ସନ୍ଦେହ ପରିସର ବଢ଼ିଲା : ବିଜୟଙ୍କ ବିରୋଧରେ ସରକାରୀ ତନାଘନା

ତଦନ୍ତ କମିଟି ବୈଠକରେ ବଡ଼ ନିଷ୍ପତ୍ତି
ଅଗ୍ନିଶମ ବିଭାଗର ଫାଇଲ ଯାଞ୍ଚ ଆରମ୍ଭ
ଦାୟିତ୍ବରେ ଥିବା ଅଧିକାରୀଙ୍କୁ ହଟାଗଲା

ଭୁବନେଶ୍ବର : ଗତକାଲି ପୁଲିସ ମହାନିର୍ଦେଶକ ପଦରୁ ରାତି ଅଧିଆ ତଥା ଅତ୍ୟନ୍ତ ଅପମାନଜନକ ଭାବେ ବିଜୟ ଶର୍ମାଙ୍କୁ ବିଦା କରିବା ପରେ ରାଜ୍ୟ ସରକାର ଚୁପ୍ ବସିନାହାନ୍ତି। ଆଜି ଗୋଟିଏ ପଟେ ଅନ୍ତରୀଣ ପୁଲିସ ମହାନିର୍ଦେଶକ ଓ ଗୁଇନ୍ଦା ନିର୍ଦେଶକ ଭାବେ ବରିଷ୍ଠ ଆଇପିଏସ୍ ଅଧିକାରୀ ସତ୍ୟଜିତ ମହାନ୍ତି କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଅନ୍ୟପଟରେ ରାଜ୍ୟ ସରକାର ଅଗ୍ନିଶମ ବିଭାଗରେ ଯେଉଁ ଅନିୟମିତତାର ଗନ୍ଧ ବାରିଛନ୍ତି, ସେ ସଂକ୍ରାନ୍ତ ତଦନ୍ତ ପରିସରକୁ ବଢ଼ାଇ ଦେଇଛନ୍ତି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ଖବର ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଠନ କରିଥିବା ତିନି ଜଣିଆ ଉଚ୍ଚସ୍ତରୀୟ କମିଟିର ବୈଠକ ଆଜି ବସିଥିଲା। ଏଥିରେ ତଦନ୍ତ ପରିସରର ସୀମା ନିର୍ଧାରଣ କରାଯାଇଛି। କେବଳ ସେତିକି ନୁହେଁ, ଆଉ ଦି’ ପାଦ ଆଗକୁ ଯାଇ ସରକାର ଓଡ଼ିଶା ଅଗ୍ନିଶମ ବିପର୍ଯ୍ୟୟ ମୁକାବିଲା ନିର୍ଦେଶକ ତଥା ମୁଖ୍ୟ ଆଗ୍ନିକ ମହେଶ୍ବର ସ୍ବାଇଁଙ୍କ ହାତରୁ ଅଗ୍ନି ନିରୋଧ ଶାଖାକୁ କାଢ଼ି ନେଇଛନ୍ତି। ଏବେ ସେ କେବଳ ଓଡ଼ିଶା ଅଗ୍ନିଶମ ବିପର୍ଯ୍ୟୟ ମୁକାବିଲା ନିର୍ଦେଶକ ଭାବେ କାର୍ଯ୍ୟ କରିବେ।

ସେହିଭଳି କଟକରେ ଅଗ୍ନିଶମ ନିରୋଧ ଶାଖା କଥା ବୁଝୁଥିବା ଉପ ଆଗ୍ନିକ ଅରୁଣ ଷଡ଼ଙ୍ଗୀଙ୍କୁ ଭବାନୀପାଟଣା ବଦଳି କରାଯାଇଛି।

ଯେଉଁ ସମୟରେ ବରିଷ୍ଠ ଆଇପିଏସ୍ ଅଫିସର ବିଜୟ ଶର୍ମା ନିୟମିତ ବା ପୂର୍ଣ୍ଣକାଳୀନ ଡିଜି ଭାବେ ନିଯୁକ୍ତି ପାଇବା କଥା ବୋଲି ଆଶା କରାଯାଉଥିଲା, ଠିକ୍ ସେହି ସମୟରେ ରାଜ୍ୟ ସରକାର ତାଙ୍କୁ ଅତ୍ୟନ୍ତ କଠୋର ଦଣ୍ଡରେ ଦଣ୍ଡିତ କରିଛନ୍ତି। ପୁଲିସ ମହାନିର୍ଦେଶକ ପଦରୁ ବିଦା କରିବା ସହିତ ଶ୍ରୀ ଶର୍ମାଙ୍କୁ ରାଜ୍ୟ ସରକାର ଅନିୟମିତତା ଜାଲରେ ଛନ୍ଦି ଦେଇଛନ୍ତି। ଏମିତି ଯେ ଗୋଟିଏ ଦିନରେ ତାଙ୍କର ଭାଗ୍ୟ ଗୃହ ବିଭାଗ ଭିତରେ ମୋଡି଼ ମକଚି ଦିଆଯାଇଛି। ଅଗ୍ନିଶମ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଅତି ସାଂଘାତିକ ଅନିୟମିତତା ଅଭିଯୋଗରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିରୋଧରେ କମିଟି ଗଠନ କରିଥିଲେ। ଘଟଣାର ଗମ୍ଭୀରତା ଉପଲବ୍ଧି କରି ୨୪ ଘଣ୍ଟା ଭିତରେ କମିଟିର ପ୍ରଥମ ବୈଠକ ବସିଥିବା ସୂଚନା ମିଳିଛି।

ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନର ଓ ଗୃହ ବିଭାଗର ପ୍ରମୁଖ ସଚିବଙ୍କୁ ନେଇ ବସିଥିବା ଏହି ବୈଠକରେ ଦୀର୍ଘ ଆଲୋଚନା ହୋଇଥିଲା।

ନିଷ୍ପତ୍ତି ହୋଇଛି, ବିଜୟ ଶର୍ମା ଅଗ୍ନିଶମ ମୁଖିଆ ଭାବେ କାର୍ଯ୍ୟ କରିବା ଦିନଠାରୁ ଏପର୍ଯ୍ୟନ୍ତ ପ୍ରମାଣ ପତ୍ର ଆବେଦନ ପାଇଁ ଯେଉଁମାନେ ଆବେଦନ କରିଛନ୍ତି ଓ ଯେଉଁମାନଙ୍କୁ ପ୍ରମାଣ ପତ୍ର ଦିଆଯାଇଛି, ଏସବୁକୁ ତଦନ୍ତ ପରିସରଭୁକ୍ତ କରାଯିବ। କେଉଁ କେଉଁ ସଂସ୍ଥା କେବେ ଆବେଦନ କରିଥିଲେ, କାହା ପାଖରେ ଏହି ଫାଇଲେ କେତେ ଦିନ ରହିଛି, କିଏ କଣ ମନ୍ତବ୍ୟ ଦେଇଛନ୍ତି, କେଉଁ ପରିସ୍ଥିତିରେ ପୁଣି ସେହି ଫାଇଲକୁ ମଞ୍ଜୁରି ମିଳିଛି, ଏସବୁକୁ ଯାଞ୍ଚ କରିବ କମିଟି। ସେହିଭଳି ପଛରେ ଆସି ଆଗ ଅନୁମୋଦନ ଲାଭ କରିବା ଫାଇଲ ବି ଖୋଲାଯିବ। କେତେ ଆବେଦନ ପତ୍ର ଉପରେ ଆଦୌ ପଦକ୍ଷେପ ନିଆଯାଇନାହିଁ, ସେସବୁ ଅନୁଧ୍ୟାନ ହେବ। ଆବଶ୍ୟକସ୍ଥଳେ ଶ୍ରୀ ଶର୍ମାଙ୍କୁ କମିଟି ଡାକି ପଚରାଉଚରା କରିବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ।

ମଙ୍ଗଳବାର ରାଜ୍ୟ ସରକାର ଅଗ୍ନିଶମ ଡିଜିଙ୍କ ହାତରୁ ପ୍ରମାଣପତ୍ର ପ୍ରଦାନ କ୍ଷମତା ପ୍ରତ୍ୟାହାର କରିନେଇ ତଳିଆ ଅଧିକାରୀଙ୍କ ହାତରେ ସମର୍ପିଥିଲେ। ଏବେ ସରକାର ବିଶ୍ବାସ କରୁଛନ୍ତି ଯେ ଏହି ଅନିୟମିତତା ଜାଲରେ ଆହୁରି ଅନେକ ଛନ୍ଦି ହୋଇ ରହିଛନ୍ତି। ଏଣୁ ଆଜି ପ୍ରଥମ ପଦକ୍ଷେପ ସ୍ବରୂପ, ଓଡ଼ିଶା ଅଗ୍ନିଶମ ବିପର୍ଯ୍ୟୟ ମୁକାବିଲା ନିର୍ଦେଶକ ତଥା ଚିଫ୍ ଫାୟାର ଅଫିସର ଥିବା ମହେଶ୍ବର ସ୍ବାଇଁଙ୍କ ହାତରୁ ଅଗ୍ନି ନିରୋଧ ବିଭାଗ( ଫାୟାର ପ୍ରିଭେନସନ ୱିଙ୍ଗ) ଛଡ଼ାଇ ଅଣାଯାଇଛି। ସେ କେବଳ ଏବେ ନିର୍ଦେଶକ ଭାବେ ସେଠାରେ କାର୍ଯ୍ୟ କରିବେ। କଟକରେ ଥିବା ଚିଫ ଫାୟାର ଅଫିସର ସୁକାନ୍ତ କୁମାର ସେଠୀଙ୍କର ଭୁବନେଶ୍ବରକୁ ବଦଳି ହୋଇଛି। ସେ ଏଠାରେ ମୁଖ୍ୟ ଆଗ୍ନିକ ପଦ ସହିତ ଅଗ୍ନି ନିରୋଧ ବିଭାଗ ଦାୟିତ୍ବରେ ରହିବେ।

କଟକ ଅଗ୍ନିଶମ ନିର୍ଦେଶାଳୟରେ ଥିବା ଥିବା ଡେପୁଟି ଫାୟାର ଅଫିସର ଅରୁଣ ଷଡ଼ଙ୍ଗୀଙ୍କର ବଦଳି ଭବାନୀପାଟଣାକୁ ଜିଲ୍ଲା ଡେପୁଟି ଫାୟାର ଅଫିସର ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଭବାନୀପାଟଣାରେ ଥିବା ଡେପୁଟି ଫାୟାର ଅଫିସର ସଲିଲ ପ୍ରକାଶ କିଣ୍ଡୋଙ୍କ କଟକରେ କାର୍ଯ୍ୟ କରିବେ।

ସମ୍ବନ୍ଧିତ ଖବର