କଟକ/ଚୌଦ୍ବାର: ରାଜ୍ୟର ପ୍ରଥମ ଶିଳ୍ପନଗରୀ ଚୌଦ୍ବାରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୟନଶିଳ୍ପ କମ୍ପାନି ୱେଲ୍‌ସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଶିଳାନ୍ୟାସ କରିଛନ୍ତି। ଏହାଦ୍ବାରା ଚୌଦ୍ବାରରେ ଶିଳ୍ପ ପୁଞ୍ଜିନିବେଶ ଓ ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି। ଏହି ପ୍ରକଳ୍ପରେ ୩ ହଜାର କୋଟିରୁ ଅଧିକ ଟଙ୍କା ପୁଞ୍ଜିନିବେଶ କରାଯିବା ସହ ୧୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କପା ଚାଷୀ ମଧ୍ୟ ଉପକୃତ ହେବା ସହ ମହିଳାମାନଙ୍କ ଦକ୍ଷତା ବିକାଶ, ନିଯୁକ୍ତି ପାଇଁ ବିପୁଳ ସୁଯୋଗ ସୃଷ୍ଟି ହେବ। ପ୍ରକଳ୍ପ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଚୌଦ୍ବାର ତାର ଗୌରବ ଫେରି ପାଇବାକୁ ଯାଉଛି। ପଚାଶ ଦଶକର ଆରମ୍ଭରେ ବିଜୁ ବାବୁ ଚୌଦ୍ବାରରେ ଶିଳ୍ପ ବିକାଶର ଭିତ୍ତି ରଖିଥିଲେ। ଆଜି ପୁଣି ଥରେ ଚୌଦ୍ବାର ପାଇଁ, କଟକ ଜିଲ୍ଲା ପାଇଁ, ସାରା ଓଡ଼ିଶା ପାଇଁ ଶିଳ୍ପ କ୍ଷେତ୍ରରେ ନୂଆ ଇତିହାସ ଲେଖାଗଲା। ୱେଲ୍‌ସ୍ପନ ଗ୍ରୁପ ବିଶ୍ୱର ଏକ ପ୍ରସିଦ୍ଧ ବୟନ ସାମଗ୍ରୀ ଉତ୍ପାଦନ କମ୍ପାନି। ଚୌଦ୍ୱାରରେ ଏହା ଏକ ସମନ୍ବିତ ବୟନଶିଳ୍ପ ପ୍ରସ୍ତୁତି କାରଖାନା ଓ ଗୋଦାମ (ଇଣ୍ଟିଗ୍ରେଟେଡ୍‌ ଟେକ୍ସଟାଇଲ ମାନୁଫାକ୍ଚରିଂ ଫାସିଲିଟି ଏବଂ ୱେୟାରହାଉସିଂ କମ୍ପ୍ଲେକ୍ସ) ନିର୍ମାଣ କରୁଛି। ଏଥିପାଇଁ କମ୍ପାନି ୩ ହଜାର୫୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରୁଛି। ଏହା ସହିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକ ପାଇଁ ବ୍ୟାପାର କ୍ଷେତ୍ରରେ ବିପୁଳ ସମ୍ଭାବନା ସୃଷ୍ଟି ହେବା ସହିତ ରାଜ୍ୟର ଶିଳ୍ପ ବାତାବରଣରେ ଉନ୍ନତି ଆସିବ। ୨୦୨୨ ମେକ-ଇନ୍‌-ଓଡିଶା କାର୍ଯ୍ୟକ୍ରମ ସମୟରେ ରାଜ୍ୟ ଶିଳ୍ପ ବିଭାଗ ଓ ଇପିକଲ୍‌ ପକ୍ଷରୁ ଏକ ଟିମ୍‌ ୱେଲ୍‌ସ୍ପନ ଗ୍ରୁପର ଅଧ୍ୟକ୍ଷ ବି.କେ. ଗୋଏଙ୍କାଙ୍କୁ ଓଡିଶାରେ ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ। ଓଡ଼ିଶାର ଶିଳ୍ପନୀତି ଓ ଅନୁକୂଳ ଶିଳ୍ପ ବାତାବରଣକୁ ଉପଲବ୍ଧି କରି ଏହି ଗ୍ରୁପ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସମ୍ମତି ପ୍ରକାଶ କରିଥିଲେ। ଏହି ଶିଳ୍ପ ଦ୍ବାରା କଳାହାଣ୍ଡି, ବଲାଙ୍ଗୀର, ରାୟଗଡା ଓ ଗଜପତି ପରି ଜିଲ୍ଲାର କପା ଚାଷୀମାନେ ମଧ୍ୟ ଉପକାର ପାଇବେ। ସେମାନଙ୍କ କପା ବିକ୍ରି ପାଇଁ ଆଉ ବାହାରକୁ ଯିବନି। ବୟନ ଶିଳ୍ପରେ ମା’ ମାନଙ୍କ ପାଇଁ ବହୁତ ସୁଯୋଗ ରହିଛି। ୱେଲ୍‌ସ୍ପନ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଗୋଏଙ୍କାଙ୍କୁ ଓଡିଶାରେ ପୁଞ୍ଜି ବିନିଯୋଗ ପାଇଁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ବିକାଶ ଯାତ୍ରାରେ ୱେଲ୍‌ସ୍ପନ ଗ୍ରୁପର ସହଯୋଗ ଅଭିବୃଦ୍ଧିରେ ନୂଆ ଅଧ୍ୟାୟ ସୃଷ୍ଟି କରିବ। ଏହି ଶିଳ୍ପର ସଫଳତା ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

