ଭୁବନେଶ୍ବର: ହତ୍ୟା ମାମଲା ଗୁଡ଼ିକର ସିବିଆଇ ତଦନ୍ତ କରାଯାଉ। ନଚେତ ଆମକୁ ଲୋକସେବା ଭବନ ସମ୍ମୁଖରେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଆଯାଉ। ନ୍ୟାୟ ନ ପାଇବା ପରେ କଟକ ମାହାଙ୍ଗା ଦୀପ୍ତିକାନ୍ତ ସାହୁଙ୍କୁ ହତ୍ୟା‌ ଠାରୁ ଆରମ୍ଭ କରି ଜଗତସିଂହପୁର ଜିଲ୍ଲାର ଇଂଜିନିୟର ଅମୃତ ଦାଶ, ନୟାଗଡ଼ କୁନିଝିଅ ପରୀ, ବଡ଼ଗଡ଼ ହାଜତରେ ଗୋବିନ୍ଦ କୁମ୍ଭାର, ଗଞ୍ଜାମର ଗଣେଶ ଡାକୁଆ, କେନ୍ଦ୍ରାପଡ଼ାର ସୂଚନା ଅଧିକାର କର୍ମୀ ରଞ୍ଜନ ଦାସ, ଯାଜପୁରର ପିହୁ, ବୌଦ୍ଧ ଜିଲ୍ଲାର ସମାଜସେବୀ ଆଦିତ୍ୟ ଦାସ, ମୟୂରଭଂଜର ଅକ୍ଷୟ ପୋଥାଳଙ୍କ ଭଳି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଟିଥିବା ୨୧ଟି ହତ୍ୟାକାଣ୍ଡର ପୀଡ଼ିତ ପରିବାର ଆଜି ଜୟଦେବ ଭବନ ସମ୍ମୁଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଗୁହାରି କରିଛନ୍ତି।

Advertisment

ସେମାନେ କହିଛନ୍ତି ଯେ, ଶାସକ ଦଳର ମନ୍ତ୍ରୀ, ବିଧାୟକ ଏବଂ ତୁଙ୍ଗ ନେତାଙ୍କ ଇଙ୍ଗିତରେ ହତ୍ୟାକାଣ୍ଡଗୁଡ଼ିକ ଘଟିଛି। ଚାପ ଯୋଗୁଁ ଘଟଣାର ତଦନ୍ତରେ ବାଧା ସୃଷ୍ଟି ହୋଇଛି। ପୁଲିସ ମନ୍ତ୍ରୀ, ବିଧାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ କରୁଛି। ତେଣୁ ଘଟଣାର ସିବିଆଇ ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ନଚେତ ଆମକୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଆଯାଉ। ଏଥିପାଇଁ ଆମେ ଗତ ୨୯ ତାରିଖରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲୁ।

ତେବେ ଘଟଣାର ପୁନଃ ତଦନ୍ତ କରି ପୀଡ଼ିତ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ରାଷ୍ଟ୍ରପତିଙ୍କ ଭବନରୁ ମୁଖ୍ୟ ଶାସନ ସଚିବଙ୍କୁ ଗତକାଲି ଅର୍ଥାତ ସୋମବାର ନିର୍ଦେଶ ଆସିଛି ବୋଲି ପୀଡ଼ିତ ପରିବାର କହିଛନ୍ତି। ଏହା ସତ୍ତ୍ବେ ଯଦି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ୨୧ ପରିବାର ଦିଲ୍ଲୀ ସ୍ଥିତ ସଂସଦ ଭବନ ସମ୍ମୁଖରେ ନ୍ୟାୟ ପାଇବା ପର୍ଯ୍ୟନ୍ତ ଅହୋରାତ୍ର ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବିକାଶ ପରିଷଦର ପକ୍ଷରୁ ଅଧ୍ୟକ୍ଷ ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ବରେ ସୁବ୍ରତ ଦାଶ, ଦିଲ୍ଲୀପ ସାହୁଙ୍କ ସମେତ ୨୧ ପୀଡ଼ିତ ପରିବାର ଉପସ୍ଥିତ ଥିଲେ।