ଭୁବନେଶ୍ବର : ପୁଅ ଗିରଫଦାରୀର ପ୍ରତିବାଦ କରି ନ୍ୟାୟ ମାଗିବାକୁ ଯାଇଥିବା ବେଳେ ବ୍ରହ୍ମପୁର ଜିଲ୍ଲା ପୁଲିସ ମୁଖ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ କରି ପରେ ଡାକ୍ତରଖାନାରେ ଆଖି ବୁଜିଥିବା ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦିଆଯାଇଛି। ଆଜି ଏସଂପର୍କରେ ଓଡ଼ିଶା ପୁଲିସ ମହାନିର୍ଦେଶକ ଅଭୟ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଇଥିବା ନେଇ କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ଆଇଜି (ଆଧୁନିକୀକରଣ) ରେଖା ଲୋହାନିଙ୍କୁ ପ୍ରଦାନ କରାଯାଇଛି ବୋଲି ଏଥିରୁ ଜଣାପଡ଼ିଛି।
DGP orders high level enquiry into death of BJD Women leader Smt. Meenakshi Mishra following attempt of self immolation in the premises of SP Office Berhampur on 12/02/20. Smt. Rekha Lohani, IGP Modernization, will conduct the enquiry.
— Crime Branch, Odisha Police (@CIDOdisha) February 24, 2020
ସୂଚନାଯୋଗ୍ୟ, ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପଣ୍ଡା କଲୋନି ନିବାସୀ ମୀନାକ୍ଷୀଙ୍କ ପୁଅ ରାଜାଙ୍କୁ ଗତମାସ ୨୮ତାରିଖରେ କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ। ପୁଅକୁ ବଞ୍ଚାଇବାକୁ ଯାଇଥିବା ବେଳେ ମୀନାକ୍ଷୀଙ୍କ ହାତରେ ମଧ୍ୟ ଖଣ୍ଡା ଚୋଟ ପଡ଼ିଥିଲା। ଆକ୍ରମଣରେ ଉଭୟ ମା-ପୁଅ ଗୁରୁତର ହୋଇଥିଲେ। ଏହି ଘଟଣାରେ ପୁଲିସ ଦୁଇଟି ପୃଥକ୍ ମାମଲା ରୁଜୁ କରିଥିଲା। ରାଜାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଗତ ୫ତାରିଖରେ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ଅପର ଗୋଷ୍ଠୀର ମାମଲାକୁ ଭିତ୍ତି କରି ୬ତାରିଖରେ ପୁଲିସ ରାଜାଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ମୀନାକ୍ଷୀଙ୍କୁ ଗଭୀର ମାନସିକ ଆଘାତ ଦେଇଥିଲା।
ପୁଅକୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଥିବା ଅଭିଯୋଗ କରିବା ସହିତ ନ୍ୟାୟ ପ୍ରଦାନ ପାଇଁ ମୀନାକ୍ଷୀ ପୁଲିସକୁ ଗୁହାରି କରିଥିଲେ। ଗତ ୧୨ତାରିଖରେ ସେ ଏସ୍.ପି. ପିନାକ ମିଶ୍ରଙ୍କୁ ସାକ୍ଷାତ କରିବାକୁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। କିନ୍ତୁ ଏସ୍.ପି. ଅନ୍ୟ କାମରେ ବ୍ୟସ୍ତ ଥିବାରୁ ଅଫିସ ଆସି ନ ଥିଲେ। ମୀନାକ୍ଷୀ ଅନ୍ୟ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସାକ୍ଷାତ କରି ଫେରିବା ପରେ ଅଚାନକ ଏସ୍.ପି. ଅଫିସ ପରିସରରେ ଥିବା ସିସିଟିଏନ୍ଏସ୍ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଫଳରେ ତାଙ୍କ ଶରୀରର ୮୦ରୁ ୯୦ ପ୍ରତିଶତ ଜଳି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓ ପରେ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା। ମା’ଙ୍କ ଏଭଳି ସ୍ଥିତି ଯୋଗୁଁ କୋର୍ଟ ରାଜାଙ୍କ ଜାମିନ୍ ଆବେଦନ ଶୁଣାଣି କରି ମଂଜୁର କରିଥିଲେ। ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ କୋର୍ଟ ରାଜାଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଥିଲେ। ଗତ ୧୪ତାରିଖରେ ମୀନାକ୍ଷୀଙ୍କୁ କଟକ ଏସ୍ସିବିରେ ଉପଯୁକ୍ତ ଚିକିତ୍ସା ମିଳୁ ନ ଥିବା ଅନୁଭବ କରି ପରିବାର ଲୋକେ ତାଙ୍କୁ ଭୁବନେଶ୍ବରସ୍ଥିତ ସମ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ନିକଟରେ ପୁଅ ରାଜା, ଝିଅ ଓ ଅନ୍ୟ ସମ୍ପର୍କୀୟମାନେ ରହି ଦେଖାରଖା କରୁଥିଲେ। ଚିକିତ୍ସା ପରେ ମୀନାକ୍ଷୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିଲା। ତେବେ ସେଠାରେ ମୀନାକ୍ଷୀଙ୍କର ମୃତ୍ୟୁ ଘଟିଥିଲା।