ଆୟକର ଓ ଇଡିକୁ ଚିଠି ଲେଖିଲା ଭିଜିଲାନ୍ସ
ଟାଟା କମ୍ପାନିର ଜାଲ୍ ନିଯୁକ୍ତିପତ୍ର ବି ରଖିଛି ଆକାଶ
ରତନ ଟାଟାଙ୍କ ଖାସ୍ ଲୋକ ବୋଲି କ୍ରାଇମବ୍ରାଞ୍ଚକୁ କହିଥିଲା
ଭୁବନେଶ୍ୱର : ବହୁଚର୍ଚ୍ଚିତ ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ କେଳେଙ୍କାରୀ ଘଟଣା ଆଜି ନୂଆ ମୋଡ଼ ନେଇଛି। ଗୋଟିଏ ପଟେ ରାଜ୍ୟ ଭିଜିଲାନ୍ସ ବାପ-ପୁଅଙ୍କ କଳାଧନ ସଂପର୍କରେ ତନାଘନା କରିବା ଲାଗି ଉଭୟ ପ୍ରବର୍ତ୍ତନ ନିର୍ଦେଶାଳୟ ଏବଂ ଆୟକର ବିଭାଗ ଅନ୍ତର୍ଗତ ବେନାମୀ ନିଷିଦ୍ଧ ୟୁନିଟ୍ର ହସ୍ତକ୍ଷେପ ଲୋଡ଼ିଥିବା ବେଳେ ଅନ୍ୟପଟେ ଆକାଶ କିଭଳି କ୍ରାଇମବ୍ରାଞ୍ଚକୁ ଭୁଆଁ ବୁଲାଇଥିଲା, ସେ ନେଇ ଚାଞ୍ଚଲ୍ୟକର ସାମ୍ନାକୁ ଆସିଛି।
ଆଜି ଭିଜିଲାନ୍ସ ସେଲ୍ ଏସ୍ପି ଏମ୍ ରାଧାକ୍ରିଷ୍ଣନ୍ ଏକ ଚିଠି ଲେଖି ପାଠକ ବାପ-ପୁଅଙ୍କ ବେନାମୀ କାରବାର ସଂପର୍କରେ ଜଣାଇଛନ୍ତି। ଏଥିରେ କୁହାଯାଇଛି ଯେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ତଦନ୍ତ ବେଳେ ଆକାଶ ପାଠକଙ୍କର ତିନିଟି ବ୍ୟାଙ୍କ ଆକାଉଣ୍ଟ ଠାବ କରାଯାଇଥିଲା। ଆଇସିଆଇସିଆଇ ବ୍ୟାଙ୍କର ସହିଦନଗର, ବୁନ୍ଦ ଗାର୍ଡେନ୍ ବ୍ରାଞ୍ଚ ପୁନେ ଏବଂ ଏଚ୍ଡିଏଫ୍ସି ବ୍ୟାଙ୍କର କିଟ୍ ଶାଖାରେ ୯େକାଟି ୪୮ଲକ୍ଷ ଟଙ୍କା ଠାବ କରାଯାଇଥିଲା। ପରେ ଦେଖାଗଲା ଯେ ଆଉ ୫କୋଟି ୨୯ଲକ୍ଷ ଟଙ୍କା ଏଥିରେ କାରବାର ହୋଇଛି। ଅର୍ଥାତ୍ ୧୪ କୋଟି ୭୭ଲକ୍ଷ ଟଙ୍କା ରହିଥିଲା। କିନ୍ତୁ ନଭେମ୍ବର ୨୫ ଓ ୨୬ ତାରିଖ ସୁଦ୍ଧା ଆକାଶଙ୍କ ଠାରୁ ଆୟକର ରିଟର୍ଣ୍ଣ ସଂପର୍କିତ କୌଣସି ପ୍ରମାଣପତ୍ର ମିଳିପାରିନାହିଁ। ଏହା ବେନାମୀ ସଂପତ୍ତି ବୋଲି ପ୍ରାଥମିକ ଯାଞ୍ଚରୁ ଜଣାପଡୁଛି। ଯେହେତୁ ଆୟକର ଆଇନ-୧୯୬୧ ଏବଂ ବେନାମୀ କାରବାର ନିଷିଦ୍ଧ ଆଇନ-୧୯୮୮ ଅନୁସାରେ ଭିଜିଲାନ୍ସ ତଦନ୍ତ କରିବାର କ୍ଷମତା ରଖିନି, ଏଣୁ ଆୟକର ବିଭାଗର ବେନାମୀ ନିଷିଦ୍ଧ ୟୁନିଟ୍ ଏହି ମାମଲା ଗ୍ରହଣ କରୁ। ଅନ୍ୟ ଏକ ଚିଠି ପ୍ରବର୍ତନ ନିର୍ଦେଶାଳୟକୁ ବି ଲେଖାଯାଇଛି। ଯୁଗ୍ମ ନିର୍ଦେଶକଙ୍କୁ ଦିଆଯାଇଥିବା ଚିଠିରେ କେଉଁ ସୂତ୍ରରୁ ଏହି ଅର୍ଥ ଆସିଲା, କିଭଳି କାରବାର ହେଲା, ମନି ଲଣ୍ଡରିଂ ଆଇନ ଅନୁସାରେ ଏହାର ତଦନ୍ତ କରିବା ଲାଗି ଶ୍ରୀ ରାଧାକ୍ରିଷ୍ଣନ୍ ଇଡିକୁ ନିବେଦନ କରିଛନ୍ତି।
