ଏମସିଏଲର କୋଇଲା ପରିବହନ ପ୍ରଦୂଷଣ ମାମଲା: ପ୍ରଭାବିତ ଅଞ୍ଚଳରେ ତଦନ୍ତକାରୀ କମିଟି

କମିଟି ଆଖିରୁ ବର୍ତ୍ତିବା ପାଇଁ ଏମସିଏଲର କୋଇଲା ପରିବହନ ବନ୍ଦ

ସୁନ୍ଦରଗଡ଼: ଏମସିଏଲ କୁଲଡା କୋଇଲା ଖଣି ଓ ଛତିଶଗଡ଼ ତମନାର ତାପଜ ବିଦ୍ୟୁତ ପ୍ରକଳ୍ପକୁ କୋଇଲା ପରିବହନରେ ପରିବେଶ ନିୟମ ଉଲ୍ଲଂଘନ ହେଉଥିବା ଗଣମାଧ୍ୟମର ରିପୋର୍ଟକୁ ଆଧାର କରି ଏନଜିଟି ଏପ୍ରିଲରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଶୁକ୍ରବାର ମଧ୍ୟାହ୍ନରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀଙ୍କ ନେତୃତ୍ୱରେ କୋଲକାତାସ୍ଥିତ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡିଶା ଓ ଛତିଶଗଡ଼ର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଭୁବନେଶ୍ୱରର ଆଞ୍ଚଳିକ ଅଧିକାରୀ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ତଥା ସୁନ୍ଦରଗଡ଼ (ଓଡ଼ିଶା) ଓ ରାୟପୁର (ଛତିଶଗଡ଼)ର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନେଇ ଗଠିତ ଏକ ମିଳିତ କମିଟି ପ୍ରଭାବିତ ଅଞ୍ଚଳରେ ପହଞ୍ଚିଛନ୍ତି। ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ ସହ ପ୍ରଦୂଷଣ ସମ୍ବନ୍ଧିତ ତଥ୍ୟ ସଂଗ୍ରହ ଆରମ୍ଭ କରିଛନ୍ତି।

ତେବେ କମିଟି ଆଖିରୁ କୋଇଲା ପରିବହନଜନିତ ଧୂଳିଧୂଆଁ ବା ପ୍ରଦୂଷଣକୁ ଲୁଚାଇବାକୁ ଏମସିଏଲ ଅତି ଚତୁରତାର ସହ ଶୁକ୍ରବାର ପରିବହନ ସମ୍ପୂର୍ଣ୍ଣ ବନ୍ଦ ରଖିଛି। ଶହ ଶହ କୋଇଲା ବୋଝେଇ ଟ୍ରକ ଚାଲୁଥିବା ରାସ୍ତା ପୂରା ଶୂନଶାନ୍ ରହିଛି। ସୂଚନାଯୋଗ୍ୟ, କୁଲଡାଠାରୁ ତାମନାରକୁ କୋଇଲା ପରିବହନ ସମୟରେ ୨୧ ଟନ୍ କ୍ଷମତା ବିଶିଷ୍ଟ ୨ ଶହ ଡମ୍ପରରେ କୋଇଲା ପରିବହନ ସମୟରେ ପରିବେଶ ନିୟମ ଉଲ୍ଲଂଘନ ହେଉଥିବା ସମ୍ବାଦ ସମେତ ବିଭିନ୍ନ ଖବରକାଗଜରେ ରିପୋର୍ଟ ପ୍ରକାଶ ପାଇଥିଲା। ଦୈନିକ ୪ ଶହ ଟ୍ରିପ୍ କିମ୍ବା ପ୍ରତି ୩-୪ ମିନିଟରେ ଏକ ଟ୍ରକ୍ ଅର୍ଥାତ ଘଣ୍ଟା ଘଣ୍ଟା ଧରି ଯାତାୟତ କରୁଥିବା ଯୋଗୁଁ ୧୪ଟି ଗାଁର ୧୫ ହଜାରରୁ ଅଧିକ ଲୋକ ଶ୍ବାସକ୍ରିୟା ରୋଗରେ ପଡ଼ିବା ସହ ପ୍ରଦୂଷଣ ଯୋଗୁଁ ଜଳ ଏବଂ ଫସଲ ଜମି ଦୂଷିତ ହୋଇ ଉତ୍ପାଦକତା ହରାଇବା, ପନିପରିବା ଓ ଧାନ କଳା ହୋଇଯାଉଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଏନଜିଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଆସନ୍ତା ଜୁଲାଇ ୧୫ରେ ମାମଲାର ଶୁଣାଣି ହେବାକୁ ରହିଛି। ଅନ୍ଯପଟେ ନିକଟରେ ଏମସିଏଲକୁ କୁଲଡା ଓ ଗର୍ଜନବାହାଲର ସମ୍ପ୍ରସାରଣ ପାଇଁ ବିଶେଷଜ୍ଞ ମୂଲ୍ୟାଙ୍କନ ସମିତି (ଇଏସି) ‘ଗାଁ ରାସ୍ତା ମଝିରେ ଓ ବିଦ୍ୟାଳୟ, ଅଙ୍ଗନବାଡ଼ି, ଡାକ୍ତରଖାନା ପାର୍ଶ୍ବ ଦେଇ କୋଇଲା ପରିବହନ ନକରିବା, ସବୁଜ ପରିବେଶ ସୃଷ୍ଟି ପାଇଁ ୮୫ ହେକ୍ଟର ଜମିରେ ବୃକ୍ଷରୋପଣ ଯେଉଁଥିରେ ୮୦ ପ୍ରତିଶତ କେବଳ ଶାଳ ଗଛ ରଖିବା, ପ୍ରଭାବିତ ଅଞ୍ଚଳରେ ପିଇବା ପାଣି, ରାସ୍ତାରେ ସୋଲାର ଲାଇଟ୍‌ ବ୍ୟବସ୍ଥା ଆଦି କଡ଼ା ସର୍ତ୍ତ ମଧ୍ୟରେ ଅନୁମତି ଦେଇଥିଲା। ଏସବୁ ସର୍ତ୍ତ ପାଳନର ଫଟୋ ସହ ଏହାର ରିପୋର୍ଟ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ତଥା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଆସନ୍ତା ୨୦୨୨ ଜୁନରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ଏ ସ୍ଥିତିରେ ଏନଜିଟିର ପ୍ରଦୂଷଣ ତଦନ୍ତ ଏମସିଏଲ ପାଇଁ ମୁଣ୍ଡବ୍ୟ ଥାର କାରଣ ହୋଇଛି।

ସମ୍ବନ୍ଧିତ ଖବର