ରାଉରକେଲା: ବହୁଚର୍ଚ୍ଚିତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ଦୁଇ ସପ୍ତାହ ବିତିଲାଣି; କିନ୍ତୁ ଏଯାଏ ଘଟଣାର ପ୍ରକୃତ ସତ୍ୟ ଲୋକଲୋଚନକୁ ଆସିପାରିନି। ସୁସ୍ମିତା ଆତ୍ମହତ୍ୟା କରିଥିବା ପୁଲିସ କହୁଥିବାବେଳେ ଏହାକୁ କିନ୍ତୁ ପରିବାରବର୍ଗ, ସମ୍ପର୍କୀୟ ଗ୍ରହଣ କରୁନାହାନ୍ତି। ସୁସ୍ମିତାଙ୍କୁ ନ୍ୟାୟ ଦେବାକୁ ସିବିଆଇ ତଦନ୍ତ ଦାବି ହେଉଛି। ଅପରପକ୍ଷରେ ଜଣେ ଅତିରିକ୍ତ ଏସ୍‌ପି ରୢାଙ୍କ୍‌ଧାରୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଥା ମାନବାଧିକାରୀ ସୁରକ୍ଷା ସେଲ୍‌(ଏଚ୍‌ଆର୍‌ପିସି) ଡିଏସ୍‌ପି ବନୀତା ମାଝୀଙ୍କ ନେତୃତ୍ବରେ ତଦନ୍ତ ଜାରି ରହିଛି। ଏହି ତଦନ୍ତକାରୀ ଦଳରେ ୩ ଜଣ ସବ୍‌ଇନ୍ସପେକ୍ଟର, ଜଣେ ଆଇଟି ଏକ୍ସପର୍ଟ ସାମିଲ ଅଛନ୍ତି।

Advertisment

ଡିଏସ୍‌ପି ମାଝୀଙ୍କ ସହିତ ତଦନ୍ତକାରୀ ଦଳ ଆଜି ପୂର୍ବାହ୍ନରେ ସୁସ୍ମିତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ, ଅର୍ଥାତ ସେନସରୀ ପାର୍କରେ ପହଞ୍ଚିଥିଲେ। ପାର୍କ ଭିତରେ ଥିବା ପୋଖରୀର ଗଭୀରତା ମାପିଥିଲେ। ପାଣି ଭିତରେ ପ୍ରମାଣ ଖୋଜିଥିଲେ। ପ୍ରାୟ ୪୦ ମିନିଟ୍‌ ଧରି ଏହି ତଦନ୍ତ ପ୍ରକ୍ରିୟା ଚାଲିଥିଲା। ତଦନ୍ତକାରୀ ଦଳ ସହ ଅଗ୍ନିଶମ ବିଭାଗ କର୍ମଚାରୀ, ଫରେନ୍ସିକ ଟିମ୍‌ ସାମିଲ ଥିଲେ। ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଥିଲା। ଏହାପୂର୍ବରୁ ତଦନ୍ତକାରୀ ଦଳ ସୁସ୍ମିତା ରହୁଥିବା ରାଧିକା ରିଜେନ୍ସିର ହୋଟେଲ୍‌ର ରୁମ୍‌ ନଂ ୨୦୧ରେ ପହଞ୍ଚି ଛାନ୍‌ଭିନ କରିଥିଲେ। ତନ୍ନତନ୍ନ କରି ରୁମ୍‌ ଭିତରେ ଯାଞ୍ଚ କରାଯାଇଥିଲା। ପରେ ହୋଟେଲର ସମସ୍ତ ସିସିଟିଭ୍‌ ଫୁଟେଜ୍‌ ଯାଞ୍ଚ କରାଯାଇଥିଲା। ଏମିତିକି ହୋଟେଲ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ ତଦନ୍ତକାରୀ ଦଳ। ପରେ ନିରପେକ୍ଷ ତଦନ୍ତ ପାଇଁ ରୁମ୍‌ ନଂ-୨୦୧କୁ ସିଲ୍‌ କରିଦିଆଯାଇଛି। ଆବଶ୍ୟକସ୍ଥଳେ ପୁନର୍ବାର ଯାଞ୍ଚ ପାଇଁ ତଦନ୍ତକାରୀ ଦଳ ଉକ୍ତ ହୋଟେଲ ରୁମ୍‌ରେ ପହଞ୍ଚିବେ ବୋଲି ଜଣାପଡ଼ିଛି। ଏତଦ୍‌ବ୍ୟତୀତ ଏହି ଘଟଣାର ସମସ୍ତ ନଥିପତ୍ର ତଦନ୍ତକାରୀ ଦଳ ନିଜ ଅକ୍ତିଆରକୁ ନେଇ ସାରିଛନ୍ତି। ଉଦିତନଗର ଥାନାରେ ପରିବାରବର୍ଗ ପକ୍ଷରୁ ଦିଆଯାଇଥିବା ନିଖୋଜ ଏତଲା, ହୋଟେଲକୁ ଯାଇ ସୁସ୍ମିତାଙ୍କ ସହ ଉଦିତନଗର ପୁଲିସର ବାର୍ତ୍ତାଳାପ, କାହିଁକି ସୁସ୍ମିତା ଘରକୁ ଯିବା ଅମଙ୍ଗ ହେଉଥିଲେ, ହୋଟେଲର ସିସିଟିଭି ଫୁଟେଜ୍‌ ଆଦି ସମସ୍ତ ତଥ୍ୟ ତଦନ୍ତକାରୀ ଦଳର ହସ୍ତଗତ ହୋଇଛି। ତଦନ୍ତ ପ୍ରକ୍ରିୟା ନେଇ ତଦନ୍ତକାରୀ ଅଧିକାରୀ ବନୀତା ମାଝୀ କହିଛନ୍ତି, ଏହି ସ୍ପର୍ଶକାତର ଘଟଣାରେ ସବୁ ଦିଗକୁ ତର୍ଜମା କରାଯାଉଛି। ଖୁବଶୀଘ୍ର ତଦନ୍ତ ପ୍ରକ୍ରିୟା ସମ୍ପନ୍ନ ହେବ।

