ରଥାଯାତ୍ରା ସିଧା ପ୍ରସାରଣ ଅଧିକାର ପାଇଁ ଟେଣ୍ଡର ଆହ୍ବାନ କଲେ ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ସ୍ନାନଯାତ୍ରାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପର୍ବର ସିଧାପ୍ରସାରଣ ପାଇଁ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ପ୍ରଶାସନ ଟେଲିଭିଜନ କମ୍ପାନିଙ୍କ ମାନଙ୍କଠାରୁ ‌ଟେଣ୍ଡର ଆହ୍ବାନ କରିଛନ୍ତି। ‌ଟେଣ୍ଡର ଆବେଦନର ଶେଷ ତାରିଖ ଜୁନ ୧୦ ତାରିଖ ରଖାଯାଇଛି। ଅର୍ଥାତ ଜୁନ୍ ୧୦ ତାରିଖ ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଟେଣ୍ଡର ପହଞ୍ଚିବ। ‌ସେହିଦିନ ଅପରାହ୍ନ ୪ଟା୪୫ରେ ଏହାଖୋଲାଯିବ। ଟେଣ୍ଡର ପାଇଥିବା ଟେଲିଭିଜନ କମ୍ପାନିଙ୍କୁ ସିଧା ପ୍ରସାରଣ ଅଧିକାର ମିଳିବ। ତେବେ ଏଥିପାଇଁ କିଛି ସର୍ତ୍ତାବଳୀ ରଖାଯାଇଛି। ସିଧାପ୍ରସାରଣରେ ପାଞ୍ଚବର୍ଷର ଅଭିଜ୍ଞତା ଥିବା ଟେଲିଭିଜନ ସଂସ୍ଥା ଏଥିପାଇଁ ଆବେଦନ କରିପାରିବେ। ସେହିଭଳି ଯେଉଁ ସଂସ୍ଥା ଏଥିପାଇଁ ଯୋଗ୍ୟ ବିବେଚିତ ହେବେ ‌ସେମାନଙ୍କୁ କ୍ୟାମେରା ଓ ଡିଏସ‌ଏନଜି ପାଇଁ ଅଲଗା ଅନୁମତି ନେବାକୁ ପଡିବ। ଫଟୋ ଓ ଭିଡିଓଗ୍ରାଫି ବେଳେ ସତର୍କତା ଅବଲମ୍ବନ କରାଯିବ। ଟେଣ୍ଡର ନେଇଥିବା ସଂସ୍ଥା ମନ୍ଦିର ପ୍ରଶାସନର ବାର୍ତ୍ତା ସ୍କ୍ରୋଲ ମାଧ୍ୟମରେ ପ୍ରସାରଣ କରିବେ। ସେହିଭଳି ଟେଲିକାଷ୍ଟ ରାଇଟ୍ ପାଇଥିବା ସଂସ୍ଥା ଦୂରଦର୍ଶନକୁ ମାଗଣାରେ ଫିଡ୍ ସେୟାର କରବାକୁ ବାଧ୍ୟ ହେବେ। ଏଭଳି ଅନେକ ସର୍ତ୍ତ ରହିଛି। ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଏ ନେଇ ଟେଣ୍ଡର ଆହ୍ପାନ କରୁ ନ ଥିଲେ। ଯିଏ ଅନୁମତି ମାଗୁଥିଲେ ପ୍ରଶାସନ ସେମାନଙ୍କୁ କିଛି ସର୍ତ୍ତ ରଖି ଅନୁମତି ଦେଉଥିଲେ। ସେମାନେ ନିଜ ଖୁସିରେ ଯାହା କିଛି ଅର୍ଥ ମନ୍ଦିର ପ୍ରଶାସନକୁ ଦେଉଥିଲେ। ମାତ୍ର ଏଥର ସିଧାପ୍ରସାରଣକୁ ଶୃଙ୍ଖଳିତ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଏହାଦ୍ବାରା ମନ୍ଦିର ପ୍ରଶାସନ ମଧ୍ୟ ଏ ବାବଦ‌ରେ କିଛି ରାଜସ୍ବ ଲାଭ କରିବ। ପୂର୍ବରୁ କିଛି ଟେଲିଭିଜନ କମ୍ପାନି ସିଧାପ୍ରସାରଣର ଫିଡ୍‌ ଦେଇ ବିପୁଳ ଅର୍ଥ ରୋଜଗାର କରୁଥିଲେ। ମାତ୍ର ମନ୍ଦିର ପ୍ରଶାସନକୁ ଆଦାୟ ଅର୍ଥରୁ କମ ଭାଗ ମିଳୁଥିଲା। ଏଭଳି ଟେଣ୍ଡର ଆହ୍ବାନ କରିବା ଦ୍ବାରା ମନ୍ଦିର ପ୍ରଶାସନ ଲାଭବାନ ହେବ।

ସମ୍ବନ୍ଧିତ ଖବର