ଭୁବନେଶ୍ବର: ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍(ଓପିଜିସି) ଓ ଓଡ଼ିଶା କୋଲ ଏଣ୍ଡ ପାୱାର ଲିମିଟେଡ୍(ଓସିପିଏଲ୍) କୋଇଲା ଆବଣ୍ଟନ ଓ ବ୍ୟବହାରର ସମସ୍ତ ସର୍ତ୍ତ ଉଲ୍ଲଂଘନ କରିଛନ୍ତି। ମନୋହରପୁର, ଡିପ୍ ମନୋହରପୁରରୁ ନେଉଥିବା କୋଇଲାର ବ୍ୟାବସାୟିକ ବ୍ୟବହାର କରାଯିବ ନାହିଁ ଓ ଗଚ୍ଛିତ କୋଇଲା ବିଦ୍ୟୁତ୍ ଉତ୍ପାଦନ ଖର୍ଚ୍ଚ କମ୍ ରଖିବା ପାଇଁ ବ୍ୟବହାର ହେବ। ମାତ୍ର ଓପିଜିସି ଓ ଓସିପିଏଲ୍ ଏହାର ଉଲ୍ଲଂଘନ କରିଛନ୍ତି। କମ୍ପାନି କରୁଥିବା ଲାଭାଂଶକୁ ନିଜ ଓ ସରକାରଙ୍କ ଭିତରେ ଭାଗ କରି ନିଆଯାଉଛି। ଅନ୍ୟପଟରେ ଏବେ ଓପିଜିସିର ୪୯ ପ୍ରତିଶତ ଅଂଶଧନ ବିକ୍ରି ପାଇଁ ସରକାରୀ ଉଦ୍ୟମ ଆରମ୍ଭ ହୋଇଛି। ତେଣୁ ଅଂଶଧନ ବିକ୍ରି ପୂର୍ବରୁ ଏହାର ସମସ୍ତ ଉତ୍ପାଦନ ଓ ଖର୍ଚ୍ଚର ତଦନ୍ତ ଏଜି(ଆକାଉଣ୍ଟାଣ୍ଟ ଜେନେରାଲ)ଙ୍କ ଦ୍ବାରା କରାଯିବା ଲାଗି ଦାବି କରିଛି ରାଜ୍ୟ କଂଗ୍ରେସ।
ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ପଞ୍ଚାନନ କାନୁନ୍ଗୋ କହିଲେ, ୨୦୧୮ ମସିହା ଅଗଷ୍ଟ ୨୩ ତାରିଖରେ ମନୋହରପୁର, ଡିପ୍ ମ ନୋହରପୁର କୋଇଲା ବ୍ଲକ୍ ଆବଣ୍ଟନ ସମୟରେ ଏହାକୁ ବ୍ୟାବସାୟିକ ବ୍ୟବହାର ହେବନାହିଁ ବୋଲି କୁହାଯାଇଥିଲା। ଏହି ଦୁଇ କୋଇଲା ବ୍ଲକ୍ରୁ ଟନ୍ ପିଛା ଉତ୍ତୋଳନ ଖର୍ଚ୍ଚ ୪୫୦ ଟଙ୍କା ଥିବା ବେଳେ ଓସିପିଏଲ୍ କମ୍ପାନି ଓପିଜିସିଠାରୁ ଏଥିପାଇଁ ୭୮୦ ଟଙ୍କା ଦାବି କରୁଛି। ମାତ୍ର ଏହି ଦର କେନ୍ଦ୍ର ସରକାର ଅନ୍ୟ କ୍ଷେତ୍ର ପାଇଁ ଲାଗୁ କରିଛନ୍ତି। ଯଦି ଚୁକ୍ତି ଅନୁଯାୟୀ ଓପିଜିସିଠାରୁ ଉତ୍ତୋଳନ ଖର୍ଚ୍ଚ ୪୫୦ ଟଙ୍କା ନିଆଯାଇଥାନ୍ତା ତାହାଲେ ରାଜ୍ୟର ପ୍ରତ୍ୟେକ ଉପଭୋକ୍ତା ବର୍ତମାନ ୟୁନିଟ୍ ପିଛା ଯେତିକି ଦର ଦେଉଛନ୍ତି ତା’ଠାରୁ ୫୦-୫୬ ପଇସା କମ୍ ଦେଇଥାନ୍ତେ। ଏମିତିରେ ବି ଏହି ଦୁଇ କୋଇଲା ବ୍ଲକ୍ରେ ଯେତିକି କୋଇଲା ଗଚ୍ଛିତ ରହିଛି ତାହା ଆସନ୍ତା ୩୦ବର୍ଷ ପାଇଁ ବ୍ୟବହାର ହୋଇପାରିବ।
ଅପରପକ୍ଷରେ ଓପିଜିସି ଗତ ଡିସେମ୍ବର ଶେଷ ସୁଦ୍ଧା ୮୫୭ କୋଟି ଟଙ୍କା ଲାଭ କରିଥିବା ବେଳେ ଲାଭାଂଶକୁ ନିଜ ସହଯୋଗୀମାନଙ୍କ ମଧ୍ୟ ବାଣ୍ଟି ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ମଧ୍ୟ ଅର୍ଥ ଦେଇଛି। ଓପିଜିସି, ଓସିପିଏଲ୍ ସର୍ତ୍ତ ଉଲ୍ଲଂଘନ କରି ଲାଭାଂଶକୁ ନିଜ ଭିତରେ ବାଣ୍ଟି ଦେଉଛନ୍ତି। ଆଗକୁ ଓପିଜିସିର ୪୯ ପ୍ରତିଶତ ବିକ୍ରି କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଥିରେ ଆଦାନୀ, ଅମ୍ବାନି, ଟାଟା, ବେଦାନ୍ତ ଭଳି କମ୍ପାନି ଏହା ଟେଣ୍ଡର ପ୍ରକ୍ରିୟାକୁ ଆସିଛନ୍ତି। ଏସବୁ କମ୍ପାନିମାନଙ୍କର ଆଖି ସିଧାସଳଖ ଏହି ଦୁଇ କୋଇଲା ଖଣି ଉପରେ ରହିଛି। ଯାହାଫଳରେ ଯେଉଁ କୋଇଲା ବ୍ଲକ୍ ଘରୋଇ କ୍ଷେତ୍ର ପାଇଁ ବ୍ୟବହାର ହେବନାହିଁ ବୋଲି ପୂର୍ବରୁ ସର୍ତ୍ତ ରହିଥିଲା ତାହା ଘରୋଇ ହାତକୁ ଚାଲିଯିବ। ତେଣୁ ଓପିଜିସିର ଅଂଶଧନ ବିକ୍ରି କରିବା ପୂର୍ବରୁ ଏଜି ଏହାର ତଦନ୍ତ କରନ୍ତୁ। ଏଜିଙ୍କ ତଦନ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରାଯାଉ। ଯାହାଫଳରେ ରାଜ୍ୟବାସୀ ଏହା ବିଷୟରେ ସଂପୂର୍ଣ୍ଣ ତଥ୍ୟ ପାଇପାରିବେ ବୋଲି ଶ୍ରୀ କାନୁନ୍ଗୋ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ କିଶୋର ଜେନା ଓ ମନୋରଂଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/opgc-1.jpg)
