ନିବେଶ ପାଇଁ ସଂସ୍କାର ଆଣିଲେ, କାର୍ଯ୍ୟକ୍ଷମ ହେଉନି; କେମିତି ହେବ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌

୧୪ଟି ବିଭାଗର ୨୭୬ଟି ସଂସ୍କାର ଆସିଛି, ୧୦୨ଟି କାର୍ଯ୍ୟକ୍ଷମ ହେଉନି

ଭୁବନେଶ୍ବର : ରାଜ୍ୟ ସରକାର ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ମେକ୍‌ ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ ଆୟୋଜନ କରିବାକୁ ଯାଉଛନ୍ତି। ଏଥିପାଇଁ ଦୁବାଇ, ଦିଲ୍ଲୀ, ଅହମ୍ମଦାବାଦ, ମୁମ୍ବାଇରେ ନିବେଶକାରୀ ସମ୍ମିଳନୀ କରାଯାଉଛି। ବହୁ କମ୍ପାନି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି ବି ଦେଇଛନ୍ତି। ହେଲେ ନିବେଶକାରୀମାନେ ଏମ୍‌ଓୟୁ ସ୍ବାକ୍ଷର କରିବା ପରେ ପ୍ରକଳ୍ପ କରିପାରିବେ ତ! ଏନେଇ ବଡ଼ ପ୍ରଶ୍ନ ଉଠିଛି। କାରଣ ଓଡ଼ିଶାରେ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌ ପାଇଁ ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନସ୍ଥ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ପକ୍ଷରୁ ‘ବ୍ୟବସାୟ ସଂସ୍କାର ଯୋଜନା-୨୦୨୨’ ରେ ଯେଉଁ ସବୁ ସଂସ୍କାର ଆଣିବାକୁ କୁହାଯାଇଥିଲା ତାହାକୁ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବାରେ ରାଜ୍ୟ ସରକାର ସଫଳ ହୋଇପାରିନାହାନ୍ତି। ରାଜ୍ୟ ସରକାରଙ୍କ ୧୪ଟି ବିଭାଗ ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜିନେସ୍‌ ପାଇଁ ୨୭୬ଟି ସଂସ୍କାର ଆଣିଥିବା କହୁଥିଲେ ହେଁ ୧୭୪ଟିକୁ କାର୍ଯ୍ୟକ୍ଷମ କରିପାରିଛନ୍ତି। ବିଡମ୍ବନାର ବିଷୟ ଏଥିରୁ ଅଧିକାଂଶ ପୁରୁଣା ସଂସ୍କାରକୁ କାର୍ଯ୍ୟକ୍ଷମ କରିବାର ପ୍ରମାଣ ଦେଇଛନ୍ତି।

ତିନିଟି ବିଭାଗ ସଂସ୍କାର ଫଳପ୍ରଦ ହୋଇଥିବା ପ୍ରମାଣ ଦେଇପାରିଲେନି
୪ଟି ବିଭାଗ ସଂସ୍କାର କାର୍ଯ୍ୟକ୍ଷମ କରିବାରେ ବିଫଳ

ନିବେଶକାରୀ ସମ୍ମିଳନୀ କରି ପୁଞ୍ଜିପତିଙ୍କୁ ଆକର୍ଷିତ କରାଯାଉଛି। ହେଲେ ପୁଞ୍ଜିପତି ଯେପରି ନିଶ୍ଚିତ ପୁଞ୍ଜିନିବେଶ କରିବେ ସେନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ବାଟ ଖୋଲୁନାହାନ୍ତି। ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଯେପରି ସହଜ ଭାବେ ଡକାଯାଇପାରୁଛି ଏଠାରେ ସୁବିଧା ସୁଯୋଗ ଯୋଗାଇବା ବ୍ୟବସ୍ଥା ଏପର୍ଯ୍ୟନ୍ତ ସେତିକି ସହଜ ହୋଇପାରିନି। ଏହା ଶିଳ୍ପ ବିଭାଗ ଜାଣିକି ବି ଏହାର ପ୍ରତିକାର କରିପାରୁନି। ଯାହା ମେକ୍‌ ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣର ସଫଳତା ଉପରେ ଆଶଙ୍କା ସୃଷ୍ଟି କରିଛି।

