ଜେଟ୍‌ଲିଙ୍କ ଉଦ୍ଦେଶ୍ୟରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ୫ରେ

ବିଜେଡି, କଂଗ୍ରେସ ସମେତ ସବୁ ଦଳର ନେତାଙ୍କୁ ନିମନ୍ତ୍ରଣ

ଭୁବନେଶ୍ବର: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସ୍ବର୍ଗତ ଅରୁଣ ଜେଟ୍‌ଲିଙ୍କ ସ୍ମୃତିରେ ରାଜ୍ୟ ବିଜେପି ପକ୍ଷରୁ ଆସନ୍ତା ୫ ତାରିଖ ପୂର୍ବାହ୍ନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଉଛି। ହୋଟେଲ୍‌ ସ୍ବସ୍ତି ପ୍ରିମିୟମ୍‌ରେ ହେବାକୁ ଥିବା ଏହି ସଭାରେ ବିଜେଡି, କଂଗ୍ରେସ ସମେତ ସବୁ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ସଭା ଏହି ଢାଞ୍ଚାରେ ଆୟୋଜନ କରିଥିଲା ରାଜ୍ୟ ବିଜେପି। ଯେଉଁଥିରେ କି ବିଜେଡି ପକ୍ଷରୁ ନିଜେ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ତେଣୁ ଜେଟ୍‌ଲିଙ୍କ ସ୍ମୃତିସଭାରେ ନିଜେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ନା ପ୍ରତିନିଧି ଭାବେ କାହାକୁ ପଠାଇବେ, ତାହାକୁ ନେଇ ଚର୍ଚ୍ଚା ଚାଲିଛି। ତେବେ ଏ ନେଇ ବିଜେଡି କିମ୍ବା ବିଜେପି ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ।

ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ସ୍ବର୍ଗତ ଜେଟ୍‌ଲି ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ତାଙ୍କ ପରଲୋକରେ ଭାରତୀୟ ରାଜନୀତି ଜଣେ ଆଦର୍ଶବାଦୀ ରାଜନେତାଙ୍କୁ ହରାଇଛି। ତାଙ୍କରି ସ୍ମୃତି ଉଦ୍ଦେଶ୍ୟରେ ହେବାକୁ ଥିବା ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟର ସମସ୍ତ ରାଜନୈତିକ ଦଳ, ସାମାଜିକ ସଂଗଠନ, ସ୍ବେଚ୍ଛାସେବୀ, ସମାଜସେବୀ, ସାମ୍ବାଦିକ, ବୁଦ୍ଧିଜୀବୀ, ଶୁଭେଚ୍ଛୁ, ସମର୍ଥକଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗ ଦେବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର