ଭୁବନେଶ୍ବର : ହାଇଦ୍ରାବାଦର ବଞ୍ଜାରା ହିଲ୍‌ସର ହୋଟେଲ୍‌ ତାଜ୍ କ୍ରିଷ୍ଣାରେ ଶିଳ୍ପ ସଂଘ ଫିକି ସହଯୋଗରେ ଆଜି ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ନିବେଶକ ସମ୍ମିଳନୀ ଓ ରୋଡ୍‌ ସୋ’ରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜ ଜନ୍ମିଦନରେ ହାଇଦ୍ରାବାଦ ଗସ୍ତ କହିଛନ୍ତି। ହାଇଦ୍ରାବାଦ ବିମାନବନ୍ଦରରେ ତାଙ୍କୁ ତେଲେଙ୍ଗାନାର ମନ୍ତ୍ରୀ ଟି ଶ୍ରୀନିବାସ ଯାଦବ ସ୍ବାଗତ କରିଛନ୍ତି। ଆଜି ସେ ୩୬ଟି କଂପାନି ସହ ପ୍ରତ୍ୟକ୍ଷ ଆଲୋଚନା କରିବେ। ମାଇକ୍ରୋସଫ୍ଟ, ପିଡବ୍ଲୁସି, ଡେଲୋଏଟ୍‌, ଭାରତ ବାୟୋଟେକ୍, ଓରାକଲ୍‌, କିମ୍‌ସ, ଏସ୍‌ଏମ୍ଏସ୍‌ ଫାର୍ମା, ତୋଷାଳି ସିମେଣ୍ଟ୍‌ସ, ମାଇ ହୋମ୍, ମେଘା ଇଞ୍ଜିନିୟରିଂ, ରାମ୍‌କି, କଣ୍ଟ୍ରୋଲ୍‌ ଏସ୍‌, ଆପୋଲୋ ହସ୍ପିଟାଲ୍‌ସ ଆଦି ସଂସ୍ଥାର ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ହାଇଦ୍ରାବାଦ କାର୍ଯ୍ୟକ୍ରମ ଶେଷ ହେବା ପରେ ସେଠାରୁ ସେ ମୁମ୍ବାଇ ଯିବାର କାର୍ଯ୍ୟକ୍ରମ ରହିଛି।

Advertisment

ଆଜି ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ଭାଗ ନେବା ଲାଗି ସେ ନିବେଶକମାନଙ୍କୁ ଓଡ଼ିଶା ଆମନ୍ତ୍ରଣ କରିବେ। ପୂର୍ବରୁ ଅନୁଷ୍ଠିତ ହୋଇଯାଇଥିବା ନିବେଶକ ସମ୍ମିଳନୀଗୁଡ଼ିକ ଭଳି ହାଇଦ୍ରାବାଦ ସମ୍ମିଳନୀରେ ମଧ୍ୟ ସେ ତିନି ପ୍ରମୁଖ କ୍ଷେତ୍ର ଆଇଟି, ସ୍ବାସ୍ଥ୍ୟ ସେବା ଓ ଫାର୍ମାସ୍ୟୁଟିକାଲ୍, ବୟନ ଓ ପୋଷାକ, ଇଏସ୍‌ଡିଏମ୍‌ ଓ ଡାଟା ସେଣ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ଓ ଅକ୍ଷୟ ଶକ୍ତି ‌କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ନିବେଶକମାନଙ୍କୁ ଆହ୍ବାନ ଦେବେ।

ରବିବାର ଦିନ ମୁଖ୍ୟ ସଚିବ ସୁରେଶ ମହାପାତ୍ର ୧୩ଟି ସଂସ୍ଥାର ମୁଖ୍ୟ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଓପୋନ୍ କ୍ୟୁବ୍ ଟେକ୍ନୋଲୋଜିସ୍‌ର ପ୍ରତିଷ୍ଠାତା ବିନୋଦ ପି, ବିଞ୍ଜ୍ରାଜ୍‌କା ଭାଲ୍ୟୁ ଷ୍ଟିଲ୍‌ସର ସିଏମ୍‌ଡି ଦୀନେଶ ବ୍ରିଞ୍ଜ୍ରାଜ୍‌କା, ଶ୍ରୀଚକ୍ର ପଲିପ୍ଲାଷ୍ଟ୍‌ର ସିଇଓ ପି ଭି ରବିନ୍ଦ୍ର, ଜେମିନି ଅଏଲ୍‌ସ ଆଣ୍ଡ୍‌ ଫ୍ୟାଟ୍‌ସର ପରିଚାଳନା ନିର୍ଦେଶକ ପ୍ରଦୀପ ଚୌଧୁରୀ, ରାଧା ଟିଏମ୍‌ଟିର ଏମ୍‌ଡି ସୁମନ ସରାଫ, ସୁଧାକର ପାଇପ୍‌ସର ଏମ୍‌ଡି ଜୟଦେବ ମେଳା, ଅଗ୍ନିନାଇନ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ଜି ଭି ସୁରେଶ ବାବୁ, ଏସ୍‌ଭି ଇକ୍ବିପ୍‌ମେଣ୍ଟ୍‌ର ଅଧ୍ୟକ୍ଷ କେ ନାଗେଶ୍ବର ରାଓ, ଏସ୍‌କେ ଫେବ୍ରିକେସନ୍ସର ଅଧ୍ୟକ୍ଷ କେ କୀରଣ କୁମାର, ପିଏସ୍‌ଆର୍‌ ଗ୍ରାନାଇଟ୍‌ସର ଏମ୍‌ଡି ସୁମେଘା ଶ୍ୟାମ ଏସ୍‌ ଓ ଲକ୍ଷ୍ମୀ ସ୍ପିନିଂ ମିଲ୍‌ସର ଏମ୍‌ଡି ଆର୍‌ ରେଡ୍ଡିଙ୍କୁ ସେ ସାକ୍ଷାତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ବରେ ହାଇଦ୍ରାବାଦ ଗସ୍ତ କରିଥିବା ପ୍ରତିନିଧି ଦଳରେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ସଚିବ ସୁରେଶ ମହାପାତ୍ର, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଆଇଟି ସଚିବ ମନୋଜ କୁମାର ମିଶ୍ର ଓ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମ୍‌କାର୍‌ ରାଏ ରହିଛନ୍ତି। ଏହା ପୂର୍ବରୁ ଦୁବାଇ, ମୁମ୍ବାଇ, ଦିଲ୍ଲୀ, ଅହମ୍ମଦାବାଦ ଓ ବେଙ୍ଗାଲୁରୁ ଭଳି ସହରରେ ଏଭଳି ନିବେଶକ ସମ୍ମିଳନୀ ଆୟୋଜନ କରାଯାଇସାରିଛି। ବର୍ତ୍ତମାନ ସୁଦ୍ଧା ୩୦୦ରୁ ଅଧିକ ଶିଳ୍ପପତି, ନିବେଶକ ଓ ବ୍ୟବସାୟୀ ମେକ୍ ଇନ୍ ଓଡ଼ିଶା ୨୦୨୨ରେ ଅଂଶଗ୍ରହଣ କରିବା ଲାଗି ପଞ୍ଜୀକରଣ କରିସାରିଛନ୍ତି।