ବନୀକରଣ କେଳେଙ୍କ‌ାରୀର ତଦନ୍ତ ପ୍ରହସନ : ଗ୍ରାମବାସୀଙ୍କ ମୁଣ୍ଡରେ ଅଠା ବୋଳିଲେ

ଯାଜପୁର/ଚଢେଇଧରା : କଟକ ଡିଏଫଓଙ୍କ ଅଧୀନ ଯାଜପୁର ଜିଲ୍ଲାର ୪ଟି ରେଞ୍ଜରେ ବନୀକରଣ ଓ ଜଙ୍ଗଲ ସୁରକ୍ଷା ନାମରେ ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା କେଳେଙ୍କାରୀ ତଥ୍ୟ ସମ୍ବାଦ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି। ଏବେ ବନୀକରଣ ମହାଦୁର୍ନୀତିର ପେଡ଼ି ଖୋଲୁଛି। ଯାଜପୁର ଜିଲ୍ଲାର ଡାଳିଯୋଡ଼ା‌(ବୈରୀ) ରେଞ୍ଜରେ କାମ୍ପା ଯୋଜନାରେ କୋଟିକୋଟି ଟଙ୍କା ବନୀକରଣ ନାମରେ ହରିଲୁଟ୍ ହୋଇଛି। ଯାହାକି ଧର୍ମଶାଳା ତହସିଲ ଅଧିନ ଗଡ଼ମଧୁପୁର ଗାଁ ନିକଟ ପନ୍ତୁରୀ ପାହାଡ଼ ପାଦଦେଶରେ ହୋଇଥିବା ବନୀକରଣ କେଳେଙ୍କାରୀ ଧରାପଡ଼ିଯାଇଛି। ଏହି କେଳେଙ୍କାରୀଙ୍କୁ ଚପାଇବା ପାଇଁ କେତେକ ଅଭିଯୁକ୍ତ ଅଧିକାରୀଙ୍କ ଦ୍ବାରା ଆଜି ତଦନ୍ତ କରାଯାଇଛି। ଅଭିଯୁକ୍ତ ଅଧିକାରୀମାନେ ଗ୍ରାମବାସୀଙ୍କ ମୁଣ୍ଡରେ ଅଠା ବୋଳି ଖସିଯିବାକୁ ବସିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ପ୍ରକାଶ ଥାଉକି ଡାଳିଯୋଡ଼ା (ବୈରୀ)ରେଞ୍ଜ ଅଧୀନରେ କାମ୍ପା ଅନୁଦାନରେ ହୋଇଥିବା ବନୀକରଣରେ ବ୍ୟାପକ ଜାଲିଆତି କାରାଯାଇ କୋଟି କୋଟି ଟଙ୍କା ଲୁଟ ଅଭିଯୋଗ ଉପରେ ତଦନ୍ତ ପାଇଁ କଟକ ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟିମ୍ ଗଠିତ କରାଯାଇଥିଲା। ଯେଉଁ ବୈରୀ ରେଞ୍ଜ ଅଞ୍ଚଳରେ ବ୍ୟାପାକ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି ସେହି ରେଞ୍ଜ ଅଧିକାରୀ ଅଭିରାମ ଜେନାଙ୍କ ନେତୃତ୍ୱରେ ପନ୍ତୁରୀରେ ବନୀକରଣ ମହାଦୁର୍ନୀତିର ତଦନ୍ତ ଆଜି କରାଯାଇଛି। ରେଞ୍ଜର ଶ୍ରୀ ଜେନାଙ୍କୁ ତଦନ୍ତ ‌ଟିମ୍ ମୁଖ୍ୟ କରି ଡିଏଫ୍‌ଓ ପଠାଇଛନ୍ତି। ଡିଏଫ୍‌ଓଙ୍କ ଏଭଳି ତଦନ୍ତକୁ ଗ୍ରାମବାସୀ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ଶ୍ରୀ ଜେନାଙ୍କ ତଦନ୍ତ ଟିମ୍ ପନ୍ତୁରୀ ପାହାଡ଼ରେ ଆଜି ପହଞ୍ଚିଥିଲେ। ସେଠାରେ ବନୀକରଣ ନାମରେ ହୋଇଥିବା ଠକେଇ ଜଳଜଳ ଦେଖାଯାଉଥିଲେ ବି ତଦନ୍ତକାରୀ ଅଧିକାରୀମାନେ ଅଭିଯୋଗକାରୀ ଗ୍ରାମବାସୀଙ୍କୁ ଅଭିଯୁକ୍ତ ସଜାଇବାକୁ ଉଦ୍ୟମ କରିଥିଲେ। ପ୍ରଥମେ ତଦନ୍ତ ଟିମ୍‌ ଗଣମାଧ୍ୟମକୁ କିଛି କହିବାକୁ ରାଜି ହୋଇନଥିଲେ। ଏପରିକି କେତେ ଟଙ୍କାର ପ୍ରକଳ୍ପ ଓ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ପ୍ରକାଶ କରିନଥିଲେ। ଅଥଚ ତଦନ୍ତ ଶେଷ ପୂର୍ବରୁ ‌ବନୀକରଣରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ରେଞ୍ଜର ଶ୍ରୀ ଜେନା କହିଛନ୍ତି। ଯାହାକୁ ତାଙ୍କୁ ସନ୍ଦେହ ଅଧିକ ଘନୀଭୂତ ହୋଇଛି। ବନୀକରଣରେ ଗ୍ରାମବାସୀ ସହଯୋଗ କରୁନାହାନ୍ତି। ଗୋରୁଗାଈଙ୍କ ଦ୍ବାରା ଗଛ ନଷ୍ଟ କରୁଛନ୍ତି ବୋଲି ରେଞ୍ଜର ଶ୍ରୀ ଜେନା ଗ୍ରାମବାସୀଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି। ବାଡ଼, ଜାଲି ଓ ତାର ଗ୍ରାମବାସୀ ଚୋରି କରିନେଇଥିବାର ଗୁରୁତ୍ୱ ଅଭିଯୋଗ ମଧ୍ୟ ରେଞ୍ଜର ଶ୍ରୀ ଜେନା କରିଛନ୍ତି। ଏପରି କି ଚୋରି ସମ୍ପର୍କରେ ଜେନାପୁର ଥାନାରେ ଅଭିଯୋଗ ହୋଇଛି ବୋଲି ସେ କହିଛନ୍ତି।

ତଦନ୍ତ ଅଧିକାରୀଙ୍କର ଏପରି ଏକପାଖିଆ ମତାମତ ଗ୍ରାମବାସୀଙ୍କୁ ଉତକ୍ଷିପ୍ତ କରିଛି। ସେଠାରେ ଉପସ୍ଥିତ ଗ୍ରାମବାସୀ ବସନ୍ତ ଦଳେଇ, କଣ୍ଡୁରୀ ଦଳେଇ ଓ ଉମା ଦେଇ ତଦନ୍ତ ଅଧିକାରୀ ମିଛ କହୁଛନ୍ତି ବୋଲି କହିଥିଲେ। ବସନ୍ତଙ୍କ କହିବା ଅନୁସାରେ ଜୁନ, ଜୁଲାଇରେ ଗଛ ଲଗାଯାଇନାହିଁ। ଅଗଷ୍ଟ ଶେଷରେ ଅଳ୍ପ କିଛି ଗଛ ଆନୁମାନିକ ଭାବେ ପ୍ରାୟ ୮/୯ହଜାର ଚାରା ରୋପଣ କରାଯାଇଥିଲା। ନିୟମ ଅନୁସାରେ ଦେଢ଼ ଫୁଟ୍‌ ଗଭୀର କରି ଚାରା ରୋପଣ କରାନଯାଇ ମାଟି ଆଡ଼େଇ ଗଛ ଉପରେ ରଖା ଯାଇଥିଲା। ଯେଉଁ ଅଳ୍ପ ଗଛ ଲାଗିଥିଲା ପାଣି ଓ ଯତ୍ନ ଅଭାବରୁ ମରିଗଲା। କଣ୍ଟା ତାର ଓ ଜାଲି ନ ଲଗାଇ କର୍ମଚାରୀ ବିକ୍ରି କରିଥିବା ସେ କହିଛନ୍ତି। ଏପରିକି ବଣ ଭିତରେ କେବଳ କେତେକ ଅଞ୍ଚଳରେ ସିମେଣ୍ଟ ଖୁଣ୍ଟି ପୋତା ଯାଇଛି। ବିଭାଗୀୟ ଅଧିକାରୀମାନେ ଦୁର୍ନୀତିକୁ ଲୁଚେଇବାକୁ ଯାଇ ଚୋରିର ନାଟକ କରାଯାଉଛି ବୋଲି ଅନ୍ୟତମ ଗ୍ରାମବାସୀ କଣ୍ଡୁରୀ ଦଳେଇ କହିଛନ୍ତି। ସେମାନଙ୍କ କହିବା ଅନୁସାରେ ସମ୍ବାଦରେ ଏହି ବନୀକରଣ ଦୁର୍ନୀତି ଖବର ପ୍ରକାଶିତ ହେବା ପରେ ତଦନ୍ତକୁ ଭ୍ରମିତ କରିବାକୁ ବିଭାଗ ପକ୍ଷରୁ ବିଭିନ୍ନ ଚକ୍ରାନ୍ତ ଚାଲିଛିl ଖବର ପ୍ରକାଶ ପରେ ଚଳିତ ମାସରେ ୨ଟ୍ରାକ୍ଟର ନିମ୍ବ ଗଛ ଆଣି ଲଗେଇଛନ୍ତି। ତେବେ ଏହି ମହାଦୁର୍ନୀତିରୁ କ୍ଷେତ୍ର କର୍ମଚାରୀଙ୍କଠାରୁ ଆରମ୍ଭ କରି ଡିଭିଜନ ପର୍ଯ୍ୟନ୍ତ ଏକାଧିକ ଅଧିକାରୀ ସଂପୃକ୍ତ ବୋଲି ସମାଜସେବୀ କୃଷ୍ଣଚନ୍ଦ୍ର ମହାରଣା ଅଭିଯୋଗ କରିଛନ୍ତି। ପନ୍ତୁରୀ, ଗଡମଧୁପୁର ପାହାଡ଼ରେ କାମ୍ପା ଅନୁଦାନରେ ବନୀକରଣରେ କରାଯାଇଥିବା ଅନିୟମିତତାର ତଦନ୍ତ ଭିଜିଲାନ୍ସ କିମ୍ବା ରାଜ୍ୟସ୍ତରୀୟ ଅଧିକାରୀଙ୍କ ଦ୍ୱାରା ନିରପେକ୍ଷ ତଦନ୍ତ କରିବାକୁ ଦାବି ହେଉଛି। ଆଜିର ତଦନ୍ତ ଟିମ୍‌ରେ ସ୍ଥାନୀୟ ରେଞ୍ଜର ଅଭିରାମ ଜେନାଙ୍କ ସହ ଏସିଏଫ୍‌ ମନୋରଞ୍ଜନ ସ୍ୱାଇଁ, ଟମକା ରେଞ୍ଜର ଘନଶ୍ୟାମ ମୁଦୁଲି, ଜଗତସିଂହପୁର ବନପାଳ ରାଜକିଶୋର ସାମନ୍ତଙ୍କ ସହ ସ୍ଥାନୀୟ ଗଡମଧୁପୁର ବନପାଳ ରଞ୍ଜନ ମିଶ୍ର ଓ ଗାର୍ଡ କୈଳାସ ବେହେରା ସାମିଲ ହୋଇଥିଲେ। ଆଜିର ତଦନ୍ତ ଏକ ପ୍ରହସନ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର