ଭୁବନେଶ୍ୱର : ୭୪ ତମ ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ପତାକା ତ୍ତୋଳନ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ବୋଷ, ସର୍ଦ୍ଦାର ପଟେଲ, ମୌଲାନା ଆଜାଦ, ଡଃ ଆମ୍ବେଦକର, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ବୀର ସୁରେନ୍ଦ୍ର ସାଏ, ସହୀଦ ଲକ୍ଷ୍ମଣ ନାୟକ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ମା ରମାଦେବୀ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦେଶର ଏକତା ଓ ସୁରକ୍ଷା ପାଇଁ ସହୀଦ ହୋଇଥିବା ଅମର ଜବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଆପଣମାନେ ଜାଣନ୍ତି ଗତ ୫ ମାସ ହେଲା ସାରା ଦେଶ କରୋନା ବିରୁଦ୍ଧରେ ଲଢ଼ୁଛି। ଏ ଲଢ଼େଇରେ ସହିଦ ହୋଇଥିବା କୋଭିଡ ଯୋଦ୍ଧାମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। କରୋନା ଆଜି କେବଳ ଭାରତ ନୁହେଁ ସାରା ବିଶ୍ୱ ତଥା ମାନବ ଜାତି ପାଇଁ ଏକ ବହୁତ ବଡ଼ ସଙ୍କଟ ଭାବେ ଦେଖାଦେଇଛି। ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ପର୍ଯ୍ୟଟନ, ପରିବହନ ତଥା ସମାଜ ଉପରେ ଏହା ଗଭୀର ପ୍ରଭାବ ପକେଇଛି। ସାରା ବିଶ୍ୱରେ କୋଟି କୋଟି ଲୋକ ଜୀବିକା ହରାଉଛନ୍ତି। ଭ୍ୟାକ୍ସିନ୍ ଆସିବା ପରେ କରୋନା ନିୟନ୍ତ୍ରଣ ହେବ। କିନ୍ତୁ ଅର୍ଥନୀତି ଓ ସମାଜ ଉପରେ କରୋନା ଯେଉଁ କ୍ଷତି କରିଛି ତାକୁ ଭରଣା କରିବା ପାଇଁ ଆମକୁ ସାହସର ସହ କାମ କରିବାକୁ ହେବ।’
‘ଆପଣ ଜାଣନ୍ତି କରୋନା ମୁକାବିଲା ପାଇଁ ଓଡ଼ିଶା ସରକାର ବିଭିନ୍ନ ଅଞ୍ଚଳରେ କୋଡିଭ ହସ୍ପିଟାଲ କରିଛନ୍ତି। ୫ଟି ପ୍ଲାଜମା ବ୍ୟାଙ୍କ ସହ ପ୍ଲାଜମା ଥେରାପି ସେବା ରୋଗୀଙ୍କୁ ମିଳୁଛି। ପଇସା ପାଇଁ ଓଡ଼ିଶାରେ କେହି ଜଣେ ବି ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ। ଏଥିପାଇଁ ଓଡ଼ିଶା ସରକାର କୋଭିଡ ରୋଗୀମାନଙ୍କୁ ସବୁ ପ୍ରକାର ସୁବିଧା ମାଗଣାରେ ଯୋଗାଉଛନ୍ତି। ପ୍ରତି ଜୀବନ ଆମ ପାଇଁ ମୂଲ୍ୟବାନ। ଏହି ମିଶନ ନେଇ ଆମେ କାମ କରୁଛୁ। ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଦେବାକୁ ଚେଷ୍ଟା କରୁଛୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ।
ଏଥିସହ ସେ କହିଥିଲେ, ‘ଲକ୍ଡାଉନ ସମୟରେ ଅର୍ଥନୈତିକ କାରବାର ଜାରି ରଖିବା ପାଇଁ ଆମେ ପଦକ୍ଷେପ ନେଇଛୁ। କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ ସହିତ ବିଭିନ୍ନ କ୍ଷେତ୍ରରେ ରୋଜଗାର ସୃଷ୍ଟି ପାଇଁ ଉଦ୍ୟମ ଜାରି ରହିଛି। ଗରୀବ ଲୋକ ଓ ଶ୍ରମିକମାନଙ୍କୁ ବିଭିନ୍ନ ସହାୟତା ଦିଆଯାଉଛି। ଏହି ସମୟ ମଧ୍ୟରେ ଓଡ଼ିଶାକୁ ୧୨ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ମଧ୍ୟ ଆସିଛି। ଦେଶରେ ଏହି ସମୟରେ ହୋଇଥିବା ପୁଞ୍ଜି ନିବେଶରୁ ୧୮% ଓଡ଼ିଶାକୁ ଆସିଛି। ମହାରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶା ପୁଞ୍ଜିନିବେଶରେ ଦେଶରେ ୧ ନମ୍ବର ହୋଇଛି। ୨୦୧୯-୨୦ରେ ଦେଶରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ୨.୮୦% ଥିବା ବେଳେ ଆମ ରାଜ୍ୟରେ କୃଷି କ୍ଷେତ୍ରରେ ଏହା ୭.୬୧ ରହିଛି।’
କରୋନା ବିରୋଧରେ ଆମର ଲଢେଇରେ କୋଭିଡ ଯୋଦ୍ଧାମାନେ ଯେଭଳି କାମ କରୁଛନ୍ତି ତାହାର ତୁଳନା ନାହିଁ। ସେମାନଙ୍କ ସେବା ଓ ତ୍ୟାଗ ପାଇଁ ସାରା ଭାରତରେ ଆମ ରାଜ୍ୟରେ ସୁସ୍ଥ ହାର ଭଲ ରହିଛି। ସାରା ଭାରତରେ ଓଡ଼ିଶାରେ ମୃତ୍ୟୁ ହାର କମ୍ ରହିଛି। ସେମାନଙ୍କ ତ୍ୟାଗ ଓ ସେବା ପାଇଁ ଓଡ଼ିଆ ଜାତି ସେମାନଙ୍କ ନିକଟରେ ଋଣୀ। କୋଭିଡ ଯୋଦ୍ଧାମାନଙ୍କ ତ୍ୟାଗ, ନିଷ୍ଠା ଓ ସେବା ସହିତ ଆମ ସମସ୍ତଙ୍କ ସହଯୋଗ ହିଁ ଓଡ଼ିଶା ପାଇଁ, ଭାରତ ପାଇଁ ତଥା ମାନବ ଜାତି ପାଇଁ ଆମ ସମସ୍ତଙ୍କ ପାଇଁ ବିଜୟ ଆଣିଛି।
ଓଡ଼ିଆ ଜାତି ଅନେକ ବିପଦର ସାମ୍ନା କରିଛି। ସାହସର ସହ ମୁକାବିଲା କରି ନୂଆ ଇତିହାସ ଲେଖିଛି। ମୋର ପୁରା ବିଶ୍ୱାସ କରୋନା ଶୀଘ୍ର ଦୂର ହେବ। ସ୍କୁଲମାନଙ୍କରେ ପୁଣି ଥରେ ଘଣ୍ଟା ବାଜି ଉଠିବ ଏବଂ ମାନବ ଜାତିର ଜୟଯାତ୍ରା ଆହୁରି ଆଗକୁ ବଢ଼ିବ।