ଆଜି ଦୁବାଇରେ ନିବେଶକ ସମ୍ମିଳନୀ: ଡେରା ପକାଇଛନ୍ତି ୧୨ କମ୍ପାନି

ଦୁବାଇରେ ଆଜି ନବୀନଙ୍କ ବୈଠକ, ପ୍ରତିନିଧି ଦଳରେ ଶୁଭ୍ରକାନ୍ତ, ପାର୍ଥ ଜିନ୍ଦଲ, କରନ ଆଦାନି

ଭୁବନେଶ୍ବର: ବୁଧବାର ଦିନ ଦୁବା‌ଇରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିବେଶକ ସମ୍ମିଳନୀ ଆୟୋଜନ କରାଯାଉଛି। ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ‌ଶେଷ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୬ ତାରିଖରେ ଦୁବାଇରେ ପହଞ୍ଚିସାରିଛନ୍ତି। ଫିକି ସହଯୋଗରେ ଆୟୋଜନ କରାଯାଉଥିବା ଏହି ଇନ୍‌ଭେଷ୍ଟର୍ସ ମିଟ୍‌ରେ ନିଜେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଓଡ଼ିଶାରେ ପୁଞ୍ଜିନିବେଶକାରୀଙ୍କ ପାଇଁ ଥିବା ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ଅବଗତ କରାଇବେ। ବିଶେଷ କରି ରାଜ୍ୟର ଯେଉଁ ୬ଟି ଅଗ୍ରାଧିକାର କ୍ଷେତ୍ର ଚିହ୍ନଟ କରାଯାଇଛି ସେଥିରେ ପୁଞ୍ଜିନିବେଶ କରିବା ଲାଗି ସେ ନିବେଶକମାନଙ୍କୁ ଆମନ୍ତ୍ରଣ କରିବେ। ସେହି କ୍ଷେତ୍ରଗୁଡ଼ିକ ହେଉଛି କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଓ ପେଟ୍ରୋକେମିକାଲ୍ସ, ବୟନ, ଡାଉନ୍‌ଷ୍ଟ୍ରିମ୍ ଆଣ୍ଡ୍ ଆନ୍ସିଲାରି, ଇଏସ୍‌ଡିଏମ୍-ଆଇଟି ଓ ଆଇଟିଇଏସ୍, ଅଟୋ ଓ ଅଟୋ ଯନ୍ତ୍ରାଂଶ। ଏହା ବ୍ୟତୀତ ରାଜ୍ୟର ପ୍ରମୁଖ କ୍ଷେତ୍ର ଯଥା ଖଣି, ଖଣିଜ, ଧାତବ ଓ ମାନୁଫାକ୍ଚରିଂ କ୍ଷେତ୍ର ଲାଗି ପୁଞ୍ଜିନିବେଶ ଆଣିବାକୁ ମଧ୍ୟ ଏହି ସମ୍ମିଳନୀରେ ଉଦ୍ୟମ କରାଯିବ।

ଦୁବାଇର ଦି ଓବରଏର ବିଜ୍‌ନେସ୍ ବେ’ରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ସାମିଲ୍‌ ହେବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ ଓ ଇପିକଲ୍‌ର କିଛି ବରିଷ୍ଠ ପଦାଧିକାରୀରେ ଦୁବାଇରେ ପହଞ୍ଚିସାରିଛନ୍ତି। ଏହି ଅଧିକାରୀମାନେ କାର୍ଯ୍ୟକ୍ରମ ପ୍ରସ୍ତୁତି ସମ୍ପର୍କରେ ଆଜି ତଦାରଖ କରିଛନ୍ତି। ଏହି ଅଧିକାରୀମାନେ ବିଭିନ୍ନ କର୍ପୋରେଟ୍‌ ସଂସ୍ଥା ସହ ପୃଥକ ପୃଥକ ଭାବେ ଆଲୋଚନା କରିବେ। ଓଡ଼ିଶାରୁ ୧୨ରୁ ଅଧିକ କମ୍ପାନିର ଉଚ୍ଚ ପଦାଧିକାରୀ ମଧ୍ୟ ନିବେଶକ ସମ୍ମିଳନୀରେ ସାମିଲ ହେଉଥିବା ସୂଚନା ମିଳିଛି। ନିବେଶକ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିଥିବା କିମ୍ବା ସ୍ଥାପନ କରିବାକୁ ଯାଉଥିବା ବହୁ ଶିଳ୍ପ ସଂସ୍ଥା ଦୁବାଇ ଗସ୍ତ କରିଛନ୍ତି। ସେହି କମ୍ପାନିଗୁଡ଼ିକ ମଧ୍ୟରେ ରହିଛନ୍ତି ବେଦାନ୍ତ, ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍, ଇମ୍ଫା, ରୁଚି ମସଲା, ଡିଏନ୍ ଗ୍ରୁପ୍, ଟାଟା ଷ୍ଟିଲ୍, ଟାଟା ଷ୍ଟିଲ୍ ଏସ୍ଇଜେଡ୍, ପାରାଦୀପ ଫସଫେଟ୍ ଲିମିଟେଡ୍ ଓ ଇଣ୍ଡିଆନ ଅଏଲ୍। ଦୁବାଇ ଗସ୍ତ କରିଥିବା ପ୍ରତିନିଧି ଦଳରେ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା, ରୁଚି ଗ୍ରୁପ୍‌ର ମୁଖ୍ୟ ଶରତ ସାହୁ, ଡିଏନ୍ ଗ୍ରୁପ୍‌ର ମୁଖ୍ୟ ଜଗଦ୍ଦୀଶ ନାୟକ, ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟ୍‌ର ପରିଚାଳନା ନିର୍ଦ୍ଦେଶକ ପାର୍ଥ ଜିନ୍ଦଲ, ଆଦାନି ପୋର୍ଟସ୍ ଆଣ୍ଡ୍ ଏସ୍ଇଜେଡ୍‌ର ସିଇଓ କରନ ଆଦାନି, ବେଦାନ୍ତ ଆଲୁମିନିୟମ୍‌ର ସିଇଓ ରାହୁଲ ଶର୍ମା ଓ ଟାଟା ଷ୍ଟିଲ୍‌ର ଉପସଭାପତି ଚାଣକ୍ୟ ଚୌଧୁରୀ ପ୍ରମୁଖ ରହିଛନ୍ତି।

ସୂଚନା‌ଯୋଗ୍ୟ ଯେ କରୋନା ମହାମାରୀ ପ୍ରକୋପରେ ଓଡ଼ିଶାର ପ୍ରମୁଖ ନିବେଶକ ସମ୍ମିଳନୀ ‘ମେକ୍ ଇନ୍ ଓଡ଼ିଶା’ ଦୁଇ ବର୍ଷ ହେଲା ଆୟୋଜନ ହୋଇପାରୁନଥିଲା। ଏଭଳି ଏକ ସମୟରେ ପ୍ରଥମ ଥର ଲାଗି ରାଜ୍ୟ ସରକାର ଦୁବାଇରେ ଏକ ସମ୍ମିଳନୀ ଆୟୋଜନ କରି ଓଡ଼ିଶାର ସଫଳତା କାହାଣୀକୁ ନିବେଶକମାନଙ୍କ ସାମ୍ନାରେ ଉପସ୍ଥାପନ କରି ରାଜ୍ୟ ପାଇଁ ବହୁ ମୂଲ୍ୟ ପୁଞ୍ଜିନିବେଶ ହାସଲ କରିବାକୁ ଉଦ୍ୟମ କରିଛନ୍ତି। ଏହାର ନେତୃତ୍ବ ନେଇଛନ୍ତି ଖୋଦ୍‌ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ମହାମାରୀ ପ୍ରଭାବ ସତ୍ତ୍ବେ ଓଡ଼ିଶା ସରକାର ୧.୨୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହାସଲ କରିବାରେ ସଫଳ ହୋଇଥିଲେ। ପ୍ରତି ଦୁଇ ବର୍ଷରେ ଥରେ ଭୁ‌ବନେଶ୍ବରରେ ଆୟୋଜନ କରାଯାଉଥିବା ମେକ୍ ଇନ୍ ଓଡ଼ିଶା ନିବେଶକ ସମ୍ମିଳନୀର ୨୦୧୮ ସଂସ୍କରଣରେ ସରକାର ୪,୨୦,୦୦୦ ‌କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିବାରେ ସଫଳ ହୋଇଥିଲେ। ସମ୍ମିଳନୀର ୨୦୧୬ ସଂସ୍କରଣରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ମୁଖ୍ୟମନ୍ତ୍ରୀ ୟୁଏଇର ସାତଟି ଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟ ମତ ବିନିମୟ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଶ୍ରୀ ପଟ୍ଟନାୟକ ୩୦ ତାରିଖରେ ନୂଆଦିଲ୍ଲୀ ଫେରି ଆସି ସେହିଦିନ ରାତିରେ ଭୁବନେଶ୍ବରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାଏକ ଓ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଦୁବାଇ ଯାଇଛନ୍ତି।

ସମ୍ବନ୍ଧିତ ଖବର