ଭୁବନେଶ୍ୱର, (ମହମ୍ମଦ ହିଫ୍ଜୁର ରହେମାନ୍) : କ୍ରିପ୍ଟୋ କରେନସିକୁ ନେଇ ଦେଶରେ ଏବେ ହଟଚମଟ ସୃଷ୍ଟି ହୋଇଛି। ଏହି ଡିଜିଟାଲ ମୁଦ୍ରାକୁ ନେଇ ଯେତିକି ଉତ୍ସାହ, ସେତିକି ଅନିଶ୍ଚିତତା ମଧ୍ୟ ରହିଛି। ଏହାକୁ ନେଇ ସାରା ବିଶ୍ବରେ ବିଶେଷ କରି ଯୁବ ପିଢ଼ି ମଧ୍ୟରେ ଅତିମାତ୍ରାରେ ଉତ୍ସାହ ଦେଖିବାକୁ ମିଳୁଛି। ସେମାେନ କୋଟି କୋଟି ଡଲାର ଏହି ବ୍ୟବସ୍ଥାରେ ନିବେଶ କରୁଛନ୍ତି। ରାତାରାତି ବହୁଗୁଣା ଲାଭ ଲୋଭରେ ଆଖିବୁଜି ନିବେଶ କରିବାରେ ଲାଗିଛନ୍ତି। ୨୦୦୯ରେ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାରେ ସାରା ବିଶ୍ବରେ ଏବେ ୬୦ ହଜାର କୋଟି ଡଲାର ବା ପ୍ରାୟ ୪୫ ଲକ୍ଷ କୋଟି ଟଙ୍କାର କାରବାର ଚାଲିଛି। ସେଥିମଧ୍ୟରୁ କେବଳ ଭାରତରେ ଦେଢ଼ କୋଟିରୁ ଦୁଇ କୋଟି ନିବେଶକ ୪୦ ହଜାର କୋଟି ଟଙ୍କା ନିବେଶ କରିଛନ୍ତି।
ଚିଟ୍ଫଣ୍ଡ ଭଳି ଦେଖାଯାଉଥିବା ଏହି ବ୍ୟବସ୍ଥାରେ ଲାଭର ଆଶା ଯେତେ ରହିଛି ତାହାଠାରୁ ଅଧିକ କ୍ଷତିର ଆଶଙ୍କା ମଧ୍ୟ ରହିଛି। ସରଳ ଭାଷାରେ କହିବାକୁ ଗଲେ କ୍ରିପ୍ଟୋ କରେନସି ଅର୍ଥ ହେଉଛି ଗୁପ୍ତ ମୁଦ୍ରା ବା ଗୁପ୍ତ ଧନ। ବିଭିନ୍ନ ଘରୋଇ ସଂସ୍ଥା ନିଜ ନିଜର ଆପ୍ ମାଧ୍ୟମରେ କାଗଜବିହୀନ ମୁଦ୍ରା ପ୍ରଚଳନ କରୁଛନ୍ତି। ଏହାକୁ ଡିଜିଟାଲ ମୁଦ୍ରା କୁହାଯାଉଛି। ଏବେ ୬ ହଜାର ପ୍ରକାର ଡିଜିଟାଲ ମୁଦ୍ରା ବିଶ୍ବରେ ପ୍ରଚଳନ ହେଉଛି। ଏଥିରେ ସବୁଠାରୁ େଲାକପ୍ରିୟ ରହିଛି ବିଟ୍କଏନ୍, ଏଥେରାମ୍, ଟେଥର। ଏହି ସଂସ୍ଥାମାନେ ନିଜ ମୁଦ୍ରାର ପ୍ରାଥମିକ ମୂଲ୍ୟ ନିର୍ଧାରଣ କରନ୍ତି। ଏହାର ଚାହିଦା ଯେତେ ବଢ଼ିବ, ମୂଲ୍ୟ ବି ସେହି ଅନୁପାତରେ ବଢ଼ିବ। ଚାହିଦା କମିଲେ ମୂଲ୍ୟ କମିଯାଏ। ସେୟାର ବଜାର ଭଳି ଏହା କାମ କରୁଛି। ୨୪ ଘଣ୍ଟା ଧରି ଏହି ବଜାର ବା ମେକାନିଜମ କାମ କରୁଥିବାରୁ ଏହାର ମୂଲ୍ୟ ପ୍ରତି ମୁହୂର୍ତରେ ବଦଳୁଛି। ତଥ୍ୟ ଅନୁସାରେ ଗୋଟିଏ ବିଟକଏନ୍ ଦାମ ଚଳିତ ବର୍ଷ ଆରମ୍ଭରେ ୩୪ ହଜାର ଡଲାର (୨୫ ଲକ୍ଷ ୫୦ ହଜାର ଟଙ୍କା) ଥିବା ବେଳେ ନଭେମ୍ବର ୯ରେ ଏହା ସର୍ବୋଚ୍ଚ ସ୍ତର ୬୭ ହଜାର ଡଲାର(୫୦ ଲକ୍ଷ ଟଙ୍କା)କୁ ଛୁଇଁଥିଲା। ଏବେ ଏହା ପ୍ରାୟ ୪୪ ଲକ୍ଷ ଟଙ୍କାରେ କାରବାର ହେଉଛି। ଫଳରେ ଲୋକମାନେ ଏଥିରେ ଆକର୍ଷିତ ହୋଇ ନିବେଶ କରୁଥିବା ଦେଖିବାକୁ ମିଳୁଛି।
/sambad/media/post_attachments/wp-content/uploads/2021/11/bt.png)
ନିବେଶକାରୀ ବିଟକଏନ୍ ଭଳି ଡିଜିଟାଲ ବା ଅଦୃଶ୍ୟ ମୁଦ୍ରାର ଆପ୍ ଡାଉନଲୋଡ୍ କରି ଏହିସବୁ ମୁଦ୍ରା ସହଜରେ କିଣିପାରୁଛନ୍ତି। ମୁଦ୍ରାର ମୂଲ୍ୟ ଅନୁସାରେ ବ୍ୟାଙ୍କ ଆକାଉଣ୍ଟରୁ ଏହି ଆପ୍କୁ ଅର୍ଥ ଟ୍ରାନ୍ସଫର କରୁଛନ୍ତି। ଏଭଳି ଡିଜିଟାଲ ମୁଦ୍ରା ଗ୍ରାହକଙ୍କ ଆପ୍ ଆକାଉଣ୍ଟରେ ରହୁଛି। ଏଥିପାଇଁ କୋଡିଂ (ପାସ୍ ୱାର୍ଡ) ବ୍ୟବସ୍ଥା ଏମିତି କରାଯାଇଛି ଯେ ଅନ୍ୟ କେହି ଏସଂକ୍ରାନ୍ତ ତଥ୍ୟ ପାଇପାରିବେ ନାହିଁ। ଗ୍ରାହକ ଚାହିଁଲେ ଏହାକୁ ବିକିପାରିବ କିମ୍ବା ଅନଲାଇନରେ ବିଶ୍ବର ଯେକୌଣସି ସ୍ଥାନକୁ ପଠାଇପାରିବ। ଅର୍ଥ ଟ୍ରାନ୍ସଫର ଲାଗି ବ୍ୟାଙ୍କ ଭଳି ମଧ୍ୟସ୍ଥିର କୌଣସି ଭୂମିକା ରହିବ ନାହିଁ। ତେବେ ଏହି ବ୍ୟବସ୍ଥାରେ ସବୁଠାରୁ ଚିନ୍ତାଜନକ କଥା ହେଲା େଯ ବିଭିନ୍ନ ଘରୋଇ ସଂସ୍ଥା ଏହାକୁ ଚଳାଇଛନ୍ତି ଏବଂ ଏଥିରେ ସରକାରୀ ନିୟନ୍ତ୍ରଣ ଆଦୌ ନାହିଁ। ଏହି ଅର୍ଥ କୁଆଡ଼େ ଯାଉଛି, କିଏ ପାଉଛି, କେତେ ପାଉଛି, କ୍ରିପଟୋ ଆପ୍ ଆକାଉଣ୍ଟରେ କେତେ ଅର୍ଥ ରହୁଛି, ସେହି ତଥ୍ୟ କେବଳ ଅର୍ଥ ଦେଉଥିବା ଏବଂ ଅର୍ଥ ନେଉଥିବା େଲାକ ବା ସଂସ୍ଥା ହିଁ ଜାଣନ୍ତି। ତେଣୁ ଏହି ବ୍ୟବସ୍ଥାରେ ଅର୍ଥ ହେରଫେର ହେବାର ଆଶଙ୍କା ସହିତ ଆତଙ୍କବାଦୀ ପାଣ୍ଠିକୁ ଯିବାର ଭୟ ମଧ୍ୟ ରହିଛି। ଟିକସ ଏଡ଼ାଇବା ଲାଗି ଏଥିରେ କଳାଧନ କାରବାର ମଧ୍ୟ ହୋଇପାରେ। ଏହାର ସବୁଠାରୁ ବଡ଼ ବିପଦ ହେଉଛି ଯେ ଚିଟଫଣ୍ଡ ଭଳି ଏହି କ୍ରିପଟୋ ସଂସ୍ଥା ଉଭାନ ହୋଇଯାଇପାରେ। ହ୍ୟାକରଙ୍କ ଦ୍ବାରା ଚୋରିର ଭୟ ମଧ୍ୟ ରହିଛି। ଏଭଳି ପରିସ୍ଥିତିରେ ଅର୍ଥ ଖଟାଇଥିବା ଲୋକେ ତଳିତଳାନ୍ତ ହୋଇଯିବେ। ଗତବର୍ଷକ ମଧ୍ୟରେ କ୍ରିପ୍ଟୋ କରେନ୍ସି ମାଧ୍ୟମରେ ପ୍ରାୟ ୪ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ହେରଫେର ବା ମନି ଲଣ୍ଡରିଂ ହୋଇଛି ବୋଲି ନିକଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିବା ପରେ ଉପରୋକ୍ତ ସନ୍ଦେହ ଆହୁରି ଘନୀଭୂତ ହୋଇଛି। ନିୟାମକ ବ୍ୟବସ୍ଥା ନଥିବାରୁ ସଂପୃକ୍ତ ସଂସ୍ଥାଙ୍କୁ ଠାବ କରିବା କଷ୍ଟକର ହୋଇପଡ଼ିବ। ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ମଧ୍ୟ କ୍ରିପଟୋ କରେନସିକୁ ଚିଟଫଣ୍ଡ ସହ ତୁଳନା କରିଛନ୍ତି। ସେ କହିଛନ୍ତି ଯେ ୬ ହଜାରରୁ ଅଧିକ ଡିଜିଟାଲ ମୁଦ୍ରା ମଧ୍ୟରୁ ମାତ୍ର ଦୁଇ ତିନିଟି ହିଁ ତିଷ୍ଠି ପାରିବ। କିନ୍ତୁ ଏହା ସହିତ ସେ ସତର୍କ କରାଇ ଦେଇଛନ୍ତି ଯେ ଚିଟଫଣ୍ଡ ସଂସ୍ଥା ଯେମିତି ରାତାରାତି ଉଭାନ ହୋଇଯାଇଛନ୍ତି, କ୍ରିପଟୋ କ୍ଷେତ୍ରରେ ମଧ୍ୟ ସେହିଭଳି ବିପଦ ରହିଛି। ଅନ୍ୟ କେତେକ ଅର୍ଥନୀତି ବିଶେଷଜ୍ଞ ଏହାକୁ ସଟ୍ଟା ବଜାର ସହ ତୁଳନା କରିଛନ୍ତି।
ସେୟାର ବଜାର ଭଳି ଡିଜିଟାଲ ମୁଦ୍ରାର ମୂଲ୍ୟ ଉପର-ତଳ ହେଉଥିଲେ ମଧ୍ୟ ଏହି ଦୁଇ କାରବାର ମଧ୍ୟରେ ଫରକ ରହିଛି। ତାହାହେଲା ସେୟାର ବଜାର ପାଇଁ ନିୟାମକ ରହିଛି। କିନ୍ତୁ ଚିଟଫଣ୍ଡ ସଂସ୍ଥା ଭଳି କ୍ରିପଟୋ କାରବାର ପାଇଁ କୌଣସି ନିୟାମକ ନାହିଁ। ଏହା ହିଁ ସରକାରଙ୍କ ପାଇଁ ଚିନ୍ତାର ବଡ଼ କାରଣ ପାଲଟିଛି।
/sambad/media/post_attachments/wp-content/uploads/2021/11/bt2.jpg)
ବିଶ୍ବର କିଛି ଦେଶରେ ଏହାର ଲୋକପ୍ରିୟତା ବୃଦ୍ଧି ପାଉଥିବା ବେଳେ ଚୀନ ଭଳି କେତେକ ଦେଶ ଏହାକୁ ନିଷିଦ୍ଧ ଘୋଷଣା କରିଛନ୍ତି। ଭାରତ ମଧ୍ୟ ସମସ୍ତ ଘରୋଇ ଡିଜିଟାଲ ମୁଦ୍ରା ଉପରେ କଟକଣା ଲଗାଇବାକୁ ସ୍ଥିର କରିଛି। ଏଥିପାଇଁ ଆସନ୍ତା ସଂସଦ ଅଧିବେଶନରେ ବିଲ୍ ଆଗତ ହେବ। ତେେବ ମିଳିଥିବା ସୂଚନା ମୁତାବକ ସରକାର ସଂପୂର୍ଣ୍ଣ ରୂପେ ଏହାକୁ ନିଷିଦ୍ଧ ନକରି କ୍ଷୁଦ୍ର ନିବେଶକମାନଙ୍କ ସ୍ବାର୍ଥର ସୁରକ୍ଷା ଲାଗି କେତେକ ସର୍ତ ରଖିପାରନ୍ତି। କ୍ରିପଟୋ ମୁଦ୍ରାକୁ ନେଇ ଦୁଇ ପ୍ରକାର ମତ ରହିଛି। ଏହାକୁ ବିେରାଧ କରୁଥିବା ବିଶେଷଜ୍ଞମାନେ ଯୁକ୍ତି କରୁଛନ୍ତି ଯେ କ୍ରିପଟୋ କରେନସି କଳାଧନ ଏବଂ ବେଆଇନ ଅର୍ଥ ହେରଫେରକୁ ଉତ୍ସାହିତ କରୁଛି। ଅପରାଧୀମାନେ ଏଥିରୁ ଫାଇଦା ଉଠାଇପାରନ୍ତି। ତେଣୁ ଏହାକୁ ସଂପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଉ। ଅନ୍ୟପକ୍ଷରେ ସପକ୍ଷବାଦୀଙ୍କ ମତରେ ମୁଦ୍ରା ପ୍ରଚଳନ କ୍ଷେତ୍ରରେ ଡିଜିଟାଲ କରେନ୍ସି ବିପ୍ଳବ ଆଣିଛି। ତେଣୁ ଏହାକୁ ସଂପୂର୍ଣ୍ଣ ରୂପେ ନିଷିଦ୍ଧ ନ କରି ଏହାର ନିୟନ୍ତ୍ରଣ ଲାଗି ବ୍ୟବସ୍ଥା କଲେ ଭଲ ହେବ। ତେବେ ଶୀତ ଅଧିବେଶନରେ ଏହି ବିଲ୍ ଆସିବା ପରେ ସରକାରଙ୍କର ଚିନ୍ତାଧାରା ଏ ନେଇ କ’ଣ ରହିଛି ତାହା ସ୍ପଷ୍ଟ ହେବ।
କଳାଧନ ବିରୋଧରେ କେନ୍ଦ୍ର ସରକାର ଯୁଦ୍ଧ ଘୋଷଣା କରିଥିବା ବେଳେ କ୍ରିପଟୋ ପ୍ରତି ଭାରତୀୟ ନିବେଶକଙ୍କ ବିଶେଷ ଆଗ୍ରହ ଚିନ୍ତାର କାରଣ ହୋଇଛି। ସେହିଭଳି ଓଡ଼ିଶାରେ କେତେ ନିବେଶ ହୋଇଛି ତାହା ଜଣାପଡ଼ିବା ସମ୍ଭବ ନୁହେଁ। ଏବେ ଅନେକଙ୍କୁ ଚିଟଫଣ୍ଡ ଭଳି ଭୟ ଘାରିଲାଣି। କାରଣ ଚିଟଫଣ୍ଡରେ ପ୍ରାୟ ୫୦ ହଜାର କୋଟି ଖଟାଇ କ୍ଷତିଗ୍ରସ୍ତମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି।