କଟକ: କଟକ କାଠଯୋଡ଼ି ରିଂବନ୍ଧ ସଂପ୍ରସାରଣ ପାଇଁ ନଈ ଭିତରେ ସେତୁ ନିର୍ମାଣ ବେଳେ ଗତକାଲି କ୍ରେନ୍ ଭାଙ୍ଗି ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଗୁରୁତର ଆହତ ହୋଇଥିଲେ। ଆଜି ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗଠିତ ୩ ଜଣିଆ ଟିମ୍ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛିନ୍ତି। ଏପଟେ ଅପରାହ୍ଣରେ ପୂର୍ତ୍ତ ବିଭାଗ ସ୍ୱତନ୍ତ୍ର ସଚିବଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ବି ତଦନ୍ତ କରିଛନ୍ତି। ଏହି ଦୁଇ ଦଳ ନିର୍ମାଣକାରୀ ସଂସ୍ଥା ଓ କନ୍ସଲ୍ଟାଣ୍ଟ ସଂସ୍ଥାଠାରୁ ତଥ୍ୟ ସଂଗ୍ରହ କରିଛନ୍ତି।
ଏକ୍ସପର୍ଟ, ଟେକ୍ନିକାଲ୍ ଟିମ୍ ସହଯୋଗରେ ଅଧିକ ତଦନ୍ତ କରି ୭ ଦିନ ମଧ୍ୟରେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କଟକ ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ କହିଛନ୍ତି। ଆଜି ଉପଜିଲ୍ଲାପାଳଙ୍କ ସହ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ(୨)ଜ୍ୟୋତିରଞ୍ଜନ ପତି, ଜିଲ୍ଲା ଶ୍ରମ ଅଧିକାରୀ(ଏନ୍ଫୋର୍ସମେଣ୍ଟ) ପ୍ରସନ୍ନ କୁମାର ପ୍ରଧାନ ତଦନ୍ତ ବେଳେ ଉପସ୍ଥିତ ଥିଲେ। ଅନ୍ୟପଟେ ଏସ୍ସିବିରେ ବ୍ୟବଚ୍ଛେଦ ପରେ ମୃତକଙ୍କ ଶବ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଆହତ ୨ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ପୂର୍ତ୍ତ ବିଭାଗ ସ୍ୱତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀଙ୍କ ନେତୃତ୍ବରେ ଗଠିତ ତଦନ୍ତକାରୀ ଟିମ୍ ଅପରାହ୍ଣରେ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି। ଆର୍କେଡି କନ୍ଷ୍ଟ୍ରକସନ୍ ସଂସ୍ଥା, କାମର ତଦାରଖ କରୁଥିବା ଶ୍ରୀ ଚୈତନ୍ୟ ସଂସ୍ଥା କର୍ତ୍ତୃପକ୍ଷ ଓ ଅପରେଟର୍ଙ୍କୁ ତଦନ୍ତକାରୀ ଟିମ୍ ପଚରାଉଚରା କରିଥିଲେ। ଏଜେନ୍ସି ଠାରୁ ଏହି କାମ ସମୟରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା କି ନାହିଁ ସେ ନେଇ ତଥ୍ୟ ସଂଗ୍ରହ କରିଥିଲେ। ପ୍ରକଳ୍ପର ସମସ୍ତ କାଗଜପତ୍ର ତୁରନ୍ତ ଜମା କରିବାକୁ ପୂର୍ତ୍ତ ବିଭାଗ ସ୍ୱତନ୍ତ୍ର ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ। ଏହି ଟିମ୍ରେ ଶ୍ରୀ ପାଢ଼ୀଙ୍କ ସମେତ ରାସ୍ତା ନିର୍ମାଣ ବିଭାଗ ମୁଖ୍ୟଯନ୍ତ୍ରୀ ଧ୍ୟାନଚାନ୍ଦ ନାୟକ ଓ କଟକ ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ ଉପସ୍ଥିତ ଥିଲେ। ଏହି ଟିମ୍ ଦୁଇ ଦିନ ମଧ୍ୟରେ ପୁନର୍ବାର ଘଟଣାସ୍ଥଳକୁ ଆସିବେ ବୋଲି ସୂଚନା ମିଳିଛି।
ଏପରି ଘଟଣା କାହିଁକି ଏବଂ କେଉଁ ପରିସ୍ଥିତରେ ଘଟିଲା ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୧୫ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ। ନିର୍ମାଣ ଦାୟିତ୍ୱରେ ଥିବା କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା କିମ୍ବା ଅନ୍ୟ କେଉଁ କାରଣ ଯୋଗୁଁ ଏପରି ଘଟଣା ଘଟିଲା ସେ ସମ୍ପର୍କରେ କମିଟି ବିସ୍ତୃତ ରିପୋର୍ଟ ବିଭାଗକୁ ପ୍ରଦାନ କରିବ। ଯଦି ଏଥିରେ କାହାରି ସମ୍ପୃକ୍ତି ଥିବା ଜଣାପଡ଼େ ତେବେ ପରବର୍ତ୍ତୀ ସମୟରେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଦୁଇବର୍ଷରୁ ଅଧିକ ସମୟ ଧରି ଖାନନଗରଠାରୁ ବେଲ୍ଭ୍ୟୁ ଯାଏଁ ୬ ଥାକିଆ ରାସ୍ତା ନିର୍ମାଣ ଚାଲିଛି। ଭୁବନେଶ୍ୱରର ଘରୋଇ ସଂସ୍ଥା ଆର୍କେଡି କନଷ୍ଟ୍ରକସନ୍ ଏହାର ନିର୍ମାଣ କାର୍ଯ୍ୟ କରୁଛି। ତେବେ କାମ ବିଳମ୍ବକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।