୬ ଶ୍ରମିକଙ୍କ ମୃତ୍ୟୁ ଘଟଣାର ତଦନ୍ତ: ରେଳବାଇର ଦାୟିତ୍ବ ଉପରେ ପ୍ରଶ୍ନ ଉଠିଲା

ବ୍ୟାସନଗର : ଇଞ୍ଜିନବିହୀନ ମାଲ୍‌ବାହୀ ଟ୍ରେନ୍‌ ତଳେ ୬ଜଣ ଶ୍ରମିକଙ୍କ ଜୀବନ ଯିବା ଘଟଣାର ଆଜି ତଦନ୍ତ ଆରମ୍ଭ ହୋଇଛି। ‌ତେବେ, ଏହିଭଳି ଏକ ଦୁଃଖଦାୟକ ଘଟଣାକୁ ନେଇ ସାଧାରଣ ଲୋକଙ୍କ ମନ‌ରେ ‌ଏବେ ଅସୁମାରୀ ପ୍ରଶ୍ନ ଉଙ୍କି ମାରୁଛି। ଏହିସବୁ ପ୍ରଶ୍ନ ସିଧାସଳଖ ରେଳବାଇର ଦାୟିତ୍ବ ଓ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପୂର୍ବତଟ ଜୋନ୍ ସୁରକ୍ଷା ଟିମ୍ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଥିଲେ। ପବନର ବେଗ କେତେ ଥିଲା? କେମିତି ଓ କାହିଁକି ୱାଗନ୍‌ ଗଡ଼ିଲା? ବର୍ଷବର୍ଷ ଧରି ଅଟକି ରହିଥିବା ୱାଗନ୍‌ର ଲକ୍‌ ଥିଲା କି ନାହିଁ ? ଗତକାଲି କିଏ ଲକ୍‌ ଖୋଲିଲା ନା ପୂର୍ବରୁ ଖୋଲାଥିଲା ଆଦି ସଂପର୍କରେ ଯାଞ୍ଚ୍‌ କରିଥିଲେ। ରେଳ ସୁରକ୍ଷା ଟିମ୍‌ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରିବାପରେ ଫେରିଯାଇଛନ୍ତି ବୋଲି ରେଳବାଇର ଜନୈକ ଅଧିକାରୀ ସୂଚନା ଦେଇଥିଲେ। ତେବେ, ଗତକାଲି ଦୁର୍ଘଟଣା ପରେ ଖୋର୍ଦ୍ଧା ଡିଆରଏମ ରିଙ୍କେଶ ରାୟଙ୍କ ମନ୍ତବ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଘଟଣାସ୍ଥଳ ପରିଦର୍ଶନ ପରେ ଶ୍ରୀ ରାୟ କହିଥିଲେ, କେହି ଲକ୍ ଖୋଲି ଦେବାରୁ ଇଂଜିନ୍ ନଥିବା ଡବାଗୁଡ଼ିକ ଗଡ଼ିଯାଇ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଲା।

ଯଦି ଗଡ଼ିବାର ଆଶଙ୍କା ଥିଲା ପଦକ୍ଷେପ ନେଲେନି କାହିଁକି?
ଲେବୁଲ୍‌ କ୍ରସିଂ ପାଇଁ କି ବ୍ୟବସ୍ଥା ଗ୍ରହଣ କରାଯାଇଛି?
କମ୍‌ ଉଚ୍ଚତା ଆଡ଼ୁ ୱାଗନ ଗଡ଼ିଲା କେମିତି?

ପ୍ରଶ୍ନ ଉଠୁଛି, ଯଦି କାଳବୈଶାଖୀ କିମ୍ବା ଅନ୍ୟ କିଛି କାରଣ ପାଇଁ ଏହିଭଳି ଦୁର୍ଘଟଣା ଘଟିବାର ଆଶଙ୍କା ରହିଥିଲା, ତା’ହେଲେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନକରି ବର୍ଷବର୍ଷ କାଳ ପକାଇ ରଖାଯାଇଥିଲା କାହିଁକି ? ଏଥିସହିତ, ଏହି ଡବାଗୁଡ଼ିକ ରଖାଯାଇଥିବା ସ୍ଥାନର ପ୍ରାୟ ୨ ଶହ ମିଟର ଦୂରରେ ଯାଜପୁରରୋଡ଼ ଦକ୍ଷିଣ କ୍ୟାବିନ୍ ଲେବୁଲ୍‌ କ୍ରସିଂ ରହିଛି। ସତ୍ୟସାଇ ସଂଘ କାର୍ଯ୍ୟାଳୟ ନିକଟରେ ଥିବା ଏହି ଲେବୁଲ୍‌ କ୍ରସିଂଟି ଅତ୍ୟନ୍ତ ବ୍ୟସ୍ତବହୁଳ। ଏଠାରେ ଓଭରବ୍ରିଜ୍‌ ନଥିବାରୁ ସହରର ଦକ୍ଷିଣପଟେ ଥିବା ଏହି ଲେବୁଲ୍‌ କ୍ରସିଂରେ ଗେଟ୍ ଉଠିଲେ ଥରକୁ ଶତାଧିକ ଲୋକ ଓ ଗାଡ଼ିମୋଟର ଚଳାଚଳ କରିଥାଏ। ଏପରି ଏକ ବ୍ୟସ୍ତବହୁଳ ସ୍ଥାନ ନିକଟରେ ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା ବ୍ୟବସ୍ଥା ନଥାଇ ଏହି ୱାଗନ୍‌ଗୁଡ଼ିକୁ ପକାଇ ରଖାଯାଇଥିଲା କିପରି ବୋଲି ପ୍ରଶ୍ନ ଉଠୁଛି।
ଭୌଗୋଳିକ ସ୍ଥିତିକୁ ଦେଖିଲେ ଲେବୁଲ୍‌ କ୍ରସିଂ ଆଡ଼କୁ ଅପେକ୍ଷାକୃତ ନିଚ୍ଚା ରହିଥିବାରୁ ୱାଗନ୍‌ଗୁଡ଼ିକ ଗଡ଼ି ଭୟଙ୍କର ଦୁର୍ଘଟଣା ଘଟିବାର ଆଶଙ୍କା ଅଧିକ ରହିଥିଲା। କିନ୍ତୁ, ଏହା ଓଲଟା ଦିଗରେ ଗଡ଼ିଥିଲା। କେହି ବାହାର ଲୋକ ଲକ୍ ଖୋଲି ଦେଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅଧିକାରୀଙ୍କ ବିବୃତିକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ, ଦୁର୍ଘଟଣା ଘଟିବାର ମାତ୍ର ଦୁଇଘଣ୍ଟା ମଧ୍ୟରେ ରାଜ୍ୟସରକାର କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ସହିତ ଆହତଙ୍କ ଚିକିତ୍ସା ପାଇଁ ଘୋଷଣା କରିଛନ୍ତି। ହେଲେ, ରେଳ ବିଭାଗ ଘଟଣା ଘଟିବାର ୨୪ ଘଣ୍ଟା ପରେ ବି ମୃତାହତଙ୍କ ପ୍ରତି କୌଣସି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିନାହାନ୍ତି। ଏ ସମ୍ପର୍କରେ ରେଳବାଇ ବିଭାଗର ଜନୈକ ଅଧିକାରୀଙ୍କୁ ପଚାରିବାରୁ ସହାୟତା ବାବଦକୁ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର