ସମ୍ବାଦ ଅନୁସନ୍ଧାନ: ଫସଲ ବୀମା ଯୋଜନାରେ ବଡ଼ଧରଣର ଦୁର୍ନୀତି, ଚାଷୀଙ୍କ ହକ୍‌ରୁ ଲୁଟିନେଲେଣି ଶହେ କୋଟି!

ମୁହଁ ଖୋଲିଲେ ବହୁ ସଂଖ୍ୟାରେ ଚାଷୀ, ଦଲାଲର ଆଶ୍ରା ନେଇଥିବା, ଅନ୍ୟ ଆକାଉଣ୍ଟକୁ ଟଙ୍କା ଯିବା କଥା ବି କହିଲେ

ବଲାଙ୍ଗୀର(ବିଶ୍ୱଜିତ ଦାଶ/ସୁବ୍ରତ ମହାକୁର): ପ୍ରସିଦ୍ଧ ସାମ୍ବାଦିକ ପି. ସାଇନାଥଙ୍କ ଭାଷାରେ ପ୍ରାକୃତିକ ବିପର୍ଯ୍ୟୟକୁ ସମସ୍ତେ ଭଲପାଆନ୍ତି (ଏଭ୍ରିବଡ଼ି ଲଭ୍‌ସ ଏ ଗୁଡ୍‌ ଡ୍ରଟ୍‌)। ଏହାର ଅର୍ଥ ହେଉଛି ପର୍ଯ୍ୟାପ୍ତ ପରିମାଣର ସହାୟତା ଆସେ ଓ ତାକୁ ଚଳୁ କରି ଖାଇଯାଆନ୍ତି ଦାୟିତ୍ୱରେ ଥିବା ଅଧିକାରୀ। ଏପରିକି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆରମ୍ଭ ହେବାପରେ ମଧ୍ୟ ସେ କହିଥିଲେ, ଏହା ପୁଞ୍ଜିପତି ଓ ବ୍ୟାଙ୍କରଙ୍କ ଫାଇଦା ହେବ। ଚାଷୀ ନିଜ ହକ୍‌ ଠିକରେ ପାଇବେ ନାହିଁ। ଆଉ ଏହା ଏବେ ବଲାଙ୍ଗୀର ଜିଲ୍ଲାରେ ସତ ପ୍ରମାଣିତ ହୋଇଛି। ବଲାଙ୍ଗୀର ଜିଲ୍ଲାରେ ଚାଷୀଙ୍କ ହକ୍‌ରୁ ଶହ ଶହ କୋଟି ଟଙ୍କାର ବୀମା ରାଶି ଦଲାଲ-ଅଧିକାରୀ-ବ୍ୟାଙ୍କର୍‌ ମିଳିମିଶି ଲୁଟିନେଲେଣି। ଏଭଳି କିଛି ପ୍ରାମାଣିକ ତଥ୍ୟ ଏବେ ‘ସମ୍ବାଦ’ ଅନୁସନ୍ଧାନରେ ସାମ୍ନାକୁ ଆସିଛି। ସରକାରୀ ନାଲିଫିତା ତଳର ଫାଇଲରେ ଚାଷୀଙ୍କ ନାଁ ଚଢୁଛି। ହେଲେ, ଚାଷୀ ନିଜ ଟଙ୍କା ପାଇବା ପରେ ଅଧା ଦଲାଲ ହାତକୁ ଟେକିଦେଉଛି। ଆଉ ଯିଏ ମନା କଲା ତା’ର ଟଙ୍କା ଅନ୍ୟ ଆକାଉଣ୍ଟରେ ପକାଇ ଖାଇଯାଉଛନ୍ତି ଦଲାଲ ଓ ସରକାରୀ ବାବୁ।

ବଲାଙ୍ଗୀର ଜିଲ୍ଲାରେ ୨୦୧୯ ମସିହା ଖରିଫରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରିମିୟମ୍‌ ଭରି ଚାଷୀମାନେ ବୀମା କରାଇଥିଲେ। ସେହି ବର୍ଷ ମରୁଡ଼ି ସ୍ଥିତି ହୋଇଥିଲା। କ୍ରପ୍‌କଟିଂ ରିପୋର୍ଟ ପ୍ରସ୍ତୁତ ବି କରାଯାଇଥିଲା। ବୀମା କମ୍ପାନି ଥିଲା ରୋୟଲ ସୁନ୍ଦରମ୍‌। ୨୦୨୦ ବର୍ଷରେ ବୀମା କମ୍ପାନି ଚାଷୀଙ୍କୁ ବୀମା ଟଙ୍କା ତାଙ୍କ ଆକାଉଣ୍ଟରେ ଦେଇଥିଲା। ହେଲେ, ବ୍ୟାଙ୍କଗୁଡ଼ିକ ମିଶ୍ରଣ ହୋଇଯିବାରୁ ଅନେକ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ପଡ଼ିପାରିନଥିଲା। କାରଣ ଆଇଏଫ୍‌ଏସ୍‌ସି କୋଡ ବ୍ୟାଙ୍କଗୁଡ଼ିକର ବଦଳିଯାଇଥିଲା। ଏପରିକି କିଛି ଚାଷୀଙ୍କ ଭୁଲ୍‌ଭାଲ୍‌ ଆକାଉଣ୍ଟ ନମ୍ବର ଏବଂ ଅନ୍ୟ କାରଣରୁ ବି ବୀମା ଟଙ୍କା ପାଇବାରୁ ବଞ୍ଚିତ ହୋଇଥିଲେ। ଏମାନଙ୍କ ତାଲିକା ପ୍ରସ୍ତୁତ କରି କୃଷି ବିଭାଗ କମ୍ପାନିକୁ ୨୦୨୧ ବର୍ଷରୁ ପର୍ଯ୍ୟାୟକ୍ରମେ ପଠାଉଛି। ଯେଉଁମାନେ ବୀମା ରାଶି ପାଇବାକୁ ଯୋଗ୍ୟ ତାହାର ସାର୍ଟିଫାଏଡ୍‌ କପି ପାଇଲେ କମ୍ପାନି ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଦେଉଛି। ହେଲେ, ଏହି ସବୁ ପ୍ରକ୍ରିୟାରେ ଦଲାଲ ଜରିଆରେ ଚାଷୀଙ୍କ ହକ୍‌ ଟଙ୍କା ଲୁଟୁଛନ୍ତି ଅଧିକାରୀ। ବୀମା ରାଶି ଟଙ୍କା ପାଇଲେ ଚାଷୀ ଆକାଉଣ୍ଟରୁ ଟଙ୍କା କାଢ଼ି ୫୦ ପ୍ରତିଶତ ଦଲାଲମାନଙ୍କୁ ଦେଉଛନ୍ତି। ଆଉ ଯିଏ ୫୦ ପ୍ରତିଶତ ଦେବାକୁ ଅରାଜି ହେଉଛନ୍ତି, ତାଙ୍କ ପାଇବାକୁ ଥିବା ଟଙ୍କା ଅନ୍ୟ ଲୋକଙ୍କ ଆକାଉଣ୍ଟରେ ଜମା କରାଯାଇ ହଡ଼ପ କରାଯାଉଛି।

ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି, ସଇନ୍ତଳା ବ୍ଲକ୍‌ ଶିଶକେଲା ଗାଁର ଜଣେ ଚାଷୀ ହେଉଛନ୍ତି ରାଜେନ୍ଦ୍ର ରଣା। ସେ ତାଙ୍କ ନିଜ ଓ ସ୍ତ୍ରୀ ନାଁରେ ପ୍ରାୟ ଏକ ଲକ୍ଷ ଟଙ୍କା ବୀମା ରାଶି ପାଇବାକୁ ଥିଲା। କିନ୍ତୁ କାର୍ଯ୍ୟାଳୟକୁ ଯେତେ ଦୌଡ଼ିଲେ ବି କିଛି ଫଳ ମିଳିନଥିଲା। ଗାଁରେ ଦଲାଲମାନେ ଚାଷୀଙ୍କ ତାଲିକା ଧରି ଆସିଥିଲେ। କିଏ କେତେ ଟଙ୍କା ପାଇବେ ତାହା କହିଥିଲେ। ଯିଏ ୫୦ ପ୍ରତିଶତ ଦେବାକୁ ରାଜି ହୋଇଥିଲା ତାଲିକା କରିଥିଲେ। ସେହି ତାଲିକା ଅନୁସାରେ ଚାଷୀମାନଙ୍କ ଆକାଉଣ୍ଟରେ ଟଙ୍କା ଆସିଥିଲା। ସମସ୍ତେ ପାଇଥିଲେ; ହେଲେ ରାଜେନ୍ଦ୍ର ପାଇନଥିଲେ। ଏଣୁ ବାଧ୍ୟହୋଇ ସେ ବି ଦଲାଲର ଆଶ୍ରା ନେଇଥିଲେ। ଦଲାଲ ୫୦ ପ୍ରତିଶତ ମାଗିବାରୁ ରାଜି ହୋଇଥିଲେ। ଟଙ୍କା ପଡ଼ିବା ପରେ ଦେବାକୁ ସେ ମନା କରିବାପରେ ଦଲାଲ ଆସି ଧମକଚମକ ଦେଇ ୩୪ ହଜାର ଟଙ୍କା ତାଙ୍କଠୁ ନେଇଥିବା ସେ କହିଛନ୍ତି। ସେହିପରି ଆଉ ଜଣେ ଚାଷୀ ହେଉଛନ୍ତି ବେଲଗାଁ ବିକାବାହାଲି ଗାଁର ସନ୍ତୋଷ ପଟେଲ। ତାଙ୍କ ବୀମା ଟଙ୍କା ସେ ପାଇନାହାନ୍ତି। କମ୍ପାନିକୁ ପଚାରିଲେ ସେମାନେ ଟଙ୍କା ଦିଆସରିଥିବା କହୁଛନ୍ତି। ସନ୍ତୋଷଙ୍କ ଏସ୍‌ବିଆଇ ବ୍ୟାଙ୍କରେ ଆକାଉଣ୍ଟ ଥିବା ବେଳେ ତାଙ୍କୁ କହାଯାଉଛି ଆନ୍ଧ୍ରା ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଡ଼ିଛି। ଏଭଳି ଅନେକ ଚାଷୀଙ୍କ ଟଙ୍କା ଅନ୍ୟ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ପକାଯାଇ ହଡ଼ପ କରାଯାଇଛି। ଆଉ ଗାଁଗୁଡ଼ିକରେ ଯେଉଁ ଚାଷୀ ସବୁ ଟଙ୍କା ପାଉଛନ୍ତି ସେମାନେ ଦଲାଲଙ୍କୁ ଅଧା ଟଙ୍କା ଦେଉଛନ୍ତି।

ସଇନ୍ତଳା ବ୍ଲକ୍‌ର ଗାଁ ଗାଁରେ ଏବେ ଦଲାଲ ସକ୍ରିୟ ଅଛନ୍ତି। ବ୍ଲକ୍‌ରେ ୨୦୨୧ ଜୁନ୍‌ ମାସରୁ ଏଯାଏ ପ୍ରାୟ ତିନି ହଜାର ଚାଷୀଙ୍କ ହକ୍‌ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଭଦ୍ରା ପଞ୍ଚାୟତ ଚିତାମରା ଗାଁର କୀର୍ତ୍ତିଚନ୍ଦ୍ର ବକୁଲ କହିଛନ୍ତି, ତାଙ୍କ ପଞ୍ଚାୟତରେ ବି ଏଭଳି ଦଲାଲ ଲାଗିଥିଲେ। ସେମାନେ ଅଧିକାରୀଙ୍କୁ ହାତକରି ହିଁ ସବୁ କାମ କରୁଛନ୍ତି ବୋଲି କହିଥିଲେ। ବରହାମାଲ ଗାଁର ମହୁନ୍ତ ବଗର୍ତ୍ତି, ବେଲଗାଁର ଗରିବ ନାଗଙ୍କ ଭଳି ଅନେକ ଚାଷୀ ଟଙ୍କା ପାଇନଥିଲେ ବି ତାଙ୍କ ଟଙ୍କା ଅନ୍ୟ ଆକାଉଣ୍ଟକୁ ଯାଇଥିବା ସେ ସୂଚନା ଦେଇଥିଲେ। ଯେଉଁ ଚାଷୀ ୫୦ ହଜାରରୁ ଅଧିକ ଟଙ୍କା ପାଇବାକୁ ଅଛି ତାଙ୍କୁ ଟାର୍ଗେଟ କରି ଦଲାଲ ତାଙ୍କ ପାଖରେ ପହଞ୍ଚି ସବୁ କଳାକାରନାମା କରୁଛନ୍ତି। ଗୋଟିଏ ବ୍ଲକ୍‌ରେ ଅତିକମ୍‌ରେ ୧୦ କୋଟି ଟଙ୍କା କମ୍ପାନି ବିଭିନ୍ନ ଚାଷୀଙ୍କୁ ପଇଠ କରିଥିବା ଅନୁମାନ କରାଯାଉଛି। ସେଥିରୁ ଯଦି ଅଧା ଲୁଟ ହୁଏ ତାହେଲେ କେତେ ପରିମାଣରେ ଘୋଟାଲା ସ୍ପଷ୍ଟ ଅନୁମେୟ। ଏଭଳି ଭାବେ ସାରାଜିଲ୍ଲାରେ ପାଖାପାଖି ୧୦୦ କୋଟି ଟଙ୍କାର ବୀମା ଲୁଟ୍‌ ହୋଇଥିବା ଅଭିଯୋଗ ହେଉଛି।

ଏ ନେଇ ରୋୟଲ ସୁନ୍ଦରମର ଅଧିକାରୀ ମୃତ୍ୟୁଞ୍ଜୟ ଭଟ୍ଟାଚାର୍ଯ୍ୟଙ୍କୁ ଯୋଗାଯୋଗ କରିବାରୁ ସଇନ୍ତଳା ଘଟଣାରେ ସେ କହିଥିଲେ ସାର୍ଟିଫାଏଡ କପି ଟିଟିଲାଗଡ଼ ଡିଏଓ ଦେଉଛନ୍ତି। ସେହିକ୍ରମରେ ସବୁ ଟଙ୍କା ଦିଆଯାଉଛି ବୋଲି କହିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସାରଦା ପ୍ରସାଦ ମିଶ୍ରଙ୍କୁ ପଚାରିବାରୁ ୨୦୨୧ ଜୁନ୍‌ରୁ କେତେ ଚାଷୀଙ୍କୁ ବୀମା ଟଙ୍କା ଦିଆଯାଇଛି ଫାଇଲ ଦେଖିଲେ କହିପାରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର