କେନ୍ଦୁଝର : ଜେଏସ୍ଡବ୍ଲ୍ୟୁର ଲଜିଷ୍ଟିକ୍ ପାର୍ଟନର୍ ପିଟିସିଏଲ୍ ପ୍ଲାଣ୍ଟକୁ ପ୍ରଦୂଷଣ ବୋର୍ଡ ପକ୍ଷରୁ କାର୍ଯ୍ୟ କରିବାକୁ ଅନୁମତି ପତ୍ର (କନ୍ସେଣ୍ଟ ଟୁ ଅପରେଟ୍) ଦିଆଯିବାକୁ ନେଇ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଏହି ପ୍ଲାଣ୍ଟକୁ ଏବେ ମରାମତି କରାଯାଉଥିବା ବେଳେ କାର୍ଯ୍ୟକ୍ଷମ ହେବାକୁ ଆହୁରି ତିନିମାସ ଲାଗିବ। ଏଭଳି ସ୍ଥିତିରେ କିପରି କାର୍ଯ୍ୟ କରିବାକୁ ଅନୁମତି ପ୍ରମାଣପତ୍ର ଦିଆଗଲା ସେ ନେଇ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ୩ ତାରିଖରେ ପ୍ରଦୂଷଣ ବୋର୍ଡକୁ ଏକ ଚିଠି କରାଯାଇଛି।
ବଡ଼ବିଲର ମାଟକାମବେଡ଼ାରେ ରହିଛି ପିଟିସିଏଲ୍ର ବେନିଫିଏସନ୍ ପ୍ଲାଣ୍ଟ୍। ଏହି ପ୍ଲାଣ୍ଟ୍ର ଏବେ ମରାମତି କାମ ଚାଲିଥିବାବେଳେ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଦୂଷଣ ବୋର୍ଡ ପକ୍ଷରୁ ଏପ୍ରିଲ ୨୨ ତାରିଖରେ କନ୍ସେଣ୍ଟ ଟୁ ଅପରେଟ ପ୍ରମାଣପତ୍ର ଦିଆଯାଇଛି। ଅନ୍ୟପକ୍ଷରେ ଏହି ପ୍ଲାଣ୍ଟ୍କୁ ଏଯାଏ ବିଦ୍ୟୁତ୍ ସଂଯୋଗ ହୋଇ ନାହିଁ। ତେଣୁ କେଉଁ ପରିସ୍ଥିତିରେ କନ୍ସେଣ୍ଟ ଟୁ ଅପରେଟ୍ ଅନୁମତିପତ୍ର ଦିଆଗଲା ତାହା ଜାଣିବାପାଇଁ ଖଣି ନିର୍ଦ୍ଦେଶକ ଦେବୀଦତ୍ତ ବିଶ୍ବାଳ ପ୍ରଦୂଷଣ ବୋର୍ଡକୁ ଚିଠି ଲେଖିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଗତ କିଛିଦିନ ତଳେ ଜେଏସ୍ଡବ୍ଲ୍ୟୁ ନିଜ ଖଣିରୁ ୬୫ ଗ୍ରେଡ୍ର ସ୍କ୍ରିନିଂ ଲୁହାପଥର ପିଟିସିଏଲ୍କୁ ପରିବହନ ପାଇଁ ଅନୁମତି ମାଗିଥିଲା।
ଖଣି ନିର୍ଦ୍ଦେଶାଳୟ ଏହାକୁ ନେଇ ସନ୍ଦେହ ପ୍ରକାଶ କରିବା ସହ ପ୍ରଦୂଷଣ ବୋର୍ଡକୁ ଚିଠି ଲେଖି କେଉଁ ପରିସ୍ଥିତିରେ କାର୍ଯ୍ୟ କରିବାକୁ ଅନୁମତି ପ୍ରମାଣପତ୍ର ପ୍ରଦାନ କରାଯାଇଛି ତାହା ଦର୍ଶାଇବାକୁ କହିଛି। ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଏଭଳି ପ୍ରମାଣପତ୍ର ଦିଆଯିବା ନେଇ କୌଣସି ନିର୍ଦ୍ଦିଷ୍ଟ ନିୟମ ଅଛି ନା ନାହିଁ, ସେ ସଂପର୍କରେ ମଧ୍ୟ ବିସ୍ତୃତ ଭାବେ ଜଣାଇବାକୁ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦୂଷଣ ବୋର୍ଡକୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି।