ଅଦୃ୍ଶ୍ୟ ଶତ୍ରୁ: ଅଣ୍ଟିଲାନି ସରକାରୀ ଓ ଘରୋଇ ହସ୍ପିଟାଲ ଶଯ୍ୟା

ଆରମ୍ଭରୁ କହିଲେ ଘରେ ରହିପାରିବନି, ପରେ କହିଲେ ଘରେ ରୁହ

ମାର୍ଚ ମାସରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ରାଜ୍ୟରେ। ଏହାପରେ ଧୀରେ ଧୀରେ ସଂକ୍ରମଣ ବଢ଼ିଥିଲା। ତେବେ ଦେଶବ୍ୟାପୀ ଲକ୍‌ଡାଉନ୍ ହେବାର ୧୫-୨୦ ଦିନ ପରେ ବିଭିନ୍ନ ରାଜ୍ୟରୁ ଘରକୁ ଫେରିଥିଲେ ପ୍ରବାସୀ। କୋଲକାତା, ଗୁଜୁରାଟ, ତାମିଲନାଡ଼ୁ ଓ ଅନ୍ୟ ରାଜ୍ୟରୁ ପ୍ରବାସୀଙ୍କ ଶୁଅ ଛୁଟିଥିଲା। ବାସ୍ ଏହାର କିଛିଦିନ ପରେ ରାଜ୍ୟରେ ବଢ଼ିଥିଲା କରୋନା ସଂକ୍ରମଣ। କରୋନା ରୋଗୀଙ୍କ ଚିକିତ୍ସା କରିବା ଲାଗି ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାରେ ପ୍ରତିଷ୍ଠା କରିଥିଲେ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ୍। ସମୁଦାୟ ୩୫ ହସ୍ପିଟାଲ ପ୍ରତିଷ୍ଠା ହୋଇଥିଲା। ହେଲେ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସ ବେଳକୁ ହସ୍ପିଟାଲରେ ଶଯ୍ୟାର ଅଭାବ ପଡ଼ିଥିଲା। ଫଳରେ ବାଧ୍ୟ ହୋଇ ସରକାର ଘରୋଇ ହସ୍ପିଟାଲକୁ ସାମିଲ୍‌ କରିଥିଲେ।

ପ୍ରାଥମିକ ପର୍ଯ୍ୟାୟରେ ୧୦ ପ୍ରତିଶତ ଶଯ୍ୟା ଓ ପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶଯ୍ୟା କରୋନା ସଂକ୍ରମିତଙ୍କ ପାଇଁ ସଂରକ୍ଷିତ ରଖିବା ଲାଗିି ନିର୍ଦେଶ ଦେଇଥିଲେ ସରକାର। ଏହାସତ୍ବେ ମଧ୍ୟ କରୋନା ରୋଗୀଙ୍କୁ ଶଯ୍ୟା ମିଳି ନ ଥିଲା। ଆଇସିୟୁ ଓ ଭେଣ୍ଟିଲେଟରରେ ଭର୍ତି ହୋଇ ରହିଥିଲେ ଗୁରୁତର ରୋଗୀ। ଶଯ୍ୟା ଖଣ୍ଡିଏ ପାଇବା ଲାଗି ରୋଗୀଙ୍କୁ ଦିନ ଦିନ ଅପେକ୍ଷା କରିବାକୁ ପଡ଼ିଥିଲା। ଆମ୍ବୁଲାନ୍‌ସ ମଧ୍ୟ ଠିକ୍‌ରେ ରୋଗୀଙ୍କ ପାଖରେ ପହଞ୍ଚିପାରି ନ ଥିଲା। ଏଭଳି ପରିସ୍ଥିତିରେ ଅନେକ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ସରକାର ଏକପ୍ରକାର ହାତ ଟେକି ଦେଇଥିଲେ। ଘନ ଘନ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯଥାସମ୍ଭବ ଘରେ ରହି ଚିକିତ୍ସା ହୁଅ।

ଆରମ୍ଭରୁ କହିଲେ ଘରେ ରହିପାରିବନି, ପରେ କହିଲେ ଘରେ ରୁହ

jjchembros.com

କରୋନା ସଂକ୍ରମଣ ଆରମ୍ଭ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପାଇଁ ପ୍ରତିଦିନ ଅପରାହ୍‌ଣ ସାଢ଼େ ୪ ଟାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କୋଭିଡ-୧୯ ପାଇଁ ରାଜ୍ୟ ସରକାର ସୁବ୍ରତ ବାଗ୍‌ଚୀଙ୍କୁ ମୁଖ୍ୟ ମୁଖପାତ୍ର ବୋଲି ଘୋଷଣା କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଆରମ୍ଭରୁ ସରକାରଙ୍କ ପକ୍ଷରୁ କରୋନା ସଂକ୍ରମିତ କୌଣସି ବ୍ୟକ୍ତି ଘରେ ରହି ଚିକିତ୍ସିତ ହୋଇପାରିବେ ନାହିଁ ବୋଲି କୁହାଯାଇଥିଲା। ତେଣୁ ପ୍ରତ୍ୟେକ ରୋଗୀଙ୍କୁ ହସ୍ପିଟାଲକୁ ଯିବାକୁ ପଡ଼ିଥିଲା। ମାତ୍ର ଜୁଲାଇ, ଅଗଷ୍ଟ ମାସ ବେଳକୁ ସ୍ଥିତି ବିଗିଡ଼ି ଯିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଗୀମାନଙ୍କୁ (ଗୁରୁତରଙ୍କୁ ଛାଡ଼ି) ଘରେ ରହି ଚିକିତ୍ସା ପାଇଁ ପ୍ରୋତ୍ସାହିତ କରିଥିଲେଃ ସ୍ବଳ୍ପ ଲକ୍ଷଣ କିମ୍ବା ଲକ୍ଷଣ ବିହୀନ ରୋଗୀ ଘରେ ସହଖୁସି ପରିବେଶରେ ରହିଲେ ଶୀଘ୍ର ଭଲ ହୋଇଯିବେ ବୋଲି ସରକାରଙ୍କ ପକ୍ଷରୁ ଏକାଧିକ ଡାକ୍ତର ସାମ୍ବାଦିକ ସମ୍ମିଳନୀରେ ଯୁକ୍ତି ବାଢ଼ିଥିଲେ। ଦିନ ଦିନ ଧରି ଏଥିପାଇଁ ଲାଇଭ୍ କାର୍ଯ୍ୟକ୍ରମ କରାଯାଇଥିଲା। ଘରେ ରହିବା ସମୟରେ ସରକାରଙ୍କ ପକ୍ଷରୁ ରୋଗୀଙ୍କୁ ଯୋଗାଯୋଗ କରାଯିବ ଓ ଲକ୍ଷଣ ଅନୁଯାୟୀ ଔଷଧ କିଟ୍‌ ଯୋଗାଇ ଦିଆଯିବା ନେଇ ଘୋଷଣା କରାଯାଇଥିଲା। ଫଳରେ ରୋଗୀମାନେ ସଂପୂର୍ଣ୍ଣ ଖୋଲା ଫାଙ୍କିଆ ହୋଇ ଯାଇଥିଲେ। ଘରେ ରହିବା ସମୟରେ ମଧ୍ୟ ବାହାରେ ଆସି ବୁଲାବୁଲି କରିଥିଲେ। ସରକାରଙ୍କ ପକ୍ଷରୁ ଏଥିପାଇଁ ତାଗିଦ୍ କରାଯାଉଥିଲେ ହେଁ, ଲୋକଙ୍କ ଉପରେ ଏହାର କିଛି ଫରକ୍ ପଡ଼ି ନ ଥିଲା।

ଅନଲାଇନ୍‌ରେ ରୋଗୀ ଦେଖା

କରୋନା ସଂକ୍ରମଣ ଆରମ୍ଭ ହେବା ପରେ ରାଜ୍ୟରେ ଅଧିକାଂଶ ଘରୋଇ ହସ୍ପିଟାଲରେ ରୋଗୀ ଦେଖା ଏକପ୍ରକାର ବାଧାପ୍ରାପ୍ତ ହୋଇଥିଲା। ଏମ୍‌ସ କର୍ତୃପକ୍ଷ ମଧ୍ୟ ନିଜର ଓପିଡି ବନ୍ଦ ‌କରି ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲା ହସ୍ପିଟାଲରେ ଫୋନ୍ ଜରିଆରେ ରୋଗୀଙ୍କୁ ଚିକିତ୍ସା ଦିଆଯିବାର ବ୍ୟବସ୍ଥା କରିଥିଲେ। ଏମ୍‌ସରେ ଉଭୟ ଫୋନ୍ ଓ ଆପ୍ ଜରିଆରେ ରୋଗୀଙ୍କୁ ସେବା ଦିଆଯାଇଥିଲା। ରୋଗୀମାନେ ଫୋନ୍ କରିବା ପରେ ରୋଗ ଅନୁଯାୟୀ ସଂପୃକ୍ତ ବିଭାଗର ଡାକ୍ତର ଫୋନ୍‌ରେ କଥା ହୋଇ କ’ଣ କରିବାକୁ ହେବ ତାହା ସଂପର୍କରେ ସୂଚନା ଦେଉଥିଲେ।

ରିପୋର୍ଟ: କ୍ଷିତୀଶ ରାୟ

ସମ୍ବନ୍ଧିତ ଖବର