ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି। ଭୁବନେଶ୍ବର ଓ ପୁରୀ ଗସ୍ତ ପାଇଁ କାର୍ଯ୍ୟସୂଚୀ ଚୂଡ଼ାନ୍ତ ସରିଛି। ରାଷ୍ଟ୍ରପତି ହେବା ପରେ ପ୍ରଥମଥର ଲାଗି ଓଡ଼ିଶା ଗସ୍ତରେ ଆସୁଥିବାରୁ ବିଭିନ୍ନ ମହଲରେ ଖୁସି ଖେଳିଯାଇଛି। ସ୍ବାଗତ ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ରାଷ୍ଟ୍ରପତିଙ୍କୁ ନିଜ କ୍ୟାମ୍ପସରେ ଅତିଥି କରିବାକୁ ରାଜ୍ୟର ୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ନିମନ୍ତ୍ରଣପତ୍ର ପଠାଇଥିବା ଜଣାପଡ଼ିଛି। ତେବେ କୌଣସି ଶିକ୍ଷାନୁଷ୍ଠାନକୁ ରାଷ୍ଟ୍ରପତି ଭବନରୁ ସହମତି ପତ୍ର ମିଳି ନ ଥିବାରୁ କର୍ତୃପକ୍ଷ ଆଶା ଆଶଙ୍କାରେ ଅଛନ୍ତି।
/sambad/media/post_attachments/wp-content/uploads/2021/12/14-16.jpg)
ରାଜ୍ୟର ପୁରାତନ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଆଜି ସୁଦ୍ଧା ଦୁଇଥର ନିମନ୍ତ୍ରଣପତ୍ର ପଠାଇ ସାରିଛନ୍ତି। ନଭେମ୍ବର ୨୭ରେ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ ହେବାକୁ ଥିବାରୁ ସେଠାରେ ରାଷ୍ଟ୍ରପତିଙ୍କୁ ଅତିଥି କରିବାକୁ କର୍ତ୍ତୃପକ୍ଷ ଚିଠି ଲେଖିଥିଲେ। ମାତ୍ର ସମୟ ମିଳି ନ ଥିଲା। ତେଣୁ ଏବେ ପୁଣି ଥରେ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବାକୁ କର୍ତ୍ତୃପକ୍ଷ ନିମନ୍ତ୍ରଣପତ୍ର ପଠାଇଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ କୌଣସି ପ୍ରକାର ସହମତି ପତ୍ର ଆସିନାହିଁ। ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ହୋଇଥିବା ଦେଶର ପ୍ରଥମ ଆଦିବାସୀ ମହିଳାଙ୍କୁ ସ୍ବାଗତ ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରସ୍ତୁତ ହୋଇଛନ୍ତି। କ୍ୟାମ୍ପସର ସୌନ୍ଦର୍ଯ୍ୟ ବୃଦ୍ଧି ସହ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। କେବଳ ରାଷ୍ଟ୍ରପତିଙ୍କ ସହମତିକୁ ଅପେକ୍ଷା।
/sambad/media/post_attachments/wp-content/uploads/2019/06/ramadevi-640x430.jpg)
ରାଷ୍ଟ୍ରପତି ଉଚ୍ଚଶିକ୍ଷା ଗ୍ରହଣ କରିଥିବା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କ୍ୟାମ୍ପସର ପ୍ରତିଷ୍ଠା ଦିବସ ଡିସେମ୍ବର ୩ରେ ପାଳିତ ହେବ। ଉକ୍ତ ଉତ୍ସବରେ ରାଷ୍ଟ୍ରପତି ତଥା ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରୀଙ୍କୁ ଅତିଥି କରିବା ଲାଗି କର୍ତ୍ତୃପକ୍ଷ ଯୋଜନା ପ୍ରସ୍ତୁତ କରିଛନ୍ତି। ଏନେଇ ପୁରାତନ ଛାତ୍ରୀ ସଂଘ ସମେତ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପତ୍ର ଲେଖି ସାରିଛନ୍ତି। ମାତ୍ର ଆଜି ସୁଦ୍ଧା କୌଣସି ସହମତି ମିଳିନାହିଁ। ତଥାପି କର୍ତ୍ତୃପକ୍ଷ ଆଶା ଛାଡ଼ି ନାହାନ୍ତି। କେବେ ନା କେବେ ରାଷ୍ଟ୍ରପତିଙ୍କ ପାଦ କ୍ୟାମ୍ପସରେ ପଡ଼ିବ ବୋଲି ଆଶା ରଖିଛନ୍ତି।
/sambad/media/post_attachments/wp-content/uploads/2020/08/north-odisha-university.jpg)
କେବଳ ଏହି ଦୁଇଟି ବିଶ୍ବବିଦ୍ୟାଳୟ ନୁହେଁ, ବରଂ ଉତ୍ତର ଓଡ଼ିଶାର ଦୁଇ ପ୍ରମୁଖ ସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟ ରାଷ୍ଟ୍ରପତିଙ୍କୁ ଅତିଥି କରିବାକୁ ଲାଗି ପଡ଼ିଛନ୍ତି। ରାଷ୍ଟ୍ରପତିଙ୍କ ନିଜ ଜନ୍ମମାଟିରେ ଥିବା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ(ଏମ୍ଏସ୍ସିବି) ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଅତିଥି କରିବାକୁ ନିମନ୍ତ୍ରଣ କରାଯାଇଛି। ଡିସେମ୍ବରରେ ସମାବର୍ତ୍ତନ କରିବାକୁ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ ଶେଷ କରିଛନ୍ତି। ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣପତ୍ରର ଉତ୍ତର ମିଳିବା କ୍ଷଣି ଉତ୍ସବ ଆୟୋଜନ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ବାଲେଶ୍ବରସ୍ଥିତ ଫକୀର ମୋହନ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ପତ୍ର ଲେଖି ସମାବର୍ତ୍ତନ ଉତ୍ସବ ପାଇଁ ନିମନ୍ତ୍ରଣ କରିଥିବା ସୂଚନା ମିଳିଛି।
ଏ ତ ଗଲା ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟ କଥା। କେନ୍ଦ୍ର ସରକାରଙ୍କ ଅଧୀନ ଆଇଆଇଟି ଭୁବନେଶ୍ବର କର୍ତ୍ତୃପକ୍ଷ ମଧ୍ୟ ରାଷ୍ଟ୍ରପତିଙ୍କୁ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି କରିବା ଲାଗି ନିମନ୍ତ୍ରଣପତ୍ର ପଠାଇ ସାରିଛନ୍ତି। ପ୍ରଥମେ ନଭେମ୍ବର ୨୯ରେ ସମାବର୍ତ୍ତନ ଉତ୍ସବ କରିବାକୁ କର୍ତ୍ତୃପକ୍ଷ ଯୋଜନା ପ୍ରସ୍ତୁତ କରିବା ସହ ସହମତି ଲୋଡ଼ିଥିଲେ। ମାତ୍ର କାର୍ଯ୍ୟବ୍ୟସ୍ତତା ଯୋଗୁଁ ରାଷ୍ଟ୍ରପତି ଯୋଗ ଦେଇପାରିବେ ନାହିଁ ବୋଲି କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯିବା ପରେ ଆଇଆଇଟି କର୍ତ୍ତୃପକ୍ଷ ସମାବର୍ତ୍ତନ ଉତ୍ସବକୁ ଏବେ ସ୍ଥଗିତ ରଖିଛନ୍ତି। ଯେବେ ରାଷ୍ଟ୍ରପତି ସମୟ ଦେବେ, ସେବେ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଏମାନଙ୍କ ବ୍ୟତୀତ ଆହୁରି କିଛି ଶିକ୍ଷାନୁଷ୍ଠାନ ମଧ୍ୟ ରାଷ୍ଟ୍ରପତିଙ୍କୁ ଅତିଥି କରିବାକୁ ଆଗଭର ପ୍ରକାଶ କରିଥିବା ସୂଚନା ମିଳିଛି।