ବଡଗଡ଼ ଥାନା ହାଜତ ମୃତ୍ୟୁ ମାମଲା: ବଦଳିଲେ ତଦନ୍ତ ଅଧିକାରୀ

ଏନ୍‌ଏଚ୍‌ଆରସି ଗାଇଡ଼ ଲାଇନ ଅନୁଯାୟୀ ହେଉଛି ତଦନ୍ତ!

ଭୁବନେଶ୍ବର: ବଡ଼ଗଡ଼ ଥାନା ପୁଲିସ ହେପାଜତରେ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଢପୁର ଅଞ୍ଚଳର ପ୍ରଦୀପ କୁମାର ସାହୁ(୪୮)ଙ୍କ ମୃତ୍ୟୁ ଘଟଣାର ତଦନ୍ତ ଅଧିକାରୀଙ୍କୁ ବଦଳି ହୋଇଛି। ଏସ୍‌କେ ବେହେରାଙ୍କ ସ୍ଥାନରେ ଜଣେ ଇନ୍ସପେକ୍ଟର ପାହ୍ୟା ଅଧିକାରୀ ଘଟଣାର ତଦନ୍ତ କରିବେ। ସେ ଜିଲ୍ଲା ଏଚ୍‌ଆରପିସିଙ୍କ ସହ ତଦନ୍ତ କରିବେ। ଅତିରିକ୍ତ ଡିସିପି ଏହାର ତଦାରଖ କରୁଥିବା ବେଳେ ଏନ୍‌ଏଚ୍‌ଆରସି ଗାଇଡଲାଇନ୍‌ ଅନୁଯାୟୀ ତଦନ୍ତ ହେଉଛି ଏବଂ ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦିଆଯିବ ବୋଲି କୁହାଯାଉଛି।

ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଢପୁର ଅଞ୍ଚଳର ପ୍ରଦୀପ କୁମାର ସାହୁଙ୍କୁ ପିଟିପିଟି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେଣୁ ଏହି ଘଟଣା ପୁଲିସ ପାଇଁ ଅଡ଼ୁଆ ବଢ଼ାଇଛି। ଏ ସଂକ୍ରାନ୍ତରେ ବଡ଼ଗଡ଼ ଥାନା ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅପରପକ୍ଷେ, ଜାତୀୟ ମାନବାଧିକାର କମିସନ(ଏନ୍‌ଏଚ୍‌ଆର୍‌ସି)ଙ୍କ ନିୟମ ଅନୁସାରେ, ହାଜତ ମୃତ୍ୟୁର ସମସ୍ତ ନିୟମକୁ ପାଳନ କରାଯାଇଛି। ଏକାଧିକ ଡାକ୍ତର(ଟିମ୍ ଅଫ୍ ଡକ୍ଟର) ଶବ ବ୍ୟବଚ୍ଛେଦ କରିବା ସହ ଏହାର ଭିଡିଓ ରେକର୍ଡିଂ କରାଯାଇଛି। ସିଆର୍‌ପିସି ଧାରା-୧୭୬(୧)(ଏ) ଅନୁସାରେ ବିଚାର ବିଭାଗୀୟ ତଦନ୍ତ ପାଇଁ ଲେଖା ଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ପ୍ରଦୀପ ସୁନ୍ଦରପଦା ହରିଆ ଛକରେ ରୁହନ୍ତି। ତାଙ୍କ ନାମରେ ପୂର୍ବରୁ ଲକ୍ଷ୍ମୀସାଗର, ବଡ଼ଗଡ଼, ମଞ୍ଚେଶ୍ବର ଓ ବାଦାମବାଡ଼ି ଥାନାରେ ମାମଲା ରହିଛି। ସେହିପରି ବଡ଼ଗଡ଼ ଥାନାରେ ଏକ ସାଇକେଲ ଚୋରି ଅଭିଯୋଗ ରହିଥିଲା। ପ୍ରଦୀପ ଉପରେ ପୁଲିସର ସନ୍ଦେହ ହୋଇଥିଲା। ଗତକାଲି ସନ୍ଧ୍ୟାରେ ବ୍ରହ୍ମେଶ୍ବରପାଟଣା ଅଞ୍ଚଳରେ ପ୍ରଦୀପ ସାଇକେଲରେ ଯାଉଥିବା ବେ​ଳେ ପୁଲିସ ଉଠାଇ ଆଣିଥିଲା। କିନ୍ତୁ ପୁଲିସ ହେପାଜତରେ ପ୍ରଦୀପଙ୍କର ମୃତ୍ୟୁ ହୋଇଥିଲା। କେଉଁ ପରିସ୍ଥିତିରେ ପ୍ରଦୀପଙ୍କର
ମୃତ୍ୟୁ ଘଟିଲା, ତାହା ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ। ପାରିପାର୍ଶ୍ବିକ ସ୍ଥିତି ଭିନ୍ନ କଥା କହୁଛି। ତାଙ୍କ ମୁଣ୍ଡରେ ମାଡ଼ ଚିହ୍ନ, ବାମ ହାତ କଚଟି ଫୁଲିଯିବା ଏବଂ ଶରୀର କେତେକ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଲିସ ଟିମ୍ ଧରିବାକୁ ଯିବା ସମୟରେ ସାଇକେଲ୍‌ରୁ ପଡ଼ିଯିବାରୁ ଖଣ୍ଡିଆ ଖାବରା ହୋଇଥିବା କଥାକୁ ପରିବାରଲୋକ ସହଜରେ ବିଶ୍ବାସ କରିପାରୁ ନାହାନ୍ତି।

ସମ୍ବନ୍ଧିତ ଖବର