ଭିମ୍‌ସାର ଅଚଳାବସ୍ଥା, ତଦନ୍ତ ଶେଷ, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ଦୁଇ ଦିନରେ ୧୮ ଘଣ୍ଟା ତନାଘନା

ସମ୍ବଲପୁର: ଭିମ୍‌ସାର ନିର୍ଦେଶକ ଡା. ଅଶ୍ବିନୀ ପୂଜାହାରୀଙ୍କ ବିରୋଧରେ କନିଷ୍ଠ ଡାକ୍ତର ସଂଘ ଆଣିଥିବା ୧୦ ଦଫା ଅଭିଯୋଗର ତଦନ୍ତ ଶେଷ ହୋଇଛି। ଦୁଇଦିନ ମଧ୍ୟରେ ଦୀର୍ଘ ୧୮ ଘଣ୍ଟାର ତନାଘନା ସାରି ତଦନ୍ତକାରୀ ଦଳ ମଙ୍ଗଳବାର ଫେରି ଯାଇଛନ୍ତି। ୧୦ ଦିନ ମଧ୍ୟରେ ସେମାନେ ସ୍ବାସ୍ଥ୍ୟ ବିଭାଗ ମାଧ୍ୟମରେ ରାଜ୍ୟପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏ‌େବ ସେମାନଙ୍କ ରିପୋର୍ଟ ଓ ଏହା ଉପରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ପଶ୍ଚିମ ଓଡ଼ିଶାବାସୀ ଅପେକ୍ଷା କରି ରହିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ଶରତ ଚନ୍ଦ୍ର ମିଶ୍ର, ବିଭୂତି ଭୂଷଣ ଦାଶ, ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ହରପ୍ରସାଦ ପଟ୍ଟନାୟକ ଏବଂ ମେଡିକାଲ ଶିକ୍ଷା ଓ ତାଲିମର ଯୁଗ୍ମ ନିର୍ଦେଶକ ଡା. ଉମାକାନ୍ତ ଶତପଥୀଙ୍କୁ ନେଇ ଗଠିତ ତଦନ୍ତ କମିଟି ସୋମବାର ଓ ମଙ୍ଗଳବାର ଭିମ୍‌ସାରର ବିଭିନ୍ନ ସଂଗଠନ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ମତାମତ ସଂଗ୍ରହ କରିଥିଲେ। ତଦନ୍ତର ଦ୍ବିତୀୟ ଦିନରେ ଏହି ଟିମ୍ ପ୍ରଥମେ କନିଷ୍ଠ ଡାକ୍ତର ସଂଘ ସହ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ପରାମର୍ଶ ଦେଇଥିଲେ। ଏହାକୁ ମିଶାଇ ଏହି ଦୁଇ ଦିନରେ ତଦନ୍ତକାରୀ ଦଳ ୪ ଥର କନିଷ୍ଠ ଡାକ୍ତର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହିଥିଲେ ମଧ୍ୟ ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

୨୦ ସଂଗଠନ ଓ କର୍ମଚାରୀଙ୍କୁ ଭେଟିଲେ
କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନ ଜାରି

ଏହାପରେ କମିଟି ଭିମ୍‌ସାର ନିର୍ଦେଶକ ଡା.ଅଶ୍ବିନୀ ପୂଜାହାରୀଙ୍କୁ ମଧ୍ୟ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ବିଭିନ୍ନ ପ୍ରଶ୍ନ କରିଥିଲେ। ଏଥିସହ ଭିମ୍‌ସାର ଅଧ୍ୟକ୍ଷ ଡା. ବି.ଏମ.ମିଶ୍ରଙ୍କୁ ଡକାଇ କମିଟି ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା କରିଥିଲେ। କନିଷ୍ଠ ଡାକ୍ତର ସଂଘଙ୍କ ଆନ୍ଦୋଳନ ଯୋଗୁଁ ମେଡିକାଲରେ କେଉଁ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ଓ ତାହାର ମୁକାବିଲା ପାଇଁ କ’ଣ କ’ଣ ପଦକ୍ଷେପ ନିଆଯାଇଛି, ସେନେଇ ଡା. ମିଶ୍ରଙ୍କୁ ପଚରାଯାଇଥିଲା। ଡା.ମିଶ୍ରଙ୍କ ଅଧ୍ୟକ୍ଷତାରେ ପୁଣିଥରେ କୋର କମିଟି ବୈଠକ ବସି, ଜେଡିଏକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ବୁଝାଯାଇଥିଲା। କିନ୍ତୁ କୋର କମିଟିର କଥାକୁ ମଧ୍ୟ ଜେଡିଏ ସ୍ବୀକାର କରିନଥିଲା ବୋଲି ଡା.ମିଶ୍ର କହିଛନ୍ତି। ଏହାପରେ, କମିଟି ଭିମସାର ଅଧୀକ୍ଷକ ଡା. ଜୟଶ୍ରୀ ଦୋରାଙ୍କୁ ଡାକି କନିଷ୍ଠ ଡାକ୍ତର ସଂଘ ଆଣିଥିବା ବିଭିନ୍ନ ଅଭିଯୋଗ ସମ୍ପର୍କରେ ପଚାରି ବୁଝିଥିଲେ। ତଦନ୍ତକାରୀ ଦଳ ମାଗିଥିବା ସମସ୍ତ ତଥ୍ୟ ପ୍ରମାଣକୁ ଲିଖିତ ଆକାରରେ ଦିଆଯାଇଥିବା ଅଧୀକ୍ଷକ ଡା.ଦୋରା କହିଛନ୍ତି।

ସମ୍ବନ୍ଧିତ ଖବର