ଆଦି ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ମାର୍ଟ ସିଟିରେ ନିର୍ମାଣ ହୋଇଛି କଲ୍ୟାଣ ମଣ୍ଡପ ଓ ଭବନ। କିଛି ଘରୋଇ ସଂସ୍ଥାର । ଆଉ କିଛି ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର। ଆର୍‌ଏମ୍‌ସି ୱାର୍ଡ ନଂ -୬ର ଲେବର ଟେନାମେଣ୍ଟ, ୱାର୍ଡ ନଂ -୩୨ ଛେଣ୍ଡ କଲୋନିର ମଧୁସୂଦନ ଭବନ, କୋଏଲନଗର ତିନୋଟି କଲ୍ୟାଣ ମଣ୍ଡପ ରହିଛି। ନିର୍ମାଣ ବାବଦରେ ୫୮ ଲକ୍ଷରୁ ଆରମ୍ଭ କରି ଦେଢ଼ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇଛି। ଏତେ ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ ଘରୋର କଲ୍ୟାଣମଣ୍ଡପ ସହ ସମକ୍ଷମ ହୋଇ ପାରିନି।

ଘରୋଇ କଲ୍ୟାଣ ମଣ୍ଡପଗୁଡ଼ିକ ବର୍ଷକୁ ୨୦ରୁ ୩୦ ଲକ୍ଷ ଟଙ୍କା ରୋଜଗାର କରୁଥିଲା ବେଳେ ଆର୍‌ଏମ୍‌ସି କଲ୍ୟାଣ ମଣ୍ଡପରୁ ଆୟ ମାତ୍ର ଲକ୍ଷେରୁ ୫ ଲକ୍ଷ। ଆୟ କମ୍‌ ଥିବା ସତ୍ବେ ଗୋଟିଏ କଲ୍ୟାଣ ମଣ୍ଡପକୁ ପର୍ଯ୍ୟାୟ କ୍ରମେ ନିର୍ମାଣ କରି କେବଳ ଠିକାଦାର ପୋଷା ଯାଉଛି। ୱାର୍ଡ ନଂ -୬ ଲେବର ଟେନାମେଣ୍ଟ କଲ୍ୟାଣ ମଣ୍ଡପର ନିର୍ମାଣ କାମକୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡୁଛି।

ଗତ ୨୦୧୮ ନଭେମ୍ବର ୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲ୍ୟାଣ ମଣ୍ଡପକୁ ଲୋକାର୍ପିତ କରିଥିଲେ। ଉପସ୍ଥିତ ଥିଲେ ରାଜ୍ୟ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ରାଉରକେଲା ବିଧାୟକ ଦିଲୀପ ରାୟ, ତତ୍କାଳୀନ ଆର୍‌ଡିଏ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ସ୍ମାର୍ଟ ସିଟିର ତତ୍କାଳୀନ ମୁଖ୍ୟ ନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା। କଲ୍ୟାଣ ମଣ୍ଡପରେ ୨୦୧୯ରେ ମାତ୍ର ଲକ୍ଷେ ଟଙ୍କା ଆୟ ହୋଇଥିଲା।

୨୦୨୦ରେ ୨ ଲକ୍ଷ ୫୦ ହଜାର, ୨୦୨୧ ମାର୍ଚ୍ଚ ସୁସ୍ଥା ୨ଲକ୍ଷ ୫୦ ହଜାର ଏମିତି ଭାବେ ତିନି ବର୍ଷରେ ମାତ୍ର ୬ ଲକ୍ଷ ଟଙ୍କା ଆୟ ହୋଇଛି। କିନ୍ତୁ ବର୍ଷ ତମାମ ନିର୍ମାଣ କାମ ଦିଆଯାଇ ଠିକାଦାର ପୋଷା ଚାଲିଛି। କେତେବେଳେ ଡ୍ରେନ୍, ବିଦ୍ୟୁତ କରଣ କାମ ତ ପୁଣି ଅନ୍ୟ କେତେବେଳେ ରୋଷେଇ ଗୃହ ନିର୍ମାଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ସବୁଠୁ ଆଶ୍ଚର୍ଯ୍ୟ କଥା, ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ କାମ ଜଣେ କି ଦୁଇଜଣ ନୁହେଁ ତିନି ଠିକାଦାରଙ୍କୁ ଦିଆଯାଇଛି। ପ୍ରଥମ ଠିକାଦାରଙ୍କୁ ପର୍ଯ୍ୟାୟକ୍ରମେ ୪ ଥର, ଦ୍ବିତୀୟ ଠିକାଦାରଙ୍କୁ ୩ ଥର ଓ ତୃତୀୟ ଠିକାଦାରଙ୍କୁ ୨ ଥର ଏମିତି ମୋଟ ୯ ଥର କାମ ଦିଆଯାଇଛି।

କେବଳ ଏତିକି ନୁହେଁ କଲ୍ୟାଣ ମଣ୍ଡପର ବିଦ୍ୟୁତକରଣ କାମ ଅନ୍ୟ ଜଣେ ଠିକାଦାର କରିଛନ୍ତି। ୪ ଥର କାମ ପାଇଥିବା ଠିକାଦାରଙ୍କୁ ପ୍ରଥମେ ୨୮ ଲକ୍ଷ ୧୮ ହଜାର ୭୨୮ ଟଙ୍କା, ଦ୍ବିତୀୟ ଥର ୧୪ ଲକ୍ଷ ୨୯ ହଜାର ୫୭୭ ଟଙ୍କା, ତୃତୀୟ ଥର ୨୪ ଲକ୍ଷ ୧୬ ହଜାର ୧୧୨ ଟଙ୍କା, ଚତୁର୍ଥ ଥର ୧୯ ଲକ୍ଷ ୯୫ ହଜାର୫୩୪ ଟଙ୍କା ଦିଆଯାଇଛି। ତିନି ଥର କାମ ପାଇଥିବା ଠିକାଦାରଙ୍କୁ ପ୍ରଥମ ଥର ୧୦ ଲକ୍ଷ ୯୪ ହଜାର ୪୦ ଟଙ୍କା, ଦ୍ବିତୀୟ ଥର ୧୪ ଲକ୍ଷ ୯୦ ହଜାର୭୨୯ ଟଙ୍କା, ତୃତୀୟ ଥର ୫ ଲକ୍ଷ ୬୮ ହଜାର ୮୨୦ ଟଙ୍କା ମିଳିଥିଲା। ଦୁଇ ଥର କାମ ପାଇଥିବା ଠିକାଦାରଙ୍କୁ ପ୍ରଥମ ଥର ୧୬ ଲକ୍ଷ ୬୧ ହଜାର୭୪୧ ଟଙ୍କା, ଦ୍ବିତୀୟ ଥର ୫ ଲକ୍ଷ ୭୮ ହଜାର୯୪୦ ଟଙ୍କା ଦିଆଯାଇଥିଲା। ବିଦ୍ୟୁତ କରଣ ବାବଦରେ ଅନ୍ୟ ଜଣେ ଠିକାଦାରଙ୍କୁ ୯ ଲକ୍ଷ ୨୨ ହଜାର୧୫୯ ଟଙ୍କା ଏମିତି ମୋଟ ୧ କୋଟି ୪୯ ଲକ୍ଷ ୭୬ ହଜାର ୩୮୦ ଟଙ୍କା ଖର୍ଚ୍ଚ କରାଯାଇଛି।

ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣକୁ ଜଣେ କି ଦୁଇ ଜଣ ନୁହେଁ ତିନି ଠିକାଦାର କରିବା, ଜଣେ ଜଣେ ଠିକାଦାରଙ୍କୁ ୩ରୁ ୫ ଥର ଲେଖାଏଁ କାମ ଦେବା ପଛ ସମ୍ପୃ୍କ୍ତ ଜେଇ ଓ ବିଭାଗୀୟ ଅଧିକାରୀଙ୍କ ମନ୍ଦ ଉଦ୍ଦେଶ୍ୟ ରହିଛି ନିଶ୍ଚିତ। ନିମ୍ନମାନର କାମ ଯୋଗୁଁ କଲ୍ୟାଣ ମଣ୍ଡପ ଲୋକାର୍ପିତ ମାତ୍ର ଅଢ଼େଇ ବର୍ଷ ଭିତରେ ପଛ ପାର୍ଶ୍ବ କାନ୍ଥ ଫାଟି ଆଁ କରିଥିବାରୁ ବଡ ଧରଣ ଦୁର୍ନୀତି ଗନ୍ଧ ବାହାରୁଛି। ଆଉ କିଛି ଜାଗା ଏବେ ଠିକାଦାରଙ୍କ ଷ୍ଟୋର୍‌ ରୁମ୍‌। ଯେଉଁଠି ଗଚ୍ଛିତ ରହିଛି ସିମେଣ୍ଟ, ରଡ୍, ସହ ଅନ୍ୟାନ୍ୟ ଜିନିଷ। ସମ୍ପୃକ୍ତ ଜେଇ, ବିଭାଗୀୟ ଅଧିକାରୀ ଠିକାଦାରଙ୍କୁ ଦାଗିଦ କରିବା ପରିବର୍ତ୍ତେ ନୀରବ ଦ୍ରଷ୍ଟା ସାଜିଛନ୍ତି। ତେବେ କଲ୍ୟାଣ ମଣ୍ଡପ ନାଁରେ ବାହାରୁଥିବା ଦୁର୍ନୀତି ଗନ୍ଦର ତଦନ୍ତର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର