ଭୁବନେଶ୍ବର: ନିବେଶ କରି ସମ୍ପତ୍ତି ବଢ଼ାଇବାର ଅନେକ ମାଧ୍ୟମ ରହିଥିଲେ ମଧ୍ୟ ଓଡ଼ିଶାରେ ବହୁଳ ଭାବେ ଲୋକପ୍ରିୟତା ହାସଲ କରିଛି ମ୍ୟୁଚୁଆଲ୍ ଫଣ୍ଡ ନିବେଶ। ସିଧାସଳଖ ଭାବେ କୌଣସି ଫଣ୍ଡ କିମ୍ବା ମାସିକିଆ ଅଳ୍ପ ଅଳ୍ପ ଟଙ୍କାକୁ ସିଷ୍ଟମେଟିକ୍ ଇନ୍‌ଭେଷ୍ଟମେଣ୍ଟ୍‌ ପ୍ଲାନ୍ (ଏସ୍‌ଆଇପି) ମାଧ୍ୟମରେ ବିଭିନ୍ନ ବର୍ଗର ଲୋକମାନେ ମ୍ୟୁଚୁଆଲ୍ ଫଣ୍ଡ୍‌ରେ ନିବେଶ କରୁଛନ୍ତି। ନିବେଶ ଆରମ୍ଭ କରିବା ପୂର୍ବରୁ ଅନେକ ବିଷୟ ଜାଣିବା ଜରୁରୀ। କିନ୍ତୁ ଅଧିକାଂଶ ନିବେଶକ ସେ ବିଷୟରେ ସଚେତନ ନାହାନ୍ତି। ମ୍ୟୁଚୁଆଲ୍ ଫଣ୍ଡ ନିବେଶର ଗୁରୁତ୍ବପୂର୍ଣ୍ଣ ଦିଗଗୁଡ଼ିକ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ ପକ୍ଷରୁ ଆସୋସିଏସନ୍ ଅଫ୍‌ ମ୍ୟୁଚୁଆଲ୍ ଫଣ୍ଡ୍‌ସ ଇନ୍ ଇଣ୍ଡିଆ (ଆମ୍ଫି)ର ମିଳିତ ସହଯୋଗରେ ବୁଧବାର ଅପରାହ୍ଣ ୫ଟାରେ ଗୀତଗୋବିନ୍ଦ ସଦନରେ ଏକ ନିବେଶକ ସଚେତନତା କାର୍ଯ୍ୟକ୍ରମ ‘ନିବେଶ ଏବଂ ଆପଣ’ ଆୟୋଜନ କରାଯାଉଛି।

Advertisment

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସିକ୍ୟୁରିଟି ମାର୍କେଟ୍‌ ଟ୍ରେନର୍‌ ରଘୁନନ୍ଦନ ପଟ୍ଟନାୟକ ଓ ଚାଟାର୍ଡ ଆକାଉଣ୍ଟାଣ୍ଟ ସ୍ବାତୀ ଶ୍ରୀବାସ୍ତବ ଅତିଥି ଭାବେ ଯୋଗ ଦେଇ ମ୍ୟୁଚୁଆଲ୍ ଫଣ୍ଡ ନିବେଶ ସମ୍ପର୍କିତ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରଦାନ କରିବେ। ନିବେଶ ଆରମ୍ଭ କରିବା ପୂର୍ବରୁ କେଉଁ ବିଷୟଗୁଡ଼ିକୁ ଜାଣିବା ଦରକାର, ନିବେଶ ଆରମ୍ଭ କରିସାରିଥିଲେ କ’ଣ କରିବାକୁ ହେବ, କେଉଁ ବିଷୟକୁ ଗୁରୁତ୍ବ ଦେବେ ଏବଂ ‌କାହାକୁ ଏଡ଼ାଇବେ, ନିବେଶକମାନଙ୍କ ମନରେ ରହିଥିବା ଏଭଳି ଅନେକ ପ୍ରଶ୍ନର ଉତ୍ତର ‌ଏହି କାର୍ଯ୍ୟକ୍ରମରେ ମିଳିବ। ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିଥିବା କିମ୍ବା ନିବେଶ ଆରମ୍ଭ କରିବା ଉପରେ ବିଚାର କରୁଥିବା ନିବେଶକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇପାରିବେ। ବିଶିଷ୍ଟ ଅତିଥିମାନଙ୍କୁ ପ୍ରଶ୍ନ କରି ସେମାନେ ନିଜ ମନରେ ଥିବା ଦ୍ବନ୍ଦ୍ବ ଦୂର କରିପାରିବେ। କାର୍ଯ୍ୟକ୍ରମ ସମ୍ପର୍କିତ ଅଧିକ ବିବରଣୀ ପାଇଁ ଜ୍ଞାନରଞ୍ଜନ ମହାନ୍ତିଙ୍କୁ ୯୯୩୮୪୪୩୨୨୪ ମୋବାଇଲ୍‌ ନମ୍ବରରେ ଯୋଗାଯୋଗ କରାଯାଇପାରିବ। କାର୍ଯ୍ୟକ୍ରମରେ ଭାଗ ନେଉଥିବା ପ୍ରଥମ ୩୦ ଜଣ ନିବେଶକଙ୍କୁ ଉପହାର ଦେବାର ବ୍ୟବସ୍ଥା କରାଯାଇଛି।