ପ୍ଲାଷ୍ଟିକ୍‌ ଓ ପଲିମର୍‌ ଶିଳ୍ପର ବିକାଶ ପାଇଁ ବଡ଼ ପଦକ୍ଷେପ

ପାରାଦୀପରେ ଇଣ୍ଡିଆନ ଅଏଲ୍‌ର ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ରର ଉଦ୍‌ଘାଟନ

ଓଡ଼ିଶାରେ ପଲିମର୍‌ ଶିଳ୍ପର ବିକାଶରେ ପିଏଡିସି ମୁଖ୍ୟ ଭୂମିକା ନେବ : ମୁଖ୍ୟମନ୍ତ୍ରୀ
ଓଡିଆ ପିଲାଙ୍କ ପାଇଁ ନୂଆ ବ୍ୟବସାୟ ବାତାବରଣ ସୃଷ୍ଟି କରାଯିବ : ଧର୍ମେନ୍ଦ୍ର

ଭୁବନେଶ୍ବର : ପାରାଦୀପ ଠାରେ ଇଣ୍ଡିଆନ୍ ଅଏଲ୍‌ର ଉତ୍ପାଦ ପ୍ରୟୋଗ ଓ ବିକାଶ କେନ୍ଦ୍ର (ପିଏଡିସି) ଆଜି ଉଦ୍‌ଘାଟିତ ହୋଇଛି। ଏଥିରେ ୪୩ କୋଟି ଟଙ୍କା ବ୍ୟୟ କରାଯାଇଛି। ଆଗାମୀ ଦିନରେ ଭଦ୍ରକ ଓ ଧାମାରାରେ ଟେକ୍ସଟାଇଲ୍‌ ଡାଉନ୍‌ଷ୍ଟ୍ରିମ୍‌ ୟୁନିଟ୍‌ ପାଇଁ ପଲିଷ୍ଟର୍‌ ସୂତା ଓ କପଡ଼ା ନିମନ୍ତେ ଏହା ଏକ ବୈଷୟିକ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପିଏଡିସିକୁ ଉଦ୍‌ଘାଟନ କରିଥିଲେ। ଓଡ଼ିଶାରେ ପ୍ଲାଷ୍ଟିକ୍ ଓ ପଲିମର୍‌ ଶିଳ୍ପକୁ ଏହି କେନ୍ଦ୍ର ପ୍ରୋତ୍ସାହନ ଦେବ ବୋଲି ଉଭୟ ଆଶାପ୍ରକଟ କରିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ନୂଆ ସାମଗ୍ରୀର ଓ ନୂଆ ପ୍ରୟୋଗର ବିକାଶରେ ଏହି କେନ୍ଦ୍ର କେବଳ ପ୍ରମୁଖ ଭୂମିକା ନେବ ନାହିଁ, ବରଂ ପ୍ଲାଷ୍ଟିକ୍ ଓ ପଲିମର୍‌ କ୍ଷେତ୍ରରେ ଉତ୍ପାଦନ ୟୁନିଟ୍‌ ସ୍ଥାପନ କରିବାକୁ ପୁଞ୍ଜିନିବେଶକାରୀଙ୍କୁ ସହଯୋଗ ଯୋଗାଇ ଦେବ। ଓଡ଼ିଶାରେ ପ୍ଲାଷ୍ଟିକ୍ ଓ ପେଟ୍ରୋ କେମିକାଲ୍‌ ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ଆଇଓସିଏଲ୍‌ ମୁଖ୍ୟ ଭୂମିକା ନେଉଛି। ଏହି ଅଞ୍ଚଳରେ ପୁଞ୍ଜିନିବେଶ କରିବାକୁ ଚାହୁଁଥିବା ଉଦ୍ୟୋଗୀମାନଙ୍କୁ ଭିତ୍ତିଭୂମି, କଞ୍ଚା ମାଲ୍‌ ଯୋଗାଣ ଓ ବୈଷୟିକ ସହାୟତା ଦେବା ପାଇଁ ଆଇଓସିଏଲ୍‌ ପ୍ରମୁଖ ଭୂମିକା ନିର୍ବାହ କରୁ। ପାରାଦୀପ ବିଶୋଧନାଗାରର ସମ୍ପ୍ରସାରଣ ସମୟରେ କଞ୍ଚାମାଲ୍‌ ମହଜୁଦ୍ ରଖିବାର ଆବଶ୍ୟକତା ଓ ପଲିମର୍‌ ଓ ପେଟ୍ରୋ କେମିକାଲ୍‌ ଶିଳ୍ପର ବିକାଶ ପାଇଁ ବ୍ଲକ୍‌ ନିର୍ମାଣକୁ ଗୁରୁତ୍ବ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଇଣ୍ଡିଆନ ଅଏଲର ଏହି କେନ୍ଦ୍ର ଓଡ଼ିଶାରେ ପଲିମର୍‌ ଭିତ୍ତିକ ଶିଳ୍ପର ବିକାଶରେ ମୁଖ୍ୟ ଭୂମିକା ନେବ। ପଲିମର୍‌ ପ୍ରୟୋଗ କ୍ଷେତ୍ରରେ ଏହାକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଥିଲେ। ଭଦ୍ରକ ଟେକ୍ସଟାଇଲ୍‌ ପାର୍କରେ ଆଇଓସିଏଲ୍‌ର ପ୍ରସ୍ତାବିତ ପ୍ରକଳ୍ପ ଓଡ଼ିଶାରେ ଟେକ୍ସଟାଇଲ୍‌ର ବିକାଶ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଏହାକୁ ତ୍ବରାନ୍ବିତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ପିଏଡିସି ଓଡିଶା ଏବଂ ପୂର୍ବ ଭାରତରେ ପଲିମର ଶିଳ୍ପ ବିକାଶକୁ ପ୍ରୋତ୍ସାହନ ଦେବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ଭିଜନକୁ ସାକାର କରିବ। ଏଠାରେ ଓଡିଆ ପିଲାଙ୍କ ପାଇଁ ନୂଆ ବ୍ୟବସାୟ ବାତାବରଣ ସୃଷ୍ଟି କରାଯିବ। ଏହି କେନ୍ଦ୍ର ଓଡିଆ ଶିଳ୍ପୋଦ୍ୟୋଗୀ ଓ ଯୁବକମାନଙ୍କୁ ଆତ୍ମନିର୍ଭର କରିବାରେ ବଡ ପଦକ୍ଷେପ। ଭାରତ ସରକାରଙ୍କ ସହଯୋଗରେ ଓଡିଶା ସରକାର ପେଟ୍ରୋକେମିକାଲ, ଇସ୍ପାତ, ଖଣି, କୋଇଲା, ଆଲୁମିନିୟମ, ପର୍ଯ୍ୟଟନ, ଟେକ୍ସଟାଇଲ, ଉଦ୍ୟୋଗୀ ତଥା ଅନ୍ୟାନ୍ୟ ଶିଳ୍ପ କ୍ଷେତ୍ରରେ ରୋଜଗାର ସୃଷ୍ଟି କରି ରାଜ୍ୟର ରାଜସ୍ୱ ବଢାଇବାର ଲକ୍ଷ୍ୟ ରଖିଛନ୍ତି। ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ପାରାଦୀପରେ ୪୦ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜନିବେଶ କରିଛି। ଇଡ୍‌କୋ ଓ ଆଇଓସିଏଲ୍‌ ପକ୍ଷରୁ ଯୁଗ୍ମ ଭାବରେ ଏସ୍‌ପିଭି ଗଠନ କରାଯାଇ ପାରାଦୀପରେ ବିଶ୍ୱସ୍ତରୀୟ ପ୍ଲାଷ୍ଟିକ ପାର୍କ ନିର୍ମାଣ କରାଯାଉଛି। ପାରାଦୀପ, ବାଲେଶ୍ୱର, ଖୋର୍ଦ୍ଧାର ପ୍ଲାଷ୍ଟିକ ଅଂଚଳରେ ଉଦ୍ୟୋଗୀଙ୍କୁ ନିରନ୍ତର କମ ମୂଲ୍ୟରେ କଞ୍ଚାମାଲ ଦେବାର ଦାୟିତ୍ୱ ଇଣ୍ଡିଆନ ଅଏଲ ନେବ। ଓଡ଼ିଶାକୁ ଗ୍ୟାସ ଆଧାରିତ ଅଞ୍ଚଳ ଭାବେ ତିଆରି କରିବା, ତୈଳ ଭିତ୍ତିଭୂମି ଅଂଚଳ ଭାବରେ ପରିଣତ କରିବା, ପେଟ୍ରୋଲିୟମ ଓ ପେଟ୍ରୋକେମିକାଲ ଓ ଆନୁଷଙ୍ଗିକ କ୍ଷେତ୍ରରେ ଓଡିଶାକୁ ଅଗ୍ରଣୀ ରାଜ୍ୟ ଭାବେ ତୋଳିବା ପାଇଁ ତୈଳ ଶିଳ୍ପରେ ସର୍ବମୋଟ ୧ ଲକ୍ଷ ୩୫ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଏହି ଭର୍ଚୁଆଲ ଉତ୍ସବରେ ପେଟ୍ରୋଲିୟମ ମନ୍ତ୍ରଣାଳୟର ସଚିବ ତରୁଣ କାପୁର, ଆଇଓସିଏଲ୍‌ର ଚେୟାରମ୍ୟାନ୍‌ ସଞ୍ଜୀବ ସିଂହଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର