ସମ୍ବଲପୁର: ଭାରତୀୟ ଆଇନ୍ଜୀବୀ ପରିଷଦ (ବିସିଆଇ)ର ତଦନ୍ତକାରୀ ଦଳ ଶନିବାର ସମ୍ବଲପୁର ଗସ୍ତରେ ଆସି ଗତ ଡିସେମ୍ବର ୧୨ର ଘଟଣାବଳୀ ଓ ବର୍ତ୍ତମାନର ସ୍ଥିତି ଉପରେ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଓ ପଚରାଉଚରା କରିଛନ୍ତି। ବିସିଆଇ ତରଫରୁ ତିନି ବରିଷ୍ଠ ଆଇନ୍ଜୀବୀ ମାନସ ରଂଜନ ମହାପାତ୍ର, ଦେବୀ ପ୍ରସାଦ ଧଳ ଏବଂ ଯଶୋବନ୍ତ ଦାସଙ୍କ ଟିମ୍ ଶନିବାର ସମ୍ବଲପୁରରେ ପହଞ୍ଚି ପ୍ରଥମେ ଜିଲ୍ଲା ଦୌରା ଜଜ୍ଙ୍କ ସହ ଆଲୋଚନା କରିଥିଲେ।
ଏହାପରେ ଏକ ସୌଜନ୍ୟମୂଳକ ଗସ୍ତରେ ସମ୍ବଲପୁର ଓକିଲ ସଂଘ କାର୍ଯ୍ୟାଳୟକୁ ଯାଇ ବରିଷ୍ଠ ଆଇନ୍ଜୀବୀମାନଙ୍କ ସହ ଆଲୋଚନା କରିଥିଲେ। ୧୨ ତାରିଖର ଘଟଣାବଳୀ ସଂପର୍କରେ କିଛି ପ୍ରଶ୍ନ କରିଥିଲେ। ଆଇନ୍ଜୀବୀମାନଙ୍କୁ ପୁଲିସ୍ର ମାଡ଼ ପ୍ରସଂଗ ଉଠିଥିଲା। ଏହାଛଡ଼ା ଆଇନ୍ଜୀବୀମାନଙ୍କ ନିଲମ୍ବନ କିପରି ଶୀଘ୍ର ଉଠିବ େସ ସଂପର୍କରେ କିଛି ଆଇନ୍ଜୀବୀ କମିଟି ସଦସ୍ୟଙ୍କୁ କହିଥିଲେ। ତେବେ ଏହି ଆଲୋଚନାବେଳେ ନିଲମ୍ବିତ ଆଇନ୍ଜୀବୀମାନେ ସାମିଲ ହୋଇ ନଥିଲେ। ପରେ ବିସିଆଇ ଟିମ୍ ସମ୍ବଲପୁର ଜିଲ୍ଲାପାଳ ଏବଂ ଉତ୍ତରାଞ୍ଚଳ ଆଇଜିଙ୍କୁ ଭେଟି ଆଲୋଚନା କରିଥିଲେ। ସେମାନେ ତଦନ୍ତ ରିପୋର୍ଟ ବିସିଆଇକୁ ପ୍ରଦାନ କରିବେ ଓ ଗସ୍ତ ସଂପର୍କରେ କୌଣସି ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି ଟିମ୍ର ଜଣେ ସଦସ୍ୟ ‘ସମ୍ବାଦ’କୁ କହିଛନ୍ତି।