ଗ˚ଜାମରେ ଶହଶହ ପ୍ରଦୀପ, ତଦନ୍ତ କରି ଗିରଫ କରାଯାଉ: ବିଜେପି

ବ୍ରହ୍ମପୁର: ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀଙ୍କ ଛତ୍ରଛାୟାତଳେ ରହି ଦୀର୍ଘ ୨୦ବର୍ଷଧରି ଦୁର୍ନୀତି କରିଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି। ଏଥିସହ ଗ˚ଜାମରେ କେବଳ ଗୋଟିଏ ପ୍ରଦୀପ ନୁହଁ ଏହିଭଳି ଶହଶହ ପ୍ରଦୀପ ଅଛନ୍ତି, ଉପଯୁକ୍ତ ତଦନ୍ତ ଜରିଆରେ ସେମାନଙ୍କୁ ଚିହ୍ନଟ କରି ଗିରଫ କରିବାକୁ ଦାବି କରିଛି। ଜିଲ୍ଲା ବିଜେପି ପକ୍ଷରୁ ଆଜି ପୂର୍ବାହ୍ନରେ ଟାଟାବେଞ୍ଜ ଛକସ୍ଥିତ ହୋଟେଲ୍‌ କାମାସ୍‌ଇନ୍‌ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଛତ୍ରଛାୟାତଳେ ରହି ଦୁର୍ନୀତିର ଗନ୍ତାଘର ସାଜିଥିବା ଆଇଏଫ୍‌ଏସ ପାଠକ ପରିବାର ସହ ଭାଗୀଦାର ଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଏହି ସମ୍ମିଳନୀରେ ବିଜେପି ଦାବି କରିଛି।

ଏଥିସହ ଗୋପାଳପୁର ବିଧାୟକଙ୍କ ବିରୋଧରେ ଅନେକ ଅଭିଯୋଗ ବାଢ଼ିଛି। ଜିଲ୍ଲା ବିଜେପିର ଅଭିଯୋଗ ମୁତାବକ ଜମି, ମଦ, ବାଲି, ମୋରମ୍‌ ଓ ଟାଟା କମ୍ପାନିରେ ଚାକିରି ଦେବା ନାମରେ ବ୍ୟାପକ ଠକେଇ ଭଳି ବହୁ କଳାକାରନାମା ହଠାତ୍‌ ଗୋଟିଏ ଦିନରେ ନୁହଁ ଦୀର୍ଘ ୨୦ବର୍ଷର। ବର୍ଷ ବର୍ଷ ଧରି ଲୁଟିବାରେ ସଫଳ ହୋଇଥିଲେ ଗୋପାଳପୁର ବିଧାୟକ। ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ପ୍ରତିନିଧି ତଥା ଜିଲ୍ଲା ବିଜେଡି ସମ୍ଭାଳୁଥିବା ଦର୍ଶାଇ ଲୁଟ୍‌ତରାଜ କରୁଥିଲେ। ଏହା କାହା ଇଙ୍ଗିତରେ ହେଉଥିଲା ବୋଲି ବିଜେପି ପ୍ରଶ୍ନ କରିଛି। ଗୋଳାବନ୍ଧ ମଦ ମୃତ୍ୟୁରେ ବିଧାୟକ ପାଣିଗ୍ରାହୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିବା ବେଳେ ବିଭିନ୍ନ ମାଇକ୍ରୋ ଫାଇନାନ୍ସ ଓ ଚିଟ୍‌ଫଣ୍ତ ମୁଖ୍ୟଙ୍କ ସହ ବିଧାୟକଙ୍କ ସ˚ପୃକ୍ତି ରହିଛି। ୨୦୧୮ମସିହାରେ ଛତ୍ରପୁର ଠାରେ ଆୟୋଜିତ ଜାଗା ମିସନ୍‌ ସଭାରେ ଟାଟାର ମୁଖ୍ୟଙ୍କୁ ଡାକି ବିଧାୟକ ପାଣିଗ୍ରାହୀ ସେହିଦିନ ଠାରୁ କମ୍ପାନୀରେ ଚାକିରିଦେବା ନାମରେ ଲୋକଙ୍କୁ ଠକି ଚାଲିଛନ୍ତି। ଅଞ୍ଚଳବାସୀଙ୍କ ମନରେ ବିଶ୍ବାସ ଜମାଇ ଲୁଟ୍‌ କରିଚାଲିଥିଲେ ବୋଲି ଜିଲ୍ଲା ବିଜେପି ସଭାପତି ବିଭୁତିଭୂଷଣ ଜେନା ଅଭିଯୋଗ କରିଛନ୍ତି। କେବଳ ଗୋପାଳପୁର ନିର୍ବାଚନ ମଣ୍ତଳୀ ନୁହେଁ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ତଳୀରେ କୋଟି କୋଟି ଟଙ୍କାର ଜମି, ଘର, ଆପାର୍ଟମେଣ୍ଟ ରଖି ଭଡ଼ାରେ ଦେଉଛନ୍ତି।

ଜିଲ୍ଲାର କିଛି ନିର୍ବାଚିତ ପ୍ରତିନିଧିଙ୍କ ସହ ମଧ୍ୟ ବିଧାୟକ ପାଣିଗ୍ରାହୀଙ୍କ ସିଧାସଳଖ ଦୁର୍ନୀତିର ସମ୍ପର୍କ ରହିଛି। ତେଣୁ ସେଗୁଡିକୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ସରୋଜ ସାବତ, ବରିଷ୍ଠ ନେତା ଦେବରାଜ ମହାନ୍ତି, ନୀଳମଣି ବିଷୋୟୀ, ରଞ୍ଜନ ପୋଲେଇ, ପ୍ରଭାକର ପଣ୍ତା, ପ୍ରଭାତ ଷଡଙ୍ଗୀ, ମଦନ ଦଳେଇଙ୍କ ସମେତ ବହୁ ବିଜେପି ନେତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର