ଯାଜପୁର/ବାଲିକୁଦା: ବଡ଼ଚଣା ବ୍ଲକର ୩ଟି ପଞ୍ଚାୟତରେ ପାନୀୟ ଜଳ ବଣ୍ଟନ ନାମରେ ହୋଇଥିବା କେଳେଙ୍କାରୀର ତଦନ୍ତ ଆଜି ଜିଲ୍ଲା ପଞ୍ଚାୟତ ଅଧିକାରୀ (ଡିପିଓ) ଅଶୋକ କୁମାର ସେଠୀ କରିଛନ୍ତି। ଭରତପୁର ଓ ଗୋପାଳପୁର ପଞ୍ଚାୟତ କାର୍ଯ୍ୟାଳୟରେ ଡିପିଓ ଶ୍ରୀ ସେଠୀ ତଦନ୍ତ କଲା ବେଳେ କେଳେଙ୍କାରୀ ଫାଇଲ୍ ଓ କାଗଜପତ୍ର ନୂଆ ପିଇଓ ଦେଖାଇ ପାରିନଥିଲେ । ସେହିପରି ଚାରିନଙ୍ଗଳ ପଞ୍ଚାୟତରେ ଡିପିଓ ତଦନ୍ତ କରିଛନ୍ତି।
ଭରତପୁର ପଞ୍ଚାୟତରେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୮ ଲକ୍ଷ ୧୭ ହଜାର ୮୬୦ ଟଙ୍କା ସରକାରୀ ଅନୁଦାନ ବ୍ୟୟ ଦର୍ଶାଯାଇଛି।
ଜଳକ୍ଲିଷ୍ଟ ଲୋକଙ୍କୁ ପିଇବା ପାଣି ବଣ୍ଟନ ନାମରେ ଜାଲିଆତି କରାଯାଇ ସରକାରୀ ଅନୁଦାନ ହଡ଼ପ ହୋଇଛି ବୋଲି ପଞ୍ଚାୟତବାସୀ ଓ ଜଳ ଯୋଗାଣ ପାଇଁ ପଞ୍ଚାୟତ ଦାୟିତ୍ବରେ ଥିବା ସ୍ବାବଲମ୍ବୀ କାରିଗର ଅଭିଯୋଗ କରିଛନ୍ତି । ପିଇବା ପାଣି ବଣ୍ଟନ ନକରି ୪ ଲକ୍ଷ ୭୨ ହଜାର ଟଙ୍କା ମିଥ୍ୟା ବିଲ୍ କରି ଚଳୁ କରାଯାଇଛି। ଏହି ସମ୍ପର୍କିତ କୌଣସି ଫାଇଲ୍ ଓ କାଗଜପତ୍ର ନୂ୍ତନ ପିଇଓ ସୁଦର୍ଶନ ସାହୁଙ୍କ ପାଖରେ ନାହିଁ। ଏହି ପଞ୍ଚାୟତ ଦାୟିତ୍ବରେ ଥିବା କୋଲଣଗିରି ପିଇଓ ସଞ୍ଜିତ କରଙ୍କୁ ଗତ ମାସ ୨୩ ତାରିଖରେ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି। ସଞ୍ଜିତ କର ଭରତପୁର, କୋଲଣଗିରି ଓ ଅଣକା ପଞ୍ଚାୟତ ଦାୟିତ୍ବରେ ରହି ୭୪ ଲକ୍ଷ ୨୧ ହଜାର ୭୬୨ ଟଙ୍କା ସରକାରୀ ଅନୁଦାନ ବ୍ୟୟ କରିଛନ୍ତି । ଅନୁଦାନ ଖର୍ଚ୍ଚ ସମ୍ପର୍କିତ ଫାଇଲ୍ ଓ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଗାଏବ ହୋଇଯାଇଛି। ଫାଇଲ୍ ଓ ଦାୟିତ୍ଵ ହସ୍ତାନ୍ତର କରିବା ପାଇଁ ଡିପିଓ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କେବଳ କ୍ୟାସବୁକ ଓ ପାସବୁକ ହସ୍ତାନ୍ତର ହୋଇଛି।
ସେହିପରି ଗୋପାଳପୁର ପଞ୍ଚାୟତରେ ସରକାରୀ ଅନୁଦାନ ଖର୍ଚ୍ଚରେ ବ୍ୟାପକ ଅନିୟମିତତା ନେଇ ପଞ୍ଚାୟତବାସୀ ଅଭିଯୋଗ କରିଥିଲେ । ବିଧାୟକ ଅମର ଶତପଥୀ ମଧ୍ୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ସୁପାରିସ କରିଥିଲେ । ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ପଞ୍ଚାୟତରେ ୧୦ ଲକ୍ଷ ୨୪ ହଜାର ୧୮ ଟଙ୍କା ବ୍ୟୟ ହୋଇଛି। ପାଣି ବଣ୍ଟନ ବାବଦରେ ୩ ଲକ୍ଷ ୮୩ ହଜାର ୫୬୮ ଟଙ୍କା ଚଳୁ କରାଯାଇଛି। ସେଥି ମଧ୍ୟରୁ ଗତବର୍ଷ ଅଗଷ୍ଟ ୧୭ତାରିଖରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ବାବଦକୁ ୧ ଲକ୍ଷ ୮୪ ହଜାର ୨୫୬ ଟଙ୍କାରବିଲ୍ ହୋଇଛି। ସେହିପରି ଜଳଛତ୍ର ନାମରେ ୮୫ ହଜାର୬୦ ହଜାର ଓ ୫୦ ହଜାର ତିନୋଟି ବିଲ୍ ମାଧ୍ୟମରେ ଟଙ୍କା ଉଠାଣ କରାଯାଇଥିଲା। ଚଳିତ ବର୍ଷ ତୁରନ୍ତ ପାନୀୟ ଜଳ ଯୋଗାଣ କରିବାକୁ ଲୋକେ ଡିପିଓ ଶ୍ରୀ ସେଠୀଙ୍କୁ ଅନୁରୋଧ କରିଥିଲେ।
ଖୁବଶୀଘ୍ର ପଞ୍ଚାୟତ ବୈଠକ ଡାକି ରିଜୋଲ୍ୟୁସନ କରି ବିଡିଓଙ୍କ ଅନୁମୋଦନରେ ଜଳ ଯୋଗାଣ କରିବାକୁ ସେ ନିର୍ବାହୀ ଅଧିକାରୀଙ୍କୁ କହିଥିଲେ। ନୂଆ ପିଇଓ ହିମାଂଶୁ ବେହେରାଙ୍କ ପାଖରେ କୌଣସି ଦୁର୍ନୀତି ଫାଇଲ ନାହିଁ। ଏହି ପଞ୍ଚାୟତ ଦାୟିତ୍ବରେ ଥିବା ମଝିପଡ଼ା ପିଇଓ ପ୍ରଶାନ୍ତ ଜେନା ମାର୍ଚ୍ଚ ୨୦ ତାରିଖରୁ ନିଲମ୍ବିତ ହେବା ପରେ ଗିରଫ ଭୟରେ ଫେରାର ଅଛନ୍ତି । ଡିପିଓଙ୍କ ନିର୍ଦ୍ଦେଶ ସତ୍ତ୍ବେ ଫାଇଲ, କାଗଜପତ୍ର ସହିତ ଦାୟିତ୍ଵ ହସ୍ତାନ୍ତର କରିନାହାନ୍ତି। ନିଲମ୍ବିତ ପିଇଓ ପ୍ରଶାନ୍ତ ଜେନା ଗୋପାଳପୁର, ମଝିପଡା ଓ ବରପଦା ପଞ୍ଚାୟତ ଦାୟିତ୍ବରେ ରହି ୨୦୨୨-୨୩ ଆର୍ଥିକ ବର୍ଷରେ ୩୧ ଲକ୍ଷ ୩୪ ହଜାର ୮୭୧ ଟଙ୍କା ଅନୁଦାନ ଖର୍ଚ୍ଚରେ ବ୍ୟାପକ ହେରାଫେରି କରିଥିବା ଅଭିଯୋଗ ହେଉଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବାଲିଚନ୍ଦ୍ରପୁର ଥାନାରେ ଶ୍ରୀ ଜେନାଙ୍କ ବିରୋଧରେ ମାମଲା ହୋଇଥିବା ବେଳେ ପୁଲିସ ଗିରଫ କରିପାରୁ ନାହିଁ। ଅନୁରୂପ ଭାବେ ଚାରିନଙ୍ଗଳ ପଞ୍ଚାୟତରେ ମଧ୍ୟ ଡିପିଓ ଶ୍ରୀ ସେଠୀ ଆଜି ଜଳ ବଣ୍ଟନ ଦୁର୍ନୀତି ଅଭିଯୋଗ ହେଉଥିବା ଫାଇଲ ଯାଞ୍ଚ କରିଥିଲେ। ଡିପିଓ ଶ୍ରୀ ସେଠୀ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀଙ୍କୁ ରିପୋର୍ଟ ଦେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/12-19.jpg)