ଭୁବନେଶ୍ବର: ବିଜେଡି ସରକାର ଅମଳରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ସାରା ରାଜ୍ୟ ହେଲିକପ୍ଟର ଓ ଚାର୍ଟାଡ୍ ଫ୍ଲାଇଟରେ ବୁଲୁଥିଲେ। ଏଥିପାଇଁ କେତେ ଅର୍ଥ ଖର୍ଚ୍ଚ ହୋଇଛି? ସେନେଇ ବିଧାନସଭାରେ ପ୍ରଶ୍ନ ହୋଇଥିଲେ ବି ପରିବହନ ମନ୍ତ୍ରୀ ବିଭୂତି ଜେନା ଲିଖିତ ଉତ୍ତର ଦେଇଥିଲେ ଯେ ତଥ୍ୟ ସଂଗ୍ରହ ହେଉଛି। ଏପରିକି ସୂଚନା ଅଧିକାର କର୍ମୀ ଏନେଇ ତଥ୍ୟ ମାଗିଥିଲେ ବି ତଥ୍ୟ ଦିଆଯାଉନି। ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ତଥ୍ୟକୁ କାହିଁକି ବିଜେପି ସରକାର ଲୁଚାଉଛନ୍ତି ବୋଲି ଅଭିଯୋଗ ହେଉଥିବାବେଳେ ପରିବହନ ମନ୍ତ୍ରୀ ଶ୍ରୀ ଜେନା ଆଜି କହିଛନ୍ତି ଯେ ଭି.କେ. ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ ସହ ଖର୍ଚ୍ଚର ହିସାବ ଚାଲିଛି। ଖୁବଶୀଘ୍ର ଏହାର ନିର୍ଯ୍ୟାସ ଆସିବ। ଏହାପରେ ନିଶ୍ଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।
ପରିବହନ ମନ୍ତ୍ରୀ ଶ୍ରୀ ଜେନା ଗଣମାଧ୍ୟମକୁ କହିଛନ୍ତି ଯେ ଭି.କେ ପାଣ୍ଡିଆନ କେତେ ଥର ସରକାରୀ କାର୍ଯ୍ୟରେ ହେଲିକପ୍ଟରରେ ଯାଇଛନ୍ତି? କେତେ ଥର ବ୍ୟକ୍ତିଗତ କାର୍ଯ୍ୟରେ ହେଲିକପ୍ଟରରେ ଯାଇ ବୁଲିଛନ୍ତି? ସେସବୁର ତଦନ୍ତ ଚାଲିଛି। ପରିବହନ ବିଭାଗ ପକ୍ଷରୁ ଏନେଇ ତଦନ୍ତ ଚାଲିଛି। ଖୁବ୍ ଶୀଘ୍ର ସତ ସାମ୍ନାକୁ ଆସିବ। ରାଜ୍ୟବାସୀଙ୍କ ମନରେ ଯାହା ସନ୍ଦେହ ଅଛି ତାହା ସତ ହୋଇପାରେ। ଦୁର୍ନୀତି ବିରୋଧରେ ମୋହନ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି, ତେଣୁ ଅପେକ୍ଷା କରନ୍ତୁ ନିଶ୍ଚିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଅପରପକ୍ଷେ ଏନେଇ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ ହେଲିକପ୍ଟର ଖର୍ଚ୍ଚ ତଦନ୍ତ ନେଇ ବିଜେପି ସରକାର ଅଯଥା ରାଜନୀତି କରୁଛନ୍ତି। ତଦନ୍ତ ହେବ ବୋଲି ପରିବହନ ମନ୍ତ୍ରୀ ୧୫ ଦିନ ଭିତରେ ୪ ଥର କହିଲେଣି। ବିଜେପି ବିରୋଧୀ ଦଳରେ ଥିବା ବେଳେ ଏନେଇ ବିଧାନସଭାରେ ପ୍ରସଙ୍ଗ ଉଠାଇଥିଲା। ଯାହାର ଉତ୍ତର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ରଖିଥିଲେ। ତାଙ୍କ ନିର୍ଦ୍ଦେଶରେ ପାଣ୍ଡିଆନ ଜିଲ୍ଲା ଗସ୍ତ କରିଥିଲେ ବୋଲି ନବୀନ ସ୍ପଷ୍ଟ କରିଥିଲେ। ଏବେ ବିଜେପି ସରକାରରେ ଅଛି। ଯେତେ ତଦନ୍ତ କରିବା କଥା କରିପାରନ୍ତି। ଏନେଇ ମନ୍ତ୍ରୀ ବାରମ୍ବାର କହିବା ଆବଶ୍ୟକତା ନାହିଁ। କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ପରିବହନ ମନ୍ତ୍ରୀ ଏପରି କହୁଛନ୍ତି ବୋଲି ଶ୍ରୀ ଦେବ କହିଛନ୍ତି।