ଓଡ଼ିଶା ଗସ୍ତରେ ନିତି ଆୟୋଗ ଉପାଧ୍ୟକ୍ଷ: ନିତି ଆୟୋଗର ‘ପରିଚାଳନା ପରିଷଦ’ ବୈଠକକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ବର : ନିତି ଆୟୋଗ ଉପାଧ୍ୟକ୍ଷ ସୁମନ କୁମାର ବେରୀ, ସଦସ୍ୟ ବିନୋଦ କୁମାର ପଲ୍‌ ଏବଂ ବରିଷ୍ଠ ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସିଛନ୍ତି। ଗୁରୁବାର ସଂଧ୍ୟାରେ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆସନ୍ତା ଅଗଷ୍ଟ ୭ରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆ‌ଦିଲ୍ଲୀରେ ବସିବାକୁ ଥିବା ନିତି ଆୟୋଗର ‘ପରିଚାଳନା ପରିଷଦ’ର ସପ୍ତମ ବୈଠକରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି।

ନିତି ଆୟୋଗଙ୍କ ଟିମ୍‌ ଆଜି ସକାଳେ ବିଶ୍ବ ଦକ୍ଷତା କେନ୍ଦ୍ର ବୁଲିବା ସହ ମହିଳା ଏସ୍‌ଏଚ୍‌ଜିଙ୍କ ଦ୍ବାରା ପରିଚାଳିତ ଏକ ଉଦ୍ୟୋ‌ଗ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ୫ଟି ରୂପାନ୍ତରିତ ହୋଇଥିବା ଏକ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ଏବଂ ପିପିଲିର ଏକ ୱେଲନେସ୍ ସେଣ୍ଟର ବୁଲି ଦେଖିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ କ’ଣ କ’ଣ ବିକାଶମୂଳକ ପଦକ୍ଷେପ ନିଆଯାଇଛି ତାହା ରାଜ୍ୟ ସରକାରଙ୍କ ଅଧିକାରୀମାନେ ବୁଝାଇଥିଲେ।

ଏହି ଅବସରରେ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ନିତି ଆୟୋଗ ଉପାଧ୍ୟକ୍ଷ ଉପସ୍ଥିତ ରହି ମୁଖ୍ୟ ଶାସନ ସଚିବ ସୁ‌େରଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ୍ତ କୁମାର ଜେନା ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଉନ୍ନୟନ କମିସନର, ପଞ୍ଚାୟତିରାଜ ଓ ପାନୀୟ ଜଳ ଓ ଅର୍ଥ ବିଭାଗର ପ୍ରମୁଖ ସଚିବ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ପାଇଥିବା ସଫଳତା ଏବଂ ସମସ୍ୟାଗୁଡ଼ିକୁ ଉପସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କ ଦ୍ବାରା ବିକାଶମୂଳକ କାର୍ଯ୍ୟ ନିମନ୍ତେ ନିଆଯାଉଥିବା ଉଦ୍ୟମଗୁଡ଼ିକୁ ସେମାନେ ନିରୀକ୍ଷଣ କରିବା ସହ ସଫଳତା ନି‌ମ‌ନ୍ତେ ଆଶ୍ବାସନା ଦେଇଥିଲେ। ସଂଧ୍ୟାରେ ନିତି ଆୟୋଗ ଟିମ୍‌ ଓଡ଼ିଶା ହସ୍ତକଳା ସଂଗ୍ରହାଳୟ ‘କଳାଭୂମି’ ପରିଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର