ଦାତୁମ୍‌ ନିର୍ଦ୍ଦେଶକଙ୍କୁ ଘେରିଲେ ଜମାକାରୀ, କୋର୍ଟ ପରିସରରେ ଧସ୍ତାଧସ୍ତି

ବ୍ରହ୍ମପୁର : ଚିଟ୍‌ଫଣ୍ଡ ସଂସ୍ଥା ଦାତୁମ୍‌ର ମାଲିକ ଦମ୍ପତି ଆଜି କୋର୍ଟରେ ହାଜର ହୋଇ ଫେରୁଥିବା ସମୟରେ ଜମାକାରୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ଜମାକାରୀମାନେ ହଠାତ୍‌ ଘେରିଯାଇ ନିର୍ଦ୍ଦେଶକ ବ୍ରଜମୋହନ ପଟ୍ଟନାୟକଙ୍କୁ ଟଣାଓଟରା କରିଛନ୍ତି। ଏହାଦେଖି ପୂର୍ବରୁ ସେଠାରେ ଜଗି ରହିଥିବା ପୁଲିସ୍‌ ବ୍ରଜମୋହନଙ୍କୁ ଘେରିଯାଇ ଜମାକାରୀଙ୍କ କବଳରୁ ଉଦ୍ଧାର କରିବା ସହିତ ଗାଡ଼ିରେ ବସାଇ ନେଇ ଯାଇଥିଲା। ଅନ୍ୟ ଏକ ମାମଲାରେ ତାଙ୍କୁ ଉଠାଇ ନିଆଯାଇଥିବା କୁହାଯାଉଥିବାବେଳେ ପୁଲିସ୍‌ ଏ ନେଇ କିଛି ସ୍ପଷ୍ଟ କରିନାହିଁ।

ଘରୋଇ ଅର୍ଥ ଲଗାଣକାରୀ ଚିଟ୍‌ଫଣ୍ଡ ସଂସ୍ଥା ଦାତୁମ୍‌ର ନିର୍ଦ୍ଦେଶକ ଓ ପରିଚାଳନା ନିର୍ଦ୍ଦେଶିକାଙ୍କ ଜାମିନ୍‌ ରଦ୍ଦ ପାଇଁ ସ୍ବତନ୍ତ୍ର ଚିଟଫଣ୍ଡ କୋର୍ଟରେ ପିଟିସନ୍‌ ରୁଜୁ ହୋଇଥିଲା। ଚିଟ୍‌ଫଣ୍ଡ କୋର୍ଟର ସ୍ବତନ୍ତ୍ର ପିପି ବିଜୟ ପ୍ରଧାନ ଏହି ପିଟିସନ୍‌ ରୁଜୁ କରିଥିଲେ। ଏହା ଉପରେ ଶୁଣାଣି ପାଇଁ ଆଜି ଦିନ ଧାର୍ଯ୍ୟ କରାଯାଇଥିଲା। ସେ ନେଇ ଦାତୁମ୍‌ର ନିର୍ଦ୍ଦେଶକ ବ୍ରଜମୋହନ ଏବଂ ପରିଚାଳନା ନିର୍ଦ୍ଦେଶିକା ତଥା ପତ୍ନୀ ତ୍ରିଧାରା ମହାନ୍ତି ଚିଟ୍‌ଫଣ୍ଡ କୋର୍ଟରେ ଅପରାହ୍ନରେ ହାଜର ହୋଇଥିଲେ। ପିଟିସନ୍‌ ଶୁଣାଣି ପାଇଁ ବ୍ରଜମୋହନଙ୍କ ଓକିଲ କୋର୍ଟରେ ୧୦ଦିନ ସମୟ ମାଗିଥିଲେ। କୋର୍ଟ ତାହା ଗ୍ରହଣ କରି ଦୁଇଦିନ ସମୟ ଦେଇଛନ୍ତି। ଆସନ୍ତା ୬ତାରିଖରେ ଏହି ପିଟିସନ୍‌ ଉପରେ ଶୁଣାଣି ହେବ ବୋଲି ସ୍ବତନ୍ତ୍ର ପିପି ପ୍ରଧାନ ସୂଚନା ଦେଇଛନ୍ତି। କୋର୍ଟରୁ ମାଲିକ ଦମ୍ପତି ବାହାରିବା ପରେ ଜମାକାରୀ ଉଭୟଙ୍କୁ ଘେରି ଯାଇଥିଲେ। ଏହା ଦେଖି କିଛି ମହିଳା ପୁଲିସ ପରିଚାଳନା ନିର୍ଦ୍ଦେଶିକା ତ୍ରିଧାରାଙ୍କୁ ସେଠାରୁ ନେଇ ଯାଇଥିଲେ। ଏହାପରେ ଜମାକାରୀମାନେ ନିର୍ଦ୍ଦେଶକ ବ୍ରଜମୋହନଙ୍କୁ ଠେଲାପେଲା କରି ଟଙ୍କା ଦାବି କରିଥିଲେ। କୋର୍ଟ ବାରଣ୍ଡାରୁ ଜମାକାରୀମାନେ ବ୍ରଜମୋହନଙ୍କ ପଛରେ ପଡ଼ି ଯାଇଥିଲେ। ଏହା ଦେଖି ପୁଲିସ ସେଠାରେ ପହଞ୍ଚି ବୁଝାସୁଝା କରିଥିଲେ ସୁଦ୍ଧା ଜମାକାରୀ ଶୁଣି ନଥିଲେ। ପୁଲିସ ବ୍ରଜମୋହନଙ୍କୁ ଚାରିପଟୁ ଘେରିରହି ଜମାକାରୀଙ୍କ କବଳରୁ ରକ୍ଷା କରିବାକୁ ଚେଷ୍ଟା କରିବାବେଳେ ଧସ୍ତାଧସ୍ତି ହୋଇଥିଲା। ପୁଲିସ ବଡ଼ କଷ୍ଟରେ ଜମାକାରୀଙ୍କ କବଳରୁ ବ୍ରଜମୋହନଙ୍କୁ ରକ୍ଷା କରି ନେଇଯାଇଥିଲା।

ସମ୍ବନ୍ଧିତ ଖବର