ଭୁବନେଶ୍ବର : ରାଜ୍ୟ ସରକାର କାଳିଆ ଯୋଜନାରେ ୫୯ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା କହୁଛନ୍ତି। କିନ୍ତୁ ରାଜ୍ୟ ସରକାର ଏବେ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ମାତ୍ର ୨୫ଲକ୍ଷ ଚାଷୀଙ୍କ ଭୂଲେଖ ରେକର୍ଡ ଦେଇଛନ୍ତି। କେନ୍ଦ୍ର ସରକାର ପିଏମ୍ କିଷାନ ଯୋଜନାରେ ୪୫ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ବ୍ୟବସ୍ଥା କରିଥିଲେ ବି ରାଜ୍ୟ ସରକାର କେନ୍ଦ୍ରକୁ ଠିକ୍ ତାଲିକା ପଠାଉନାହାନ୍ତି। ଯଦି ରାଜ୍ୟ ସରକାର ୫୯ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ଦେଉଛନ୍ତି, ତେବେ କାହିଁକି ବାକି ୩୪ଲକ୍ଷ ଚାଷୀଙ୍କ ତାଲିକା କେନ୍ଦ୍ରକୁ ଦେଉନାହାନ୍ତି?
ଓଡ଼ିଶା ଚାଷୀ ପିଏମ୍ କିଷାନ ଯୋଜନାରେ ଅର୍ଥ ପାଇଲେ ରାଜ୍ୟ ସରକାରଙ୍କର କ’ଣ ଅସୁବିଧା ହେବ ବୋଲି ବିଜେପି କୃଷକ ମୋର୍ଚ୍ଚା ପ୍ରଶ୍ନ କରିଛି। ଏହାସହ ଯେତିକି ଚାଷୀ କାଳିଆ ଯୋଜନାରେ ଉପକୃତ ହେଉଛନ୍ତି ସେତିକି ଚାଷୀଙ୍କୁ ପିଏମ୍ କିଷାନ୍ ଯୋଜନାରେ ସାମିଲ୍ କରିବାକୁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଆଜି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ସମବାୟ ବିଭାଗ ପ୍ରମୁଖ ସଚିବ ସଂଜୀବ କୁମାର ଚଢ଼ାଙ୍କୁ ଭେଟି ଦାବିପତ୍ର ଦେଇଛି।
ରାଜ୍ୟ ତଥ୍ୟ ଅପଡେଟ୍ ନକରିବାରୁ ପିଏମ୍ କିଷାନରୁ ୧୯ଲକ୍ଷ ଚାଷୀ କଟିଗଲେଣି
କୃଷକ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ ପିଏମ୍ କିଷାନ ଯୋଜନାରେ ପ୍ରଥମ କିସ୍ତିରେ ୪୦ ଲକ୍ଷ ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ମିଳିଥିଲା। ହେଲେ ବର୍ଷକୁ ବର୍ଷ ଚାଷୀଙ୍କର ତଥ୍ୟକୁ ଅପଡେଟ୍ ନକରିବା କାରଣରୁ ଏହି ଯୋଜନାରେ ଏବେ ୨୧ ଲକ୍ଷ ଚାଷୀ ସେମାନଙ୍କର ଆର୍ଥିକ ସହାୟତା ପାଇଛନ୍ତି। ରାଜ୍ୟ ସରକାର ଏବେ ସୁଦ୍ଧା ୫୯ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କା ପଠାଇଛନ୍ତି ବୋଲି ଦାବି କରିଛନ୍ତି। ଯଦି ୫୯ଲକ୍ଷ ଚାଷୀଙ୍କର ବ୍ୟାଙ୍କ ଆକାଉଣ୍ଟ ସହ ସମସ୍ତ ତଥ୍ୟ ଅଛି ତାହାଲେ ତାକୁ କେନ୍ଦ୍ରକୁ ପଠାଇବାରେ ଅସୁବିଧା କେଉଁଠି? ଅପରପକ୍ଷେ କାଳିଆ ଯୋଜନାରେ ରାଜ୍ୟ ସରକାର ବର୍ଷକୁ ୧୦ ହଜାର ଟଙ୍କା ଦେବେ ବୋଲି କହିଥିବା ବେଳେ ଏବେ ମାତ୍ର ୪ ହଜାର ଟଙ୍କା କାହିଁକି ଦେଉଛନ୍ତି? ୨୦୧୯ରେ ମୁଖ୍ୟମନ୍ତ୍ରୀ ନିଜେ ନିର୍ବାଚନ ବେଳେ ୭୫ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ତେବେ ବାକି ୧୬ ଲକ୍ଷ ଚାଷୀଙ୍କୁ କାହିଁକି ବଞ୍ଚିତ ରଖାଗଲା? କେନ୍ଦ୍ର ସରକାର ୪୫ଲକ୍ଷ ଚାଷୀଙ୍କୁ ପିଏମ୍ କିଷାନ୍ ଯୋଜନାରେ ଆର୍ଥିକ ସହାୟତା ଦେବାକୁ ନିଷ୍ପତ୍ତି ନେଇଥିବାବେଳେ କେବେ ସୁଦ୍ଧା ରାଜ୍ୟ ସରକାର ୪୫ଲକ୍ଷ ଚାଷୀଙ୍କର ସବିଶେଷ ଓ ସଂପୂର୍ଣ୍ଣ ତାଲିକା ଦେବେ ତାହା ଜଣାନ୍ତୁ ବୋଲି ମୋର୍ଚ୍ଚା ଦାବି କରିଛି।
ଏହି ପ୍ରତିନିଧି ଦଳରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷିକେଶ ଜେନାଙ୍କ ସମେତ ଶ୍ରୀରଞ୍ଜନ ମଙ୍ଗରାଜ, ରାଧାକାନ୍ତ ମହାନ୍ତ, ଦିଲ୍ଲୀପ କୁମାର ସ୍ୱାଇଁ, ବିଶ୍ୱଜିତ ସ୍ୱାଇଁ, ହିତେଶ ମହାପାତ୍ର ପ୍ରମୁଖ ସାମିଲ ଥିଲେ।