ମନରେଗା ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ

ଯାଜପୁର:  ବାଲିଚନ୍ଦ୍ରପୁର ପଞ୍ଚାୟତରେ ମନରେଗାରେ ମିଥ୍ୟା ବିଲ୍ କରି ଲକ୍ଷାଧିକ ଟଙ୍କା ହଡପ ଅଭିଯୋଗର ତଦନ୍ତ ପାଇଁ ଆମ୍ବୁଡସମ୍ୟାନ୍ ବଡଚଣା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୪ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ବଡ଼ଚଣା ବିଡିଓ ଏଥି ମଧ୍ୟରେ ସମ୍ପୃକ୍ତ କର୍ମଚାରୀଙ୍କୁ ପଚରାଉଚରା କରିଥିବା ଖବର ମିଳିଛି। ଆଜି ଘଟଣାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ବିଡିଓ ଯାଇନାହାନ୍ତି।  ଅସାଧୁମେଣ୍ଟ ସାହାସପୁର କଲେଜ୍ ନାମରେ ହୋଇଥିବା ମିଥ୍ୟା ବିଲକୁ ଟାଳିବା ପାଇଁ ୨ଦିନ ହେଲା ଶ୍ରମିକ ଲଗାଇ ଘାସ ସଫା କରୁଥିବା ସ୍ଥାନୀୟ ଲୋକ କହିଛନ୍ତି। ‌

ପ୍ରକାଶ ଥାଉକି ବାଲିଚନ୍ଦ୍ରପୁର ପଞ୍ଚାୟତରେ ମନରେଗାରେ ବ୍ୟାପକ ମିଥ୍ୟା ବିଲ୍ କରି ଲକ୍ଷ ଲକ୍ଷ ଟଙ୍କା ଚଳୁ ହୋଇଛି ବୋଲି ପଞ୍ଚାୟତବାସୀ ଜିଲ୍ଲାପାଳ, ବିଡ଼ିଓ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶଙ୍କ ନିକଟରେ ଅଭିଯୋଗ କରିଥିଲେ। ଗତ ୧୫ତାରିଖରେ ‘ସମ୍ବାଦ’ରେ ଏ ନେଇ ଖବର ପ୍ରକାଶ ପାଇଥିଲା। ଏହାପରେ ଆମ୍ବୁଡ୍‌ସମ୍ୟାନ୍‌ ମନରେଗା ମହାଦୁର୍ନୀତି ତଦନ୍ତ କରିବାକୁ ଗତ ୧୬ତାରିଖରେ ବଡଚଣା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ପଞ୍ଚା‌ୟତ କାର୍ଯ୍ୟାଳୟ  ଓ ନିକଟରେ ଥିବା  ଜଗନ୍ନାଥ କଲ୍ୟାଣମଣ୍ଡପ ପରିସରରେ ମାଟି ପକାଇ ୫ଲକ୍ଷ ଓ ୩ଲକ୍ଷ ଟଙ୍କାର ୨ଟି ପ୍ରକଳ୍ପ ଫାଇଲ୍ ଖୋଲାଯାଇଛି।

ଜେସିବି ଓ ହାଇୱାରେ ମାତ୍ର ୬୦/୭୦ ହଜାର ଟଙ୍କାର ମାଟି ଆଣି ଜଗନ୍ନାଥ କଲ୍ୟାଣ ମଣ୍ଡପ ନିକଟରେ  ପକାଇ ପରେ  ମେସିନ ଲଗାଇ ସମତଳ କରାଯାଇଥିଲା। ତେବେ କଲ୍ୟାଣ ମଣ୍ଡପ କାମ ବାବଦରେ  ୨ଲକ୍ଷ ୨୫ହଜାର ୫୪୦ ଟଙ୍କା ଓ ପଞ୍ଚାୟତ କାର୍ଯ୍ୟାଳୟର ମାଟି କାମ ବାବଦରେ  ୧ଲକ୍ଷ ୪୮ହଜାର ୭୪ଟଙ୍କ ବିଲ୍ ହୋଇଛି।  ସେହିପରି ସାହାସପୁର କଲେଜ ପରିସରରେ ମାଟି  ମୁଠାଏ ନପକାଇ ୭୭ହଜାର ଟଙ୍କା ମିଥ୍ୟା ବିଲ୍ କରାଯାଇଛି। ସମ୍ପୃକ୍ତ କର୍ମଚାରୀ  ଦୁର୍ନୀତି ହୋଇଥିବା ପ୍ରସଙ୍ଗକୁ ଅଧିକାରୀଙ୍କ ନିକଟରେ ସ୍ବୀକାର କରି ସହାୟତା ଲୋଡିଛନ୍ତି ବୋଲି ଚର୍ଚ୍ଚା ହେଉଛି।  ବ୍ଲକ୍ ପ୍ରଶାସନ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି ନା ଦୁର୍ନୀତିକୁ ଚାପିବା ପାଇଁ ଅସାଧୁମେଣ୍ଟକୁ ସହଯୋଗ କରୁଛି? ତା ଉପରେ ପଞ୍ଚାୟତବାସୀଙ୍କର ନଜର।

ସମ୍ବନ୍ଧିତ ଖବର