ଓଡ଼ିଶାରେ ବ୍ୟବସାୟ କରିବା ଯେପରି ସହଜ ହେବ ସେନେଇ ଡିପିଆଇଆଇଟି ପକ୍ଷରୁ କେଉଁ କେଉଁ କ୍ଷେତ୍ରରେ ସମସ୍ୟା ରହିଛି, କି କି ସଂସ୍କାର ଆଣିବା ଦରକାର ତାହା ଜଣାଇବା ପରେ ରାଜ୍ୟ ସରକାର ‘ରାଜ୍ୟ ସଂସ୍କାର ଯୋଜନା-୨୦୨୨’ ପ୍ରସ୍ତୁତ କରିଛନ୍ତି। ହେଲେ ସେ‌େପ୍ଟମ୍ବର ୮ତାରିଖ ସୁଦ୍ଧା ଶିଳ୍ପ ବିଭାଗ ତଥ୍ୟ ଦେଇଛି ଯେ, ଏପର୍ଯ୍ୟନ୍ତ ୬୩% ସଂସ୍କାର କାର୍ଯ୍ୟକ୍ଷମ ହୋଇପାରିଛି। ଏପରିକି ଏଥିରୁ ୫୮ଜଣ ବ୍ୟବହାରକାରୀଙ୍କ ତାଲିକା ଦେବାକୁ ଥିବାବେଳେ ୧୪ଟି ବିଭାଗ ମାତ୍ର ୨୯ଜଣଙ୍କର ଦେଇଛନ୍ତି।
ସେହିପରି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ୫୬ଟି ସଂସ୍କାର ଆଣିଥିଲେ ହେଁ ୫୧ଟି କାର୍ଯ୍ୟକ୍ଷମ କରିବାର ପ୍ରମାଣ ଦେଇଛି। ଜଙ୍ଗଲ ଓ ପରିବେଶ ବିଭାଗ ୩୧ଟି ସଂସ୍କାର ଆଣିଥିଲେ ହେଁ ଏଥିରୁ ଗୋଟିଏ ବି କାର୍ଯ୍ୟକ୍ଷମ କରିବାର ପ୍ରମାଣ ଦେଇପାରିନି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ବି ୯ଟି ସଂସ୍କାର, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ୪ଟି ସଂସ୍କାରରୁ ଗୋଟିଏ ବି କାର୍ଯ୍ୟକ୍ଷମ କରିପାରିନାହାନ୍ତି। ଯେତେବେଳେକି ଅବକାରୀ ବିଭାଗ ୧୪ଟି ସଂସ୍କାର ଆଣିଥିବାବେଳେ ୧୪ଟି, ଗ୍ୃହ ବିଭାଗ ୪ଟିରୁ ୪ଟି, ଅର୍ଥ ବିଭାଗ ୧୦ରୁ ୧୦ଟି କାର୍ଯ୍ୟକ୍ଷମ କରିବାର ପ୍ରମାଣ ଦେଇଛନ୍ତି।

ଅପରପକ୍ଷେ ଅର୍ଥ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଆଇନ ବିଭାଗ ଆବଶ୍ୟକୀୟ ବ୍ୟବହାରକାରୀଙ୍କ ତାଲିକା ଦେଇପାରିନାହାନ୍ତି।
ଶିଳ୍ପ ବିଭାଗ ଏହି ନକରାତ୍ମକ ଚିତ୍ର ଦେବା ପରେ ରାଜ୍ୟ ସରକାର ‘ରାଜ୍ୟ ସଂସ୍କାର ଯୋଜନା-୨୦୨୨’କୁ କାର୍ଯ୍ୟକ୍ଷମ କରିବା ନେଇ ଚିନ୍ତାରେ ପଡ଼ିଯାଇଛନ୍ତି।

ସମ୍ବନ୍ଧିତ ଖବର