ଶଙ୍କରାଚାର୍ଯ୍ୟଙ୍କୁ ରଥଯାତ୍ରାକୁ ନିମନ୍ତ୍ରଣ, ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ଜଣାଇଲେ ମୁଖ୍ୟ ପ୍ରଶାସକ 

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସେବାୟତ; ମହାପ୍ରଭୁଙ୍କ ଲାଗି ମାଳ, ମାହାର୍ଦ୍ଦ, ନଡ଼ିଆ ଦେଲେ

ପୁରୀ : ରଥଯାତ୍ରା ପାଇଁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଆଜି ନିମନ୍ତ୍ରଣ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର, ରାଜସ୍ବ ପ୍ରଶାସକ ସୁବ୍ରତ ବେହେରା ପ୍ରମୁଖ ରବିବାର ଦିନ ଗୋବର୍ଦ୍ଧନ ମଠକୁ ଯାଇ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରି ରଥଯାତ୍ରା ପାଇଁ ନିମନ୍ତ୍ରଣ ଦେଇଛନ୍ତି। ଏହି ଅବସରରେ ଶଙ୍କରାଚାର୍ଯ୍ୟ ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କୁମାର ରଥଯାତ୍ରା ପ୍ରସ୍ତୁତିର ବିସ୍ତୃତ ସୂଚନା ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଦେଇଛନ୍ତି। କୋଭିଡ୍‌ ମହାମାରୀ ଭିତରେ ସେବାୟତମାନେ ରଥ ଟାଣୁଥିବାବେଳେ ସମସ୍ତଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଯାଇଛି। ପୁରୀ ସହରରେ କର୍ଫ୍ୟୁ ଜାରି କରାଯାଇଥିବାବେଳେ ସମ୍ପୂର୍ଣ୍ଣ କଟକଣା ଭିତରେ ରଥଯାତ୍ରା ଅନୁଷ୍ଠିତ ହେଉଛି ବୋଲି ମୁଖ୍ୟ ପ୍ରଶାସକ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ କହିଥିଲେ। ସେବାୟତ ରଥ ଟାଣୁଥିବାରୁ ସଅଳ ନୀତିକାନ୍ତି ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବି ଅବଗତ କରିଥିଲେ।

ଏହି ଅବସରରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ମୁଖ୍ୟ ପ୍ରଶାସକଙ୍କୁ ନାନାଦି ଧାର୍ମିକ ପରାମର୍ଶ ଦେଇଥିଲେ। ଶ୍ରୀମନ୍ଦିର ନୀତିକାନ୍ତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ସମନ୍ବୟ ଭିତ୍ତିରେ କାମ କରିବାକୁ ପରାମର୍ଶ ଦେଇଥିଲେ। ତେବେ ଏହି ସମୟରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କୁ ଅଣଦେଖା କରାଯାଉଥିବା କହିଛନ୍ତି। ଶ୍ରୀମନ୍ଦିରର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ନିମନ୍ତ୍ରଣ ମିଳୁନଥିବାରୁ ଜଗତଗୁରୁ ଅସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟିଦେବାକୁ କହିଛନ୍ତି। ଶ୍ରୀମନ୍ଦିର ହେଉଛି ଧାର୍ମିକ ଅନୁଷ୍ଠାନ, ଏଠାରେ ଧର୍ମ ବଜାୟ ରହୁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ପ୍ରତିବର୍ଷ ରଥଯାତ୍ରାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଶିଷ୍ୟମାନଙ୍କ ସହ ରଥଯାତ୍ରାକୁ ଆସିଥାନ୍ତି। ମହାପ୍ରଭୁଙ୍କ ଦର୍ଶନ କରି ପୁନର୍ବାର ଫେରି ଯାଇଥାନ୍ତି।

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସେବାୟତ; ମହାପ୍ରଭୁଙ୍କ ଲାଗି ମାଳ, ମାହାର୍ଦ୍ଦ, ନଡ଼ିଆ ଦେଲେ
ପୁରୀ : ରଥଯାତ୍ରା ପୂର୍ବରୁ ରବିବାର ଦିନ ଶ୍ରୀମନ୍ଦିର ସେବାୟତମାନେ ପୁରୀ ଗୋବର୍ଦ୍ଧନ ମଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି। ରଥଯାତ୍ରା ନୀତିକାନ୍ତି ସହ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଚଳିତବର୍ଷ ଅଣସର ନୀତିକାନ୍ତି କେଉଁଭଳି ଅନୁଷ୍ଠିତ ହେଲା ସେ ସମ୍ପର୍କରେ ଅବଗତ କରିଛନ୍ତି। ଏଥିସହ ମହାପ୍ରଭୁଙ୍କ ଲାଗି ମାଳ, ମାହାର୍ଦ୍ଦ ସହ ଶୁଭଫଳ ନଡ଼ିଆ ଭେଟି ଦେଇଛନ୍ତି। ଏହି ଅବସରରେ ରଥଯାତ୍ରା ନୀତିକାନ୍ତି ଶୃଙ୍ଖଳିତ କରିବା ଉପରେ ପରାମର୍ଶ ଦେଇଛନ୍ତି ଶଙ୍କରଚାର୍ଯ୍ୟ।

ସମ୍ବନ୍ଧିତ ଖବର