Advertisment

ୱେଲ୍‌ସ୍ପନ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଗୋଏଙ୍କା କହିଛନ୍ତି ଯେ ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାରେ ବ୍ୟାପକ ଉନ୍ନତି ଆସିଛି। ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ଓ କଠିନ ପରିଶ୍ରମ ଯୋଗୁ ଆଜି ଓଡ଼ିଶାରେ ଏପରି ପରିବର୍ତ୍ତନ ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରି କହିଥିଲେ ଯେ ଏହି ନୀତି ଯୋଗୁ ଆଜି ଓଡ଼ିଶାର ସରକାରୀ ସ୍କୁଲ ଗୁଡିକ ଘରୋଇ ସ୍କୁଲଠାରୁ ଅଧିକ ଭଲ ହୋଇପାରିଛି। ଭାରତରେ ସବୁଠାରୁ ଅଧିକ ପୁଞ୍ଜି ଓଡ଼ିଶାକୁ ହିଁ ଆସୁଛି। ଓଡ଼ିଶାର କପା ଚାଷୀଙ୍କ ଉନ୍ନତି ପାଇଁ ମଧ୍ୟ ସେ ଉଦ୍ୟମ କରିବେ ବୋଲି କହିବା ସହ ଓଡ଼ିଶାର ଶିଳ୍ପ ବାତାବରଣକୁ ଆହୁରି ଉନ୍ନତ କରିବା ପାଇଁ ସେ ତାଙ୍କର ଅବଦାନ ରଖିବେ ବୋଲି କହିଥିଲେ। ଏହି ପ୍ରକଳ୍ପ ଦ୍ୱାରା ୧୦ ହଜାର ପ୍ରତ୍ୟକ୍ଷ ନିଯୁକ୍ତି ସହିତ ୨୦ ହଜାର ପରୋକ୍ଷ ନିଯୁକ୍ତି ମିଳିବ ବୋଲି ସେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଯୋଗଦେଇ କହିଲେ ଯେ ଚୌଦ୍ୱାର ହେଉଛି ଓଡ଼ିଶାର ପ୍ରଥମ ଶିଳ୍ପ ନଗରୀ। ଆଜି ପୁଣି ଥରେ ଏହା ବିକାଶ ପଥରେ ଅଗ୍ରସର ହେଲା। ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଜନସାଧାରଣଙ୍କ ସହ ମତ ବିନିମୟ କରି ବିଭିନ୍ନ ଯୋଜନାର ବର୍ଦ୍ଧିତ ଭତ୍ତା ସଂପର୍କରେ ଆଲୋଚନା କରିଥିଲେ। ମଧୁବାବୁ ପେନ୍‌ସନ୍‌, ମମତା, ଲକ୍ଷ୍ମୀ ଓ କଳାକାର ଭତ୍ତା ଯୋଜନା ସଂପର୍କରେ ସେ ବଢିଥିବା ଭତ୍ତା ସଂପର୍କରେ ଲୋକଙ୍କୁ ସଚେତନ କରିଥିଲେ। ନୂଆ-ଓ ଛାତ୍ରବୃତ୍ତି ସଂପର୍କରେ ସୂଚନା ଦେଇ ସେ କହିଥିଲେ ଯେ ଚଳିତ ମାସ ୨୫ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ଏହି ଛାତ୍ରବୃତ୍ତି ପାଇବେ। ଚୌଦ୍ବାର-କଟକ ବିଧାୟକ ସୌଭିକ୍‌ ବିଶ୍ବାଳ ବୟନଶିଳ୍ପ ପାଇଁ ବିସ୍ଥାପନର ଶିକାର ୬୫୦ ପରିବାରର ଘର ସମସ୍ୟା ସୃଷ୍ଟି ହେଉଥିବା ସଂପର୍କରେ ସୂଚନା ଦେଇ ଏହାର ସମାଧାନ କିପରି କରାଯିବ ସେ ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ୫-ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଏହି ସମସ୍ୟା ଶୀଘ୍ର ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କ ସମସ୍ୟାର କିପରି ସମାଧାନ କରାଯିବ ସେ ସଂପର୍କରେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଅର୍ଥର ଅଭାବ ନାହିଁ ବୋଲି ସେ ସୂଚନା ଦେଇଥିଲେ।

ଆଜିର କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇଥିଲେ। ଏଥିସହ ମାହାଙ୍ଗା ବିଧାୟକ ପ୍ରତାପ ଜେନା, କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଧନ୍ୟବାଦ ଦେଇଥିଲେ।