ଅନ୍ୟପକ୍ଷରେ ଆକାଶ ପାଠକ କ୍ରାଇମବ୍ରାଞ୍ଚକୁ କିଭଳି ବିଭ୍ରାନ୍ତି ଭିତରେ ଛନ୍ଦି ଦେଇଛନ୍ତି ସେ ନେଇ ଆହୁରି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ପାଠକ ନାମରେ କ୍ରାଇମବ୍ରାଞ୍ଚରେ ଏତଲା ହେବା ପରେ ସେ ଏଡି଼ଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଚିଠି ଲେଖିଥିଲା। ନିଜକୁ ଟାଟା କଂପାନିର ଏମ୍ଡି ଦାବି କରିବାକୁ ପଛାଇ ନଥିଲା। ଆକାଶ ପାଠକ ନିଜେ କ୍ରାଇମବ୍ରାଞ୍ଚକୁ ଯେଉଁ ତଥ୍ୟ ଦେଇଛି ତାହାକୁ ବିଶ୍ବାସ କରାଗଲେ ମଣିଷ କେତେ ଧୂର୍ତ୍ତ ହୋଇପାରେ ତାହା କେହି ଅନୁମାନ କରିପାରିବ। ଟାଟା କମ୍ପାନି ସହ ଦୂର ଦୂର ଯାଏ ସମ୍ପର୍କ ନଥିବା ଆକାଶ ନିଯୁକ୍ତି ନାଁରେ ଏଭଳି କେଳେଙ୍କାରୀ କରିଛି ଯେ ଯାହା ସାଧାରଣ ଲୋକ ଧରିବା ମୁସ୍କିଲ। ଅଫର୍ ଲେଟର, ନିଯୁକ୍ତି ପତ୍ର, ସିଲେକ୍ସନ୍ ଲିଷ୍ଟ, ଏମିତି ଅନେକ ଚିଠି ପ୍ରସ୍ତୁତ କରିଛି। ନିଯୁକ୍ତି ପତ୍ର, ମେରିଟ୍ ଲିଷ୍ଟ ସବୁକିଛି ସେ କ୍ରାଇମବ୍ରାଞ୍ଚକୁ ଦେଇଛି। ଏସବୁଥିରେ ଟାଟାର ଲୋଗୋ ଅଛି, ଟାଟା ପୁନେ କାର୍ଯ୍ୟାଳୟର ଠିକଣା ଅଛି ଏବଂ ଜିଏସଟି ନମ୍ବର ବି ଅଛି।
ସେ ଟାଟା ଆଡମିନିଷ୍ଟ୍ରେଟିଭ୍ ସର୍ଭିସର ନିଯୁକ୍ତି ପତ୍ର, ଟାଟା ମୋଟରର୍ସ ପୁନେ ଡିଭିଜନର ଭାଇସ୍ ପ୍ରେସିଡେଣ୍ଟ ନିଯୁକ୍ତି ପତ୍ର, ବୋର୍ଡ ଅଫ୍ ଡ୍ରାଇରେକ୍ଟରରେ ତାକୁ କିଭଳି ଦାୟିତ୍ବ ମିଳିଛି, ଏ ସଂକ୍ରାନ୍ତ କାଗଜ ବି ପ୍ରସ୍ତୁତ କରିଛି।
କୌତୂହଳ କଥା ହେଲା, ଯେତେବେଳେ ଟାଟା କମ୍ପାନି ନାଁରେ ନିଯୁକ୍ତି ଠକେଇର ଅଭିଯୋଗ ଆସିଥିଲା ସେ ନିଜ ଆଡୁ କ୍ରାଇମ ବ୍ରାଞ୍ଚକୁ ସଫେଇ ଦେଇଛି। ସେ ଲେଖିଛି ଯେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା ତାଙ୍କ କାମରେ ଖୁସି ହୋଇ ଅତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲେ। ଟାଟା ମୋଟର୍ସ ବାହାରେ ୨୦୧୯ ମସିହାରେ ପଲିଟିକାଲ ଫଣ୍ଡିଂ ପାଇଁ ତାଙ୍କୁ ନୋଡାଲ ଅଫିସର ନିଯୁକ୍ତ ଦିଆଯାଇଥିଲା। ସେହିପରି ୨୦୧୯ରେ ସାଇରସ୍ ମିସ୍ତ୍ରୀ ଓ ନଟରାଜନ ଚନ୍ଦ୍ରଶେଖରନ ବିବାଦ ସମୟରେ ତାଙ୍କୁ ରତନ ଟାଟା ସ୍ୱତନ୍ତ୍ର ଦାୟିତ୍ୱ ଦେଇଥିଲେ। ଟାଟା ଟ୍ରଷ୍ଟର ସଦସ୍ୟ କରିବା ପାଇଁ ରତନ ଟାଟା ଚାହୁଁଥିଲେ ବୋଲି ବି ଲେଖିଛି ଆକାଶ।
/sambad/media/post_attachments/wp-content/uploads/2020/12/abhya-m26-1-709x430-1.jpg)
ଝାଳବୁହା ଜେରା ଆରମ୍ଭ : ତିନିଦିନିଆ ରିମାଣ୍ଡରେ ଆସିଲେ ବାପ-ପୁଅ, ହାଜର ହେଲେ ତିନି ବ୍ୟାଙ୍କ ଅଧିକାରୀ
ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଚାର ବିଭାଗୀୟ ହାଜତରେ ଥିବା କୋଟିପତି ବାପ-ପୁଅଙ୍କୁ ରିମାଣ୍ଡରେ ଆଣିଛି ଭିଜିଲାନ୍ସର ଏସ୍ଆଇଟି। ତିନିଦିନ ଧରି ଭିଜିଲାନ୍ସର ଏସ୍ଆଇଟି ଉଭୟଙ୍କୁ ଝାଳବୁହା ଜେରା କରିବ। ୫ ଦିନ ରିମାଣ୍ଡରେ ଆଣିବା ପାଇଁ ସ୍ବତନ୍ତ୍ର ଭିଜିଲାନ୍ସ୍ କୋର୍ଟରେ ଆବେଦନ କରାଯାଇଥିଲା। ତେବେ ତିନିଦିନ ପାଇଁ ସ୍ବତନ୍ତ୍ର କୋର୍ଟ ଅନୁମତି ଦେଇଛନ୍ତି।
ଏଣୁ ଏହି ସମୟ ଭିତରେ କେତେ ଅଧିକ ତଥ୍ୟ କାଢ଼ିହେବ, ଭିଜିଲାନ୍ସ ତା ଉପରେ ଏବେ ଗୁରୁତ୍ବ ଦେଉଛି। ମିଳିଥିବା ସୂଚନା ଅନୁସାରେ, ଉଭୟଙ୍କୁ ପ୍ରଥମେ ଅଲଗା ଅଲଗା ଓ ପରେ ମୁହାଁମୁହିଁ ଜେରା କରାଯିବ। ଜେରାରେ ପଚରା ଉଚରା ପାଇଁ ମାଳ ମାଳ ପ୍ରଶ୍ନ ପ୍ରସ୍ତୁତ କରାଯାଇଛି। ଅଫିସରମାନେ ପର୍ଯ୍ୟାୟଵାରି ଯାଇ ଉଭୟଙ୍କୁ ପଚାରିବେ।
ଅନ୍ୟପକ୍ଷରେ ଆଜି ଏସ୍ଆଇଟି ନୋଟିସ ଆଧାରରେ ତିନିଟି ବ୍ୟାଙ୍କର ଅଧିକାରୀ ଭିଜିଲାନ୍ସ ସେଲ୍ରେ ହାଜର ହୋଇଥିଲେ। ଏହି ତିନି ଘରୋଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ତଦନ୍ତକାରୀ ଅଧିକାରୀମାନେ ପାଠକଙ୍କ ଆକାଉଣ୍ଟରେ ଜମା କରାଯାଇଥିବା ୧୪କୋଟି ୭୭ଲକ୍ଷ ଟଙ୍କା ସଂପର୍କରେ ଜାଣିବାକୁ ଚାହିଁଥିଲେ। ଆଜି ପ୍ରାରମ୍ଭିକ ତଥ୍ୟ ହାସଲ କରାଯାଇଛି। ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଟୁର୍ ଅପରେଟରଙ୍କ ଠାରୁ ଆରମ୍ଭ କରି ବ୍ୟାଙ୍କ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଆବଶ୍ୟକ ପଡ଼ିଲେ ଡକାଯିବ। ଏବେ ବାପ ପୁଅଙ୍କୁ ଜେରା ପରେ ଯେଉଁ ତଥ୍ୟ ମିଳିବ, ତାହା ସହିତ ଏମାନଙ୍କର ତଥ୍ୟ ମେଳକ କରାଯିବ।