ଘଡ଼ିଆଳ ଛୁଆ ଉଭାନ୍‌ ପରେ ତନାଘନା

ଅନୁଗୁଳ : ମହାନଦୀ କୂଳରେ ଦୃଶ୍ୟମାନ ହେଉଥିବା ବିଲୁପ୍ତପ୍ରାୟ ଘଡ଼ିଆଳ ଛୁଆ ଉଭାନ। ମାତ୍ର ମାସେ ଭିତରେ ସାତକୋଶିଆ ବନଖଣ୍ଡର ବଳଦମରାଠାରେ ଏହି ୨୮ଟି ଯାକ ଛୁଆ ଆଉ ଦୃଶ୍ୟମାନ ହେଉ ନାହାନ୍ତି। ଏନେଇ ‘ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ଆଜି ଭୁବନେଶ୍ବରରୁ ପିସିସିଏଫ୍‌(ୱାଇଲ୍‌ଡ୍‌ ଲାଇଫ୍‌) ଶଶୀ ପଲ୍‌ ସାତକୋଶିଆରେ ପହଂଚି ଘଡ଼ିଆଳ ଶାବକମାନଙ୍କ ଜନ୍ମସ୍ଥାନକୁ ଯାଇ ସ୍ଥିତି ପରଖିଛନ୍ତି। ଏ ଘଡ଼ିଆଳ ଛୁଆମାନେ କେତେ ଦିନ ଯାଏ ଦୃଶ୍ୟମାନ ହେଉଥିଲେ, କେବେଠାରୁ କ୍ୟାମେରା ଲେନ୍ସରୁ ଉଭାନ ହେଲେ ସେନେଇ ବିଭାଗୀୟ କର୍ମଚାରୀମାନଙ୍କୁ ପଚରାଉଚରା କରିଛନ୍ତି। କେବଳ ସେତିକି ନୁହେଁ, ପ୍ରକୃତି କୋଳରେ ଏ ଛୁଆମାନେ ଏବେ କେମିତି ଓ କେଉଁଠି ଅଛନ୍ତି, ସେମାନଙ୍କୁ କେମିତି ସୁରକ୍ଷା ଦିଆଯାଇପାରିବ ସେନେଇ ମଧ୍ୟ ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପରାଜ୍‌ କରାଟଙ୍କ ସହିତ ଆଲୋଚନା କରି ଫେରିଥିବା ଜଣାପଡ଼ିଛି।

ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପରାଜ୍‌ କରାଟଙ୍କ କହିବା ମୁତାବକ, ଏ ଘଡ଼ିଆଳ ଛୁଆ ପ୍ରକୃତିରେ ଯେଉଁଠି ବି ଥାନ୍ତୁ, ସେମାନଙ୍କୁ ଯେମିତି କୌଣସି ପ୍ରକାର ମନୁଷ୍ୟକୃତ ଆଘାତ ନ ଲାଗେ ସେଥିପାଇଁ ଯାହା କିଛି ସୁରକ୍ଷା ବ୍ୟବସ୍ଥା ଲୋଡ଼ା ସବୁ କରିବାକୁ ପିସିସିଏଫ୍‌ ଶ୍ରୀ ପଲ୍ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ଶାବକଗୁଡ଼ିକ ମହାନଦୀ ଗର୍ଭକୁ ଚାଲିଗଲେଣି। ସେହି ଛୁଆଙ୍କୁ ଠାବ କରିବା ପାଇଁ ସାତକୋଶିଆ ବନଖଣ୍ଡର ଚାରୋଟି ଟିମ୍‌ ବର୍ତ୍ତମାନ ସକାଳ, ସଞ୍ଜରେ ଗଣ୍ଡରେ ନଜର ରଖୁଛନ୍ତି। ତା ଛଡ଼ା ଏ ଛୁଆମାନଙ୍କ ପାଇଁ ବଡ଼ ବିପଦ ହେଲା ମାଛମରା। ମହାନଦୀ କୂଳରେ ଥିବା ମାଛମରା ଜାଗାଗୁଡ଼ିକ ଉପରେ ନଜର ରଖାଯାଇଛି। କୌଣସି ପ୍ରକାରେ ଜାଲ୍‌ ଭିତରକୁ ଏ ଛୁଆଗୁଡ଼ିକ ଆସିଲେ ଯେପରି କ୍ଷତିଗ୍ରସ୍ତ ନ ହୁଅନ୍ତି ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଉଛି। ଆଗକୁ ନଦୀ ବଢ଼ି ଆସୁଛି। ଏ ସମୟରେ ନଦୀ ସ୍ରୋତକୁ ଏଡ଼ାଇବା ପାଇଁ ଛୁଆଗୁଡ଼ିକ ବିଭିନ୍ନ ନାଳ ଭିତରକୁ ପ୍ରବେଶ କରି ପାରନ୍ତି। ମହାନଦୀ ସହିତ ଯୋଡ଼ି ହୋଇଥିବା ନାଳଗୁଡ଼ିକୁ ଆମେ ଚିହ୍ନଟ କରିଛୁ। ପ୍ରତିଟି ନାଳରେ ସୁରକ୍ଷା ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ କରାଟ ‘ସମ୍ବାଦକୁ କହିଛନ୍ତି। ମହାନଦୀକୂଳିଆ ଗାଁରେ ସଚେତନତା ସୃଷ୍ଟି କରାଯାଉଛି। ବନ୍ୟା ସମୟରେ ଯଦି କୌଣସି ଘଡ଼ିଆଳ ଛୁଆ ମାଛଜାଲରୁ ଉଦ୍ଧାର ହୁଏ, ସାମୟିକ ସୁରକ୍ଷା ପାଇଁ ଛୋଟ ଛୋଟ ଘଡ଼ିଆଳଙ୍କ ପାଇଁ ଜଳାଶୟ ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ଶ୍ରୀ କରାଟ୍‌ କହିଛନ୍ତି।

ସମ୍ବନ୍ଧିତ ଖବର