publive-image

ଜିଲ୍ଲାପାଳଙ୍କୁ ତଦନ୍ତ ପରସରଭୁକ୍ତ କରାଯାଉ: ମହିଳା କଂଗ୍ରେସ
ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ କରାଯାଉ। ଏହାସହ ଏହି ମାମଲାରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମହିଳା କଂଗ୍ରେସ ଦାବି କରିଛି। ଏନେଇ ଆଜି ମହିଳା କଂଗ୍ରେସ ସଭାନେତ୍ରୀ ନିରୂପମା ବଳବିୟାରସିଂହଙ୍କ ନେତୃତ୍ବରେ ପାନପୋଷ ଛକରେ ବିକ୍ଷୋଭ ପ୍ରଦର୍ଶନ ସହ ମୁହଁରେ କଳାପଟି ପିନ୍ଧି ଗଣଧାରଣା ଦେଇଥିଲେ। କର୍ମକର୍ତ୍ତା କହିଲେ, ସୁସ୍ମିତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ପରିବାରବର୍ଗ ଅଭିଯୋଗ ଆଣିଛନ୍ତି। ଏହି ମାମଲାରେ ପରିବାରବର୍ଗ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଗୁରୁଣ୍ଡିଆ ଗୋଷ୍ଠି ଉନ୍ନୟନ ଅଧିକାରୀ, ଗୁରୁଣ୍ଡିଆ ସିଡିପିଓଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ମାମଲା ରୁଜୁ ନ କରିବା ପରିତାପର ବିଷୟ। ବାସ୍ତବରେ ଏହି ହାଇପ୍ରୋଫାଇଲ୍‌ ହତ୍ୟାକାଣ୍ଡରେ ଅଭିଯୁକ୍ତମାନଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ହିଁ ତଦନ୍ତ ପ୍ରକ୍ରିୟା ଠିକ୍‌ ଢ଼ଙ୍ଗରେ ହେଉଛି। ଏଣୁ ସୁସ୍ମିତାଙ୍କୁ ନ୍ୟାୟ ଦେବାକୁ ଘଟଣାର ସିବିଆଇ ତଦନ୍ତ ଓ ଜିଲ୍ଲାପାଳଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଥିଲେ। ଦାବି ପୂରଣ ନ ହେଲେ ବ୍ୟାପକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ। କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଜନାର୍ଦ୍ଦନ ଦେହୁରୀ, ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ଦେବବ୍ରତ ବିହାରୀ, ବରିଷ୍ଠ ନେତା ପ୍ରଭାତ ମହାପାତ୍ର, ପ୍ରବୋଧ ଦାସ, ସୁନ୍ଦରଗଡ଼ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସରୋଜିନୀ ବାଙ୍କ୍ରା, ପ୍ରଭାତି ମିଶ୍ର, ଦେବସ୍ମିତା ସାମଲ, ଇଜାଜ ଅଖତର୍‌, ସରସ୍ବତୀ ଭୂମିଜ, ଶିବୁ ଦୀପ, ବିସ୍ମୟ ଦାସ, ରଶ୍ମୀରଞ୍ଜନ ପାଢ଼ୀ, ବାଦଲ ଶ୍ରୀଚନ୍ଦନ, ସବୀର ହୁସେନ, ପ୍ରଫୁଲ୍ଲ ପରିଜା, ଆଦେଶ ସୁନା ପ୍ରମୁଖ ଉପସ୍ଥିତ ଥିଲେ।