ଭୁବନେଶ୍ୱର: ଓଡ଼ିଶାକୁ ଭାରତର ବୟନ ରାଜଧାନୀରେ ପରିଣତ କରିବା ଲକ୍ଷ୍ୟ ନେଇ ପ୍ରଥମଥର ଆୟୋଜନ କରାଯାଇଥିବା ‘ଓଡ଼ିଶା ଟେକ୍ସ ୨୦୨୫’ କନ୍‌କ୍ଲେଭ୍‌ରେ ରାଜ୍ୟକୁ ୭,୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ମିଳିଛି। ଏଥିରେ ୩୩ଟି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଆସିଥିବା ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରୀ ହେ‌ଲେ ରାଜ୍ୟରେ ୫୩,୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଶୁକ୍ରବାର ଲୋକସେବା ଭବନ କନ୍‌ଭେନ୍‌‌ସନ୍‌‌ ସେଣ୍ଟର୍‌ରେ ଆୟୋଜିତ କନ୍‌କ୍ଲେଭ୍‌ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଗତସିଂହପୁର ଏବଂ ଭଦ୍ରକରେ ଦୁଇଟି ଟେକ୍ସଟାଇଲ ଓ ଫୁଟ୍‌ୱିୟର ପାର୍କ ଲୋକାର୍ପଣ କରିଥିଲେ। ଏହା ସହିତ ପ୍ରତିବର୍ଷ ବୟନ କନ୍‌କ୍ଲେଭ୍ ଆୟୋଜନ କରାଯିବ ବୋଲି ଘୋଷଣା କରିଥିଲେ।

Advertisment

କନ୍‌କ୍ଲେଭ୍‌କୁ ସମ୍ବୋଧିତ କରି ରାଜ୍ୟର ପ୍ରାଚୀନ ବସ୍ତ୍ର ପରମ୍ପରା ଏବଂ ଆମ ସଂସ୍କୃତି, ପରମ୍ପରା ସହ ବସ୍ତ୍ରର ଥିବା ଗଭୀର ସମ୍ପର୍କ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଲୋକପାତ କରିଥିଲେ। ପଶ୍ଚିମ ଓଡ଼ିଶାର ପାରମ୍ପରିକ ବସ୍ତ୍ର ପ୍ରସ୍ତୁତି ପ୍ରକ୍ରିୟା, ବ୍ରହ୍ମପୁରର ରେଶମ, ଗଜପତି, କେନ୍ଦୁଝରର ଟସର ଓ ମାଣିଆବନ୍ଧ ସୂକ୍ଷ୍ମକଳାର ପ୍ରଚାର ପ୍ରସାର ମାଧ୍ୟମରେ ଓଡିଶାକୁ ବୟନ ହବ୍ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ଆସନ୍ତା ଦଶନ୍ଧିରେ ରାଜ୍ୟରେ ବୟନ କ୍ଷେତ୍ରରେ ୫ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି କରିବା ସହିତ ୫ଟି ଟେକ୍ସଟାଇଲ ଓ ଆପାରେଲ୍ ପାର୍କ ବିକଶିତ କରିବା ପାଇଁ ସରକାର ଯୋଜନା ରଖିଥିବା ସେ କହିଥିଲେ। ବଲାଙ୍ଗୀର, କେନ୍ଦୁଝର, ସମ୍ବଲପୁର, ଜଗତସିଂହପୁର, ଗଞ୍ଜାମ ଓ କଟକରେ ନୂଆ ବୟନ କ୍ଲଷ୍ଟର୍‌ ଖୋଲାଯିବ ବୋଲି ସେ କହିଥିଲେ। 

‘ସପ୍ତାହକୁ ଥରେ ହସ୍ତତନ୍ତ ପିନ୍ଧ’

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ ଯେ ଦକ୍ଷତା ଏବଂ ଶିଳ୍ପ ଦ୍ୱାରା ଓଡ଼ିଶାର ସ୍ଥାୟୀ ଅଭିବୃଦ୍ଧି, ଆଞ୍ଚଳିକ ବିକାଶ ଓ ଏକ ଉତ୍ସର୍ଗୀକୃତ ଟାସ୍କଫୋର୍ସ ମାଧ୍ୟମରେ ନିବେଶକମାନଙ୍କୁ ଆକୃଷ୍ଟ କରୁଛି। ଓଡ଼ିଶାରେ କଞ୍ଚାମାଲ ଉପଲବ୍ଧତାଠାରୁ ବନ୍ଦର ସଂଯୋଗୀକରଣ ଏବଂ ଏକ ସହାୟକ ନୀତି ବୟନ ଓ ପୋଷାକ ନିବେଶ ପାଇଁ ଓଡ଼ିଶା ସବୁଠାରୁ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ପାଲଟିଛି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପବଳ ସାମନ୍ତ କହିଥିଲେ ଯେ ଆମର ପ୍ରତିବଦ୍ଧତା ହେଉଛି ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ସୁଦୃଢ଼ କରିବା ସହିତ ଆଧୁନିକ ବୟନ ନିବେଶକୁ ଦ୍ୱିଗୁଣିତ କରିବା। 
ଆଜିର କନ୍‌କ୍ଲେଭ୍‌ରେ ୧୬୦ରୁ ଅଧିକ ବୃହତ୍‌ ଓ ନୂତନ ଉଦ୍ୟୋଗୀ ଯୋଗ ଦେଇଥିଲେ। ପେଜ୍‌ ଇଣ୍ଡଷ୍ଟ୍ରିଜ୍, ଫାଷ୍ଟ୍‌ ଷ୍ଟେପ୍ ବେବି ଓୟାର, କେପିଆର୍‌ ମିଲ୍‌ସ, ସ୍ପୋର୍ଟକିଙ୍ଗ୍‌, ଆଦର୍ଶ ନିଟ୍‌ଓୟାର, ଅନୁଭବ ଆପାରେଲ୍‌ସ, ବନ୍ ଆଣ୍ଡ୍‌ କୋ ଏବଂ ବିଏଲ୍‌ ଭଳି ନାମୀଦାମୀ କମ୍ପାନିର ପ୍ରତିନିଧି ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ଓ ବୟନ ସଚିବ ଗୁହା ପୁନମ ତାପସ କୁମାର ଉପସ୍ଥିତ ଥିଲେ। 

ବୟନ କର୍ମଚାରୀଙ୍କ ମଜୁରି ହଜାରେ ଟଙ୍କା ବଢ଼ିଲା
-ସପ୍ତାହକୁ ଦିନଟିଏ ହସ୍ତତନ୍ତ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ଭୁବନେଶ୍ବର: ବୟନ ‌କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସେମାନଙ୍କୁ ଦିଆଯାଉଥିବା ମଜୁରି ରିହାତିରେ ୧୦୦୦ ଟଙ୍କା ବୃଦ୍ଧି କରାଯାଇଛି। ଓଡ଼ିଶା ଟେକ୍ନିକାଲ୍‌ ଟେକ୍ସଟାଇଲ୍‌ ଓ ପୋଷାକ ନୀତି ୨୦୨୨ ଅଧୀନରେ ସବ୍‌ସିଡି ରାଶିକୁ ବୃଦ୍ଧି କରାଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହାଦ୍ୱାରା ମହିଳା କର୍ମଚାରୀଙ୍କୁ ମାସକୁ ୬ ହଜାର ଟଙ୍କା ବଦଳରେ ୭ ହଜାର ଏବଂ ପୁରୁଷ କର୍ମଚାରୀଙ୍କୁ ମାସକୁ ୫ ହଜାର ବଦଳରେ ୬ ହଜାର ଟଙ୍କା ପ୍ରଦାନ କରାଯିବ। ଏଥିସହିତ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ସପ୍ତାହକୁ ଯେକୌଣସି ଗୋଟିଏ ଦିନ ହସ୍ତତନ୍ତରୁ ପ୍ରସ୍ତୁତ ପୋଷାକ ପିନ୍ଧିବାକୁ ଆହ୍ବାନ ଦେଇଛନ୍ତି।