ଖୋର୍ଦ୍ଧା/ପାଟଣା/ଝୁମ୍ପୁରା/ନାକଟିଦେଉଳ: ‘‘ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ହୋଇଛି। ରାମ ମନ୍ଦିର ପ୍ରତିଷ୍ଠା‌ ପରେ ଦେଶରେ ରାମରାଜ୍ୟ ପ୍ରତିଷ୍ଠା ଲକ୍ଷ୍ୟ ନେଇ ଉଦ୍ୟମ ଚାଲିଛି। ବିଜେପି କ୍ଷମତା ହାସଲ ରାଜନୀତି କରେନାହିଁ। ଆମେ ଦେଶ ତିଆରି କରିବା ପାଇଁ ରାଜନୀତି କରୁ। ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ହେବ। ଏହା ହେଲେ ଡବଲ୍ ବିକାଶ ହେବ। ରାଜ୍ୟକୁ ପ୍ରାୟ ୫୦ ବର୍ଷ କାଳ କଂଗ୍ରେସ ଶାସନ କଲା। ୨୪ ବର୍ଷ ହେଲାଣି ବିଜେଡି ଶାସନ କରୁଛି। ଗଲା ୭୪ ବର୍ଷର ଶାସନ ଭିତରେ ଓଡ଼ିଶାର ସ୍ଥିତି କ’ଣ ବଦଳିଛି? ଓଡ଼ିଶାର ବିକାଶ ଯେଉଁସ୍ତରରେ ପହଂଚିବା କଥା ପହଂଚି ପାରିନାହିଁ। ଏଠାରେ ଶାସନ ବ୍ୟବସ୍ଥା ଏମିତି ସ୍ଥିତିକୁ ଚାଲିଆସିଛି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି କୁଆଡ଼େ ଯାଇଛି ତାହା ବି ଜଣାନାହିଁ। ଏଣୁ ଏଥର ସରକାର ବଦଳିବା ଦରକାର।’ ବୋଲି ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଭଳି ମନ୍ତବ୍ୟ ଦେଇଛନ୍ତି। ଆଜି ଶ୍ରୀ ସିଂହ ବିଜେଡି ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। କଂଗ୍ରେସକୁ ବି କଡ଼ା ସମାଲୋଚନା କରିବାକୁ ଭୁଲିନାହାନ୍ତି। ଏହି ଅବସରରେ ବିଜେପିକୁ ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ସେ।

Advertisment

ସମ୍ବଲପୁରର ରେଢ଼ାଖୋଲ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ନାକଟିଦେଉଳ ପାଖ ଜଗନ୍ନାଥ ପ୍ରସାଦରେ ଆୟୋଜିତ ସଭାକୁ ସମ୍ବୋଧିତ କରି ଶ୍ରୀ ସିଂହ କହିଥିଲେ, ବିଜେଡିର ଭୁଲ୍‌ ନୀତି ଯୋଗୁଁ ଓଡ଼ିଶାର ମହାନ ସଂସ୍କୃତି ଅବଲୁପ୍ତ ହେବା ସ୍ଥିତି ଆସିଲାଣି। ବିଜେପିକୁ ଥରେ ସୁଯୋଗ ଦିଆଗଲେ ଓଡ଼ିଶାର ଉନ୍ନତି ଶୀର୍ଷ ସ୍ତରରେ ପହଂଚିବ। ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କୋଣାର୍କ ଚକ୍ରକୁ ବିଶ୍ବନେତୃତ୍ବ ସମ୍ମୁଖରେ ଉପସ୍ଥାପନ କରି ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ଉଜ୍ଜ୍ବଳା ଯୋଜନାରେ ଓଡ଼ିଶାର ୫୪ ଲକ୍ଷ ଗରିବ ମା’ମାନଙ୍କୁ ଗ୍ୟାସ୍‌ ଯୋଗାଇ ଦିଆଯାଇଛି। ଓଡ଼ିଶାରେ ନବୀନ ସରକାର ସବୁଦିଗରୁ ବିଫଳ ହୋଇଛି। ମୋଦୀ ସରକାରଙ୍କ ଯୋଜନା କାର୍ଯ୍ୟାନ୍ବୟନ କରୁନଥିବାରୁ ଓଡ଼ିଶା ଜନସାଧାରଣ ସେଥିରୁ ବଂଚିତ ହେଉଛନ୍ତି। ବିଜେପି ସରକାର ଗଠନ କଲେ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ହେବ। ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀ ସିଂହ ମଧ୍ୟ ବିଜେପିର ବିଭିନ୍ନ ସଫଳତାକୁ ବର୍ଣ୍ଣନା କରିଥିଲେ। କହିଥିଲେ, ବିଜେପି ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିଛି। ଜାମ୍ମୁ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ, ରାମମନ୍ଦିର ପ୍ରତିଷ୍ଠା ଓ ତିନି ତଲାକ୍ ଉଚ୍ଛେଦ ଆଦି ଏହାର ପ୍ରମାଣ। ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ବିଶ୍ବର ମହାଶକ୍ତିରେ ପରିଣତ ହେବ, ବିଶ୍ବ କଲ୍ୟାଣ ପାଇଁ କାମ କରିବ। ଭାରତ ଦ୍ରୁତ ଗତିରେ ଉନ୍ନତି କରୁଥିଲା ବେଳେ ପାକିସ୍ତାନ ଭିକ୍ଷାଥାଳି ଧରି ବିଶ୍ବରେ ବୁଲୁଛି। ଆଜି ଭାରତ ନିଜ ସ୍ବର ବିଶ୍ବରେ ଶାଣିତ ଓ ଦୃଢ଼ ଭାବରେ ଉପସ୍ଥାପନ କରିପାରୁଛି। ପାକ୍ ଅଧିକୃତ କଶ୍ମୀର (ପିଓକେ) ଭାରତର ଥିଲା ଓ ଭାରତରେ ରହିବ। ଖୁବ୍‌ ଶୀଘ୍ର ପିଓକେ ଭାରତରେ ସାମିଲ‌ ହେବ। ଋଷ-ୟୁକ୍ରେନ୍‌ ଯୁଦ୍ଧ ସମୟରେ ମୋଦୀଙ୍କ ପ୍ରଭାବୀ ନେତୃତ୍ବ ଯୋଗୁଁ ଭାରତର ଛାତ୍ରଛାତ୍ରୀଙ୍କୁ ନିରାପଦ ଭାବରେ ଅଣାଗଲା। ଗରିବୀ ହଟାଓ ସ୍ଲୋଗାନ୍ ଦେଉଥିବା କଂଗ୍ରେସ ଦେଶରୁ ଗରିବୀ ହଟାଇବାରେ ସମର୍ଥ ହେଲା ନାହିଁ। ବିଜେପିର ଗତ ୧୦ ବର୍ଷର ଶାସନରେ ୨୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖାକୁ ଉପରକୁ ଉଠିଛନ୍ତି।

ଖୋର୍ଦ୍ଧା ସହରର ହାବେଳିପଡ଼ିଆରେ ଆୟୋଜିତ ସମାବେଶରେ ମନ୍ତ୍ରୀ ସିଂହ ଗଲା ୧୦ ବର୍ଷରେ ମୋଦୀ ସରକାରର ଉପଲବ୍ଧି ବଖାଣିଥିଲେ। କହିଥିଲେ, ପୂର୍ବର ଉପା ସରକାରରେ ଭ୍ରଷ୍ଟାଚାରର ଲମ୍ବା ତାଲିକା ଅଛି। ଅନେକ ମନ୍ତ୍ରୀ ଦୁର୍ନୀତି ପାଇଁ ଜେଲ୍‌ ଯାଇଛନ୍ତି। କିନ୍ତୁ ଅଟଳ ବିହାରୀ ବାଜପେୟୀଙ୍କଠାରୁ ଆରମ୍ଭ କରି ମୋଦୀ ଯାଏଁ, କୌଣସି ସରକାରରେ ମନ୍ତ୍ରୀଙ୍କ ଦେହରେ ଭ୍ରଷ୍ଟାଚାରର ଦାଗ ଏଯାଏ ଲାଗି ନାହିଁ କି ଲାଗିବ ନାହିଁ। ମୋଦୀ ସରକାରରେ ଦେଶ ଇଞ୍ଚେ ବି ଜମି କାହାକୁ ଦେଇନାହିଁ। ବର୍ତ୍ତମାନ ଭାରତ ଏତେ ବଳଶାଳୀ ହୋଇପଡ଼ିଛି ଯେ, ଦେଶର ସୀମାରେ ହେଉ ଅବା ସୀମା ବାହାରକୁ ଯାଇ ଶତ୍ରୁନାଶ କରିବାର କ୍ଷମତା ରଖିଛି। ପାକ୍‌ ଅଧିକୃତ କାଶ୍ମୀରବାସୀ ବି ଏବେ ଭାରତ ସହିତ ଯୋଡ଼ି ହେବାକୁ ଚାହୁଛନ୍ତି। ‘ପିଓକେ’ ଭାରତର ଅଂଶ ଥିଲା, ଅଛି ଓ ଆଗକୁ ରହିବ ମଧ୍ୟ। ଦେଶର ଅଖଣ୍ଡତା ବଜାୟ ରହିବ ଓ ଭାରତ ବିଶ୍ବର ମହାଶକ୍ତିରେ ପରିଣତ କରିବାକୁ ହେଲେ ମୋଦୀଙ୍କ ହାତମୁଠାକୁ ଟାଣ କରିବାକୁ ହେବ।

ସେହିଭଳି ଓଡ଼ିଶାକୁ ଭାରତର ଏକ ନମ୍ବର ରାଜ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଚାହାନ୍ତି ବୋଲି କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନମଣ୍ଡଳୀର ଅସନପାଟଠାରେ ଶ୍ରୀ ସିଂହ କହିଥିଲେ। ଓଡ଼ିଶାରେ ଡବଲ୍‌ ଇଞ୍ଜିନ୍‌ ସରକାର ଗଠନ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ନିବେଦନ କରିଥିଲେ। ସେ ଆହୁରି କହିଥିଲେ, ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁ ଆଜି ଦେଶର ସର୍ବୋଚ୍ଚ ରାଷ୍ଟ୍ରପତି ଆସନରେ ବସିଛନ୍ତି। ବିଜେଡିର ୨୫ ବର୍ଷ ଶାସନରେ ଓଡ଼ିଶାର ବିକାଶ ପଛରେ ପଡ଼ିଯାଇଛି। କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ଅପହରଣ କରୁଛନ୍ତି। ବିଜେପି କ୍ଷମତାକୁ ଆସିଲେ ପ୍ରଥମେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଚାରିଦ୍ୱାର ଖୋଲାଯିବ। କେନ୍ଦୁଝରର ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଓ ପାଟଣା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାଏକଙ୍କୁ ପଦ୍ମଫୁଲ ଚିହ୍ନରେ ଭୋଟ ଦେବାକୁ ସେ ନିବେଦନ କରିଥିଲେ।