ଫୁଲବାଣୀ/ଦାରିଙ୍ଗବାଡ଼ି/ବ୍ରହ୍ମପୁର: ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ରୂପାରୋଶନ ସାହୁ ବୁଧବାର କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ୍ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଖାଇ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଘଟଣାର ଆରଡିସିସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ରାଜସ୍ବ ଆୟୁକ୍ତ ଶ୍ରୀମତୀ ସାହୁ ଆଜି ଉକ୍ତ ଗ୍ରାମକୁ ଯାଇ ୨ ମୃତ ମହିଳା ଓ ଚିକିତ୍ସାଧୀନ ୬ ଜଣ ମହିଳାଙ୍କ ପରିବାର ସଦସ୍ୟମାନଙ୍କୁ ଭେଟିବା ସହ ଘଟଣା ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ। କେଉଁ ପରିସ୍ଥିତିରେ ସେମାନେ ଆମ୍ବଟାକୁଆ ଖାଇଥିଲେ ଓ ବିଭିନ୍ନ ସରକାରୀ ଯୋଜନାରେ ସେମାନଙ୍କୁ ନିୟମିତ ଚାଉଳ ମିଳୁଥିଲା କି ନାହିଁ; ସେ ବାବଦରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ତେବେ ୩ମାସ ହେଲା ଚାଉଳ ପାଇ ନଥିବା ସଂପର୍କରେ ଗାଁ ଲୋ‌କେ ଆର୍‌ଡିସିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଶ୍ରୀମତୀ ସାହୁ ବିଭିନ୍ନ ବିଭାଗର ପଦାଧିକାରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ। ବ୍ରାହ୍ମଣୀଗାଁ ବହୁମୁଖୀ ସମବାୟ ସମିତି କାର୍ଯ୍ୟାଳୟ ପରିଦର୍ଶନ କରି ଚାଉଳ ବଣ୍ଟନ ସମ୍ବନ୍ଧୀୟ ନଥିପତ୍ର ଯାଞ୍ଚ କରିଥିଲେ। ଆସନ୍ତା ୧୧ ତାରିଖରେ ଆରଡିସି ପୁଣି ତଦନ୍ତ ପାଇଁ ଆସିବେ। ତଦନ୍ତ ରିପୋର୍ଟ ବିଷୟରେ ଗଣମାଧ୍ୟମକୁ ଜଣାଇ ଦିଆଯିବ ବୋଲି ସୂଚନା ମିଳିଛି। କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସମେତ ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ ଉପସ୍ଥିତ ଥିଲେ। 

Advertisment

ଏମ୍‌କେସିଜି‌ରେ ଅସୁସ୍ଥଙ୍କୁ ଭେଟିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ
ମାନବାଧିକାର କର୍ମୀ, ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ତନାଘନା

ଅନ୍ୟପକ୍ଷ‌ରେ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଚାରିଜଣ ମହିଳାଙ୍କୁ ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପ‌ାଠୀ ଓ ମାନବାଧିକାର କର୍ମୀ ମନୋଜ ଜେନାଙ୍କ ସମେତ ଫ୍ୟାକ୍ଟ୍ ଫାଇଣ୍ଡିଂ ଟିମ୍ ଭେଟି ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବହୁମାସ ହେଲା ଚାଉଳ ମିଳି ନଥିବା ଜାଣି ଅସନ୍ତୋଷ ପ୍ରକାଶ କରିଥିଲେ। ସରକାରଙ୍କ ଅପାରଗତାରୁ ଏଭଳି ଘଟଣା ଘଟିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ତ୍ରିପାଠୀ କହିବା ସହ ଏହାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି। ସୂଚନାଥାଉକି, ଆମ୍ବଟାକୁଆ ଜାଉ ଖାଇ ଗତମାସ ୩୧ ତାରିଖରେ ମାଣ୍ଡିପଙ୍କା ଗ୍ରାମର ରମିତା ପାଟମାଝି ଓ ଚଳିତମାସ ୧ ତାରିଖରେ ‌ଦିବ୍ୟାଙ୍ଗ ଯୁବତୀ ରୁନୁ ମାଝିଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ଅତି ଖରାପ ହେବାରୁ ଉଭୟ କଟକ ବଡ଼ ଡାକ୍ତରଖାନାର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ ଏହି ସମ୍ବେଦନଶୀଳ ଘଟଣାକୁ ନେଇ ହାଇକୋର୍ଟର ଆଇନଜୀବୀ ଅଖଣ୍ଡ ଜାତୀୟ ମାନବ ଅଧିକାର କମିସନଙ୍କ ନିକଟରେ ଏକ ପିଟିସନ୍ ଦାଖଲ କରିଛନ୍ତି।