ପୁରୀ: ରାଜ୍ୟରେ ନବଗଠିତ ବିଜେପି ସରକାରର ଶପଥଗ୍ରହଣ ଉତ୍ସବ ବୁଧବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ବିଜେପି ପକ୍ଷରୁ ଆଜି ମହାପ୍ରଭୁଙ୍କୁ ନିମନ୍ତ୍ରଣପତ୍ର ପ୍ରଦାନ କରାଯାଇଛି। ଶପଥଗ୍ରହଣ ଉତ୍ସବରେ ଯୋଗଦେବାକୁ ତିନିଠାକୁରଙ୍କୁ ନିମନ୍ତ୍ରଣ କରାଯାଇଛି। ଆଜି ବିଧାନସଭାର ନବନିର୍ବାଚିତ ସଦସ୍ୟ ପ୍ରଭାତୀ ପରିଡ଼ା, ପୃଥ୍ବୀରାଜ ହରିଚନ୍ଦନ ଓ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଥାଳିରେ ନିମନ୍ତ୍ରଣପତ୍ର ସହ ଗୁଆ, ନଡ଼ିଆ, ଚାଉଳ ଆଦି ନେଇ ଶ୍ରୀମନ୍ଦିର ଆସିଥିଲେ। ନିମନ୍ତ୍ରଣପତ୍ର ପହଞ୍ଚିବା ପରେ ଶ୍ରୀମନ୍ଦିର ବରିଷ୍ଠ ସିଂହାରୀ ସେବକ ମଧୁସୂଦନ ସିଂହାରୀ ଓ ସେବକ ସୋମନାଥ ଖୁଣ୍ଟିଆଙ୍କ ଜରିଆରେ ନିମନ୍ତ୍ରଣପତ୍ର ମହାପ୍ରଭୁଙ୍କୁ ଲାଗି କରାଯାଇଛି।
ଏହିଅବସରରେ ନିମାପଡ଼ାର ନବନିର୍ବାଚିତ ବିଧାୟିକା ପ୍ରଭାତୀ ପରିଡ଼ା କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦ ବିଜେପି ଉପରେ ଅଛି। ଆମକୁ ମହାପ୍ରଭୁ ବିଜୟୀ କରିଛନ୍ତି। ତାଙ୍କ ଆଦେଶରେ ବିଜେପି ସରକାର ଓଡ଼ିଶାବାସୀଙ୍କ ସେବା କରିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ସେହିପରି, ବିଧାୟକ ପୃଥ୍ବୀବଲ୍ଲଭ ହରିଚନ୍ଦନ ବିଜେପି ଜିଲ୍ଲା ସଭାପତି ତଥା ପିପିଲିର ନବନିର୍ବାଚିତ ବିଧାୟକ ଆଶ୍ରିତ ପଟ୍ଟନାୟକ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ବିଜେପି ଆସନ୍ତାକାଲିଠାରୁ ଶପଥ ନେଇ ସେବା କରିବାର ସୁଯୋଗ ପାଇବ। ଏଥିପାଇଁ ଆଜି ଆମେ ମହାପ୍ରଭୁଙ୍କୁ ନିମନ୍ତ୍ରଣପତ୍ର ଦେବାକୁ ଆସିଥିଲୁ। ଓଡ଼ିଆ ଅସ୍ମିତା ପାଇଁ ବିଜେପି କାମ କରିବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/sfhhsffhsfh.jpg)