ଭୁବନେଶ୍ବର: ଦୁବାଇ, ଅହମଦାବାଦ, ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ପରେ ଆସନ୍ତାକାଲି ବେଙ୍ଗାଲୁରୁରେ ଶିଳ୍ପ ସଂଘ ଫିକି ସହଯୋଗରେ ଓଡ଼ିଶା ସରକାର ନିବେଶକ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ସମ୍ମିଳନୀରେ ୫୦୦ରୁ ଅଧିକ ଶିଳ୍ପପତି ଅଂଶଗ୍ରହଣ କରିବେ ବୋଲି କୁହାଯାଉଛି। ୱିପ୍ରୋର ଅଧ୍ୟକ୍ଷ ଅଜିମ୍ ପ୍ରେମ୍ଜୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିବା ବେଳେ ଗୋଲ୍ଡେନ୍ ହାଚେରିର ପ୍ରତିଷ୍ଠାତା ସଇଦ ଫହାଦ, ୯୧ ସ୍ପ୍ରିଙ୍ଗ୍ବୋର୍ଡର ସହ ପ୍ରତିଷ୍ଠାତା ବରୁଣ ଚାୱଲା ଓ ପ୍ରଣୟ ଗୁପ୍ତା, ଡୋଲ୍ଲା ଡେରିର ନିର୍ଦେଶକ ଏଏମ୍ଏସ୍ ରେଡ୍ଡି, ନନ୍ଦୀ ପାୱାରଟ୍ରୋନିକ୍ସର ଏମ୍ଡି ଏଚ୍ ଏନ୍ ରାମକ୍ରିଷ୍ଣୟା, ନେଷ୍ଟ୍ଆୱେର ଏମ୍ଡି ଅମରେନ୍ଦ୍ର ସାହୁ, ମର୍ଲିନହକ୍ ଏରୋସ୍ପେସ୍ର ନିର୍ଦେଶକ ଜାବି ଜୋସେଫ୍ ଆଣ୍ଡ୍ରୋଥ୍, ଏମ୍ଭିଏମ୍ ଇଣ୍ଡଷ୍ଟ୍ରିଜ୍ର ନନ୍ଦ ଭେଙ୍କଟ ରାଓ ଏବଂ ଶର୍ବାଣୀ ଏନର୍ଜିର ଏମ୍ଡି ଏନ୍ ପ୍ରଶାନ୍ତ ରାଓ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।
ଏହି ସମ୍ମିଳନୀରେ ଆଇଟି କଂପାନିର ବରିଷ୍ଠ ଅଧିକାରୀମାନଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ଆଲୋଚନାରେ କରିବେ। ସେଥିରେ ଆଇବିଏମ୍ ଇଣ୍ଡିଆର ମ୍ୟାନେଜିଂ ପାର୍ଟନର ଅମିତ ଶର୍ମା, ୱିପ୍ରୋ-ଜିଇ ହେଲ୍ଥକେୟାରର ସିଇଓ ଡକ୍ଟର ଶ୍ରବଣ ସୁବ୍ରମଣ୍ୟନ, ଏବିବି ଲିମିଟେଡ୍ର ସିଏଫ୍ଓ ଟି କେ ଶ୍ରୀଧର, ଟିଟିକେ ପ୍ରେଷ୍ଟିଜ୍ର ସିଏଫ୍ଓ ସରାୟଣ ପି, ଇଣ୍ଡୋ ନିସିନ୍ ଫୁଡ୍ସର ଏମ୍ଡି ଗୌତମ ଶର୍ମା, ପେଜ୍ ଇଣ୍ଡଷ୍ଟ୍ରିଜ୍ର ସିଇଓ ଭି ଏସ୍ ଗଣେଶ, ହାପିଏଷ୍ଟ୍ ମାଇଣ୍ଡ୍ସର ସିଏଫ୍ଓ ଭେଙ୍କଟରମଣ ଏନ୍, କଟନ୍ ୱାର୍ଲଡ୍ର ଏମ୍ଠି ବି ଏନ୍ ମୋନପ୍ପା, ୱାଣ୍ଡେର୍ଲାର ଏମ୍ଡି ଅରୁଣ ଚିତ୍ତପାଲ୍ଲି ଏବଂ ଇଣ୍ଡିଆନ୍ ଷ୍ଟିଚେସ୍ର ସିଏମ୍ଡି ବିଶାଲ ସେହଗଲ ଭାଗ ନେବେ। ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୨ରେ ଭାଗ ନେବା ଲାଗି ନିବେଶକମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆମନ୍ତ୍ରଣ କରିବେ।
ଏଥି ସହିତ ସେ ଖାଦ୍ୟ ପ୍ରକ୍ରିୟାକରଣ, ଏରୋସ୍ପେସ୍ ଓ ପ୍ରତିରକ୍ଷା ଓ ସ୍ବାସ୍ଥ୍ୟ ସେବାରେ ରହିଥିବା ସମ୍ଭାବନାକୁ ନେଇ ନିବେଶକମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିବେ। ବ୍ୟବସାୟ ବାତାବରଣକୁ ଅନୁକୂଳ ଓ ସୁଗମ କରିବା ଲାଗି ରାଜ୍ୟ ସରକାର ଗ୍ରହଣ କରିଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକ ବିଷୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିବେଶକମାନଙ୍କୁ ଅବଗତ କରିବେ। ରାଜ୍ୟରେ ରହିଥିବା ବନ୍ଦର, ସୁଦୀର୍ଘ ଉପକୂଳକୁ ନେଇ ରହିଥିବା ବ୍ୟବସାୟ ସମ୍ଭାବନା ବିଷୟରେ ଜଣାଇବେ। ଏହା ବ୍ୟତୀତ ଆଇଟି ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ର, ଇ-ଯାନ, ଇଏସ୍ଡିଏମ୍, ଅଟୋମୋବାଇଲ୍ ଓ ଅଟୋ ଉପକରଣ, ବୟନ ଓ ପୋଷାକ, ଏରୋସ୍ପେସ୍ ଓ ପ୍ରତିରକ୍ଷା ଏବଂ ଖାଦ୍ୟ ପ୍ରକ୍ରିୟାକରଣରେ ରହିଥିବା ପୁଞ୍ଜିନିବେଶ ସୁଯୋଗ ବିଷୟରେ ମଧ୍ୟ ସେ ନିବେଶକମାନଙ୍କୁ ଜଣାଇବେ ଏବଂ ଓଡ଼ିଶାରେ ନିବେଶ କରିବାକୁ ଆହ୍ବାନ କରିବେ। ନିବେଶକ ସମ୍ମିଳନୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଶିଳ୍ପପତି ପ୍ରତାପ କେଶରୀ ଦେବ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଆଇଟି ସଚିବ ମନୋଜ କୁମାର ମିଶ୍ର, ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମ୍କାର୍ ରାଏ ଓ ଅନ୍ୟମାନେ ବେଙ୍ଗାଲୁରୁ ପହଞ୍ଚିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/70-5.